Categories
ବିଶେଷ ଖବର

ସମ୍ଭାବ୍ୟ ବନ୍ୟା ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି କହିଲେ ସ୍ୱତନ୍ତ୍ର ରିଲିଫ୍‌ କମିଶନର

ଭୁବନେଶ୍ୱର: ବନ୍ୟା ପରିସ୍ଥିତି ସଂପର୍କରେ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା କହିଲେ ଯେ, ମୁଖ୍ୟମନ୍ତ୍ରୀ ଆଜି ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାର ଜିଲ୍ଲାପାଳ, ମୁଖ୍ୟ ଶାସନ ସଚିବ, ସ୍ୱତନ୍ତ୍ର ରିଲିଫ୍‌ କମିଶନର ଓ ବିଭାଗୀୟ ସଚିବମାନଙ୍କ ସହ ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ବନ୍ୟା ପରିସ୍ଥିତି ଓ ଏହାର ମୁକାବିଲା ପାଇଁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରିଛନ୍ତି।

ଗତ କିଛି ଦିନ ଧରି ଲଗାତାର ବର୍ଷା ହେତୁ ମହାନଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ମହାନଦୀ ଅବବାହିକାରେ ଥିବା ୧୦ଟି ଜିଲ୍ଲାର କେତେକ ତଳିଆ ଅଞ୍ଚଳ ବନ୍ୟା ଦ୍ୱାରା ପ୍ରଭାବିତ ହୋଇପାରେ। ଏହି ୧୦ଟି ଜିଲ୍ଲାର ଜିଲ୍ଲା ପ୍ରଶାସନ ସତର୍କ ରହିବା ସହ ସମସ୍ତ ସତର୍କତା ଅବଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟ ସ୍ତରରୁ ସରକାରୀ ବିଭାଗଗୁଡ଼ିକ ତୁରନ୍ତ ସହାୟତା ପ୍ରଦାନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ଳାବିତ ଅଞ୍ଚଳରୁ ତୁରନ୍ତ ଲୋକମାନଙ୍କୁ ସ୍ଥାନାନ୍ତରିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ପ୍ରାଥମିକତା ଦେଇ ସ୍ଥାନାନ୍ତର କରାଯିବା ଏବଂ ଆବଶ୍ୟକ ରନ୍ଧା ଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବା ପାଇଁ ବ୍ୟବସ୍ଥା କରାଯାଇଛି। ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିବା ପାଇଁ ୯ଟି ଏନ୍‌ଡିଆର୍‌ଏଫ୍‌, ୯ଟି ଓଡ୍ରାଫ୍‌ ଏବଂ ୪୪ଟି ଅତିରିକ୍ତ ଅଗ୍ନିଶମ ସେବା ୟୁନିଟ୍‌ଗୁଡ଼ିକ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ପ୍ରଭାବିତ ଗ୍ରାମାଞ୍ଚଳରେ ସ୍ୱଚ୍ଛ ପାନୀୟଜଳ ଯୋଗାଇଦେବା ପାଇଁ ବ୍ୟବସ୍ଥା କରିଛନ୍ତି। ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ବିଶେଷ ବ୍ୟବସ୍ଥା କରିବା ସହ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ପ୍ରାଣୀଚିକିତ୍ସା ତଥା ଗୋଖାଦ୍ୟ ଯୋଗାଇଦେବେ। ଇଂଜିନିୟରିଂ ବିଭାଗଗୁଡ଼ିକ କ୍ଷତିଗ୍ରସ୍ତ ଭିତ୍ତିଭୂମିର ଶୀଘ୍ର ପୁନରୁଦ୍ଧାର କରିବେ। ସେହିପରି କ୍ଷତିଗ୍ରସ୍ତ ଅଞ୍ଚଳରେ ବିଦୁ୍ୟତ ଶକ୍ତି ଯୋଗାଣ ପାଇଁ ଶକ୍ତି ବିଭାଗ ଆବଶ୍ୟକୀୟ ପ୍ରାଥମିକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ଆମେ ସବୁବେଳେ ଆମର ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ..’ର ନୀତି ଦ୍ୱାରା ପରିଚାଳିତ।

କଟକର ମୁଣ୍ଡଳୀଠାରେ ଆଜି ଅପରାହ@ ୪ ଟା ସୁଦ୍ଧା ସର୍ବୋଚ୍ଚ ୧୧.୭୫ ଲକ୍ଷ କ୍ୟୁସେକ୍‌ ବନ୍ୟାଜଳ ପ୍ରବାହିତ ହେବ। ଏହି ବନ୍ୟାଜଳ ଆଗାମୀ ୪୮ ଘଣ୍ଟା ପାଇଁ ମହତ୍ତ୍ୱପୂର୍ଣ୍ଣ ଅଟେ। ଦୁଇଦିନ ପରେ ବନ୍ୟାଜଳ କ୍ରମଶଃ କମିବାକୁ ଲାଗିବ। ନଦୀ ଓ କେନାଲ ବନ୍ଧର ସୁରକ୍ଷା ନିମନ୍ତେ କ୍ଷେତ୍ରୀୟ ସ୍ତରରେ ଜଗାରଖା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରଖିବା ପାଇଁ ଜିଲ୍ଲାପାଳମାନେ ପରିସ୍ଥିତି ଅନୁଧ୍ୟାନ କରି ନିଷ୍ପତ୍ତି ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର, ସୁବର୍ଣ୍ଣପୁର, ବୌଦ୍ଧ, ଅନୁଗୋଳ, ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଆଦି ୧୦ଟି ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀମାନଙ୍କ ଛୁଟି ୭ ଦିନ ପାଇଁ ବାତିଲ କରାଯାଇଛି।

ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍‌ ଓ ଉଦ୍ଧାର କାର୍ଯ୍ୟ, ନଦୀ/କେନାଲ ବନ୍ଧଗୁଡ଼ିକର ସୁରକ୍ଷା ପାଇଁ ଜନସାଧାରଣ, ସ୍ଥାନୀୟ ଜନପ୍ରତିନିଧି, ଗୋଷ୍ଠୀସ୍ତରରେ ସେ୍ୱଚ୍ଛାସେବୀମାନେ ସହଯୋଗ କରିବା ପାଇଁ ନିବେଦନ କରାଯାଇଛି।

Categories
ବିଶେଷ ଖବର ରାଜ୍ୟ ଖବର

ଆଗୁଆ ବନ୍ୟା ମୁକାବିଲା: ଶିଘ୍ର ନଦୀବନ୍ଧ ସ୍ଥିତି ଯାଞ୍ଚ କରି ରିପୋର୍ଟ ଦେବାକୁ ଜଳସଂପଦ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର: ଆଗାମୀ ବର୍ଷାଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ଜଳସମ୍ପଦ ବିଭାଗ ତରଫରୁ ବନ୍ୟା ପ୍ରସ୍ତୁତି ପ୍ରାରମ୍ଭିକ ପର୍ଯ୍ୟାୟ ବୈଠକ ଆଜି ଅନୁଷ୍ଠିତ ହୋଇଛି। ଜଳ ସଂପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଏହା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ବର୍ଷା ଋତୁରେ ଲଗାଣ ମୌସୁମୀ ବର୍ଷା, ସମ୍ଭାବ୍ୟ ଲଘୁଚାପ ଏବଂ ବାତ୍ୟା ଜନିତ ବର୍ଷା ଆଦିକୁ ଦୃଷ୍ଚିରେ ରଖି ଏଥିପାଇଁ ଏବେଠାରୁ ପ୍ରସ୍ତୁତି ନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଛି। ଏଥି ସହିତ ବିଭିନ୍ନ ନଦୀ ବନ୍ଧ ଓ ଜଳ ଭଣ୍ଡାରଗୁଡିକର ସ୍ଥିତି, ନଦୀବନ୍ଧର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା ।

ଚଳିତ ଅପ୍ରେଲ ୧୬ ରୁ ୨୬ ତାରିଖ ମଧ୍ୟରେ ବିଭାଗର ସମସ୍ତ କ୍ଷେତ୍ର ସ୍ତରୀୟ କନିଷ୍ଠ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ଅଧିକ୍ଷଣ ଯନ୍ତ୍ରୀମାନେ ନଦୀବନ୍ଧ ଯାଂଚ କରି ଦୁର୍ବଳ ନଦୀବନ୍ଧ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବନ୍ୟା ପରିସ୍ଥିତି ଉପୁଜିଲେ ସେଥିପ୍ରତି ସଜାଗ ରହି ଏହାର ପ୍ରତିବିଧାନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସମ୍ଭାବ୍ୟ ବନ୍ୟା ପାଇଁ ଆଗୁଆ ପ୍ରସ୍ତୁତି ରହିଲେ ବନ୍ୟାପରିସ୍ଥିତିରେ ଅଧିକ ଘାଇ ଓ ଘଳିଆ ସୃଷ୍ଟିକୁ ରୋକାଯାଇପାରିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ପ୍ରକାଶ କରିଥିଲେ। ବିଭାଗର ସ୍ୱତନ୍ତ୍ର ଶାସନ ସଚିବ, ସର୍ବୋଚ୍ଚ ଯନ୍ତୀ, ବିଭିନ୍ନ ଡିଭିଜନର ମୁଖ୍ୟଯନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପ୍ରସ୍ତୁତି ସଂପର୍କରେ ତଥ୍ୟ ଉପସ୍ଥାପନ କରିବା ସହିତ ସମ୍ଭାବ୍ୟ ବନ୍ୟାରେ ନଦୀ ଓ ଜଳଭଣ୍ଡାରଗୁଡିକର ସୁପରିଚାଳନା ନେଇ ମତ ଉପସ୍ଥାପନ କରିଥିଲେ । ବିଗତ ବର୍ଷର ଅନୁଭୂତିକୁ ଆଧାର କରି ଚଳିତ ବର୍ଷ ପାଇଁ ପ୍ରସ୍ତୁତି କରିବା ପାଇଁ ଶ୍ରୀମତୀ ଗର୍ଗ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ।

ରାଜ୍ୟରେ ଥିବା ୭ ଟି ବୃହତ ଓ ୪୫ ଟି ମଧ୍ୟମ ଜଳଭଣ୍ଡାର ରହିଛି। ବହୁମୁଖୀ ଜଳଭଣ୍ଡାରଗୁଡିକର ସୁପରିଚାଳନା କରିବା ପାଇଁ ଆବଶ୍ୟକୀୟ ପ୍ରସ୍ତୁତି, ସ୍ଲୁଇସ୍ଗେଟ୍ ଓ ଜଳ ନିଷ୍ପାସନ ବ୍ୟବସ୍ଥାଗୁଡିକର ସ୍ଥିତି ଯାଂଚ କରିବ ସହ ମକ୍ ଡ୍ରିଲ କରିବା, ସମସ୍ତ ଡିଭିଜନ ମାନେ ଆଗତୁରା ପ୍ରସ୍ତୁତି ରହି ବନ୍ୟା ନିୟନ୍ତ୍ରଣ ପାଇଁ ଆବଶ୍ୟକ ଉପକରଣ ମହଜୁଦ ରଖିବା, ବନ୍ୟା ସଂପର୍କରେ ପୂର୍ବାନୁମାନ ବ୍ୟବସ୍ଥାକୁ ସୁଦୃଢ କରିବା ଓ ଜନସାଧାରଣଙ୍କୁ ସୂଚନା ପ୍ରଦାନ ପାଇଁ ବନ୍ୟା ନିୟନ୍ତ୍ରଣ କକ୍ଷରେ ଆନୁଷଙ୍ଗିକବ୍ୟବସ୍ଥା କରାଯିବା ସଂପର୍କରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା।