ଆହୁରି ବାହାରୁଛି ଟଙ୍କା ଓ ସୁନା, ମୋଟ ହେଲା ସାଢେ ତିନି କୋଟି, ଏବେବି ଭିଜିଲାନସର ଚଢାଉ ଜାରୀ

Published: Apr 9, 2022, 1:17 pm IST

ଭୁବନେଶ୍ବର: ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ସହାୟକ ଇଂଜିନିୟର କାର୍ତ୍ତିକେଶ୍ବର ରାଉଳଙ୍କ ସଂପର୍କିୟଙ୍କ ଘରୁ ଆହୁରି ଟଙ୍କା ବାହାରୁଛି। ପ୍ରଥମେ ତାଙ୍କର ଦ୍ବିତୀୟ ସ୍ତ୍ରୀ କଳ୍ପନା ପ୍ରଧାନଙ୍କ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରୁ ଟଙ୍କା ଜବତ ହୋଇଥିଲା ସେହି ଟଙ୍କା ଦିନରାତି ଗଣିବା ପରେ ଜଣାପଡିଥିଲା ଯେ ତାହା ଦୁଇ କୋଟି।

କେବଳ ଟଙ୍କା ନୁହେଁ ସେଦିନ ତାଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ କରାଯାଇଛି। ସେଥିମଧ୍ୟରେ ରହିଛି ୨୦ଟି ସୁନା ବିସ୍କୁଟ। ଯାହାର ଓଜନ ୫୮୦ ଗ୍ରାମ ବୋଲି ଜଣାପଡିଛି।

ପଢନ୍ତୁ- ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳା ଟଙ୍କା

ତେବେ ଆଜିର ସଦ୍ୟତମ ସୂଚନା ଅନୁସାରେ କଳ୍ପନାଙ୍କ ଭଉଣୀଙ୍କ ଘରୁ ମଧ୍ୟ ଆଜି ୧ କୋଟି ୪୦ ଲକ୍ଷ ଟଙ୍କା ଜବତ କରାଯାଇଛି। ତାଙ୍କ ଭଉଣୀ ଅର୍ଥାତ ରାଉଳଙ୍କ ଶାଳିଙ୍କ ଘରୁ ଆଜି ସକାଳେ ଏହି ଟଙ୍କା ଜବତ କରାଯାଇଛି।

ଭୁବନେଶ୍ବରର ଶାଳିଆ ସାହିରେ ରହୁଥିବା ଏହି ମହିଳାଙ୍କ ଘରେ ଭିଜିଲାନସ ରେଡ କରିଥିଲା। ସେହିପରି ପୋଖରୀପୁଟସ୍ଥିତ କେଶରୀ ଇଷ୍ଟେଟରେ ଏକ ଟ୍ରିପ୍ଲେକ୍ସ କିଣିବା ପାଇଁ ରଖିଥିବା ୭୮ ଲକ୍ଷ ୫୦ ହଜାର ଟଙ୍କା ମଧ୍ୟ ମିଳିଛି। ଏଥିସହିତ ୩୫୪ ଗ୍ରାମ ସୁନା ମଧ୍ୟ ଜବତ ହୋଇଛି।

ତେବେ ସୂଚନା ଅନୁସାରେ ବର୍ତ୍ତମାନ କାର୍ତ୍ତିକଶ୍ବର ରାଉଳଙ୍କଠାରୁ ମୋଟ ୩ କୋଟି ୪୧ ଲକ୍ଷ ୬୬ ହଜାର ୨୮୦ ଟଙ୍କା ଜବତ କରାଯାଇଛି।

Related posts