ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘରୁ ମିଳିଲା ପୁଳାପୁଳ ଟଙ୍କା ଆଉ ଅଧା କିଲୋ ସୁନା, ଭିଜିଲାନ୍ସର ରେକର୍ଡ

Published: Apr 8, 2022, 5:06 am IST

ଭୁବନେଶ୍ବର: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭିଜିଲାନ୍ସ ବିଭାଗ ଜଣେ ଇଂଜିନିୟରଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ପାଖରେ ଯେତେ ଟଙ୍କା ପାଇଲେ ତାହା ଏକ ରେକର୍ଡ। ଅର୍ଥାତ ଭିଜିଲାନ୍ସ ପୂର୍ବରୁ ଯେତେ ଚଢାଉ କରିଥିଲେ ସେମାନେ ଏତେ ଟଙ୍କା ଆଉ ସୁନା କେବେ ହାସଲ କରି ନ ଥିଲେ। ଏ କଥା ଖୋଦ ଭିଜିଲାନ୍ସ ବିଭାଗ ଅଧିକାରୀ ସ୍ବୀକାର କରିଛନ୍ତି।

ଘଟଣାଟି ହେଉଛି ବୁଧବାର ଦିନ ଗଂଜାମ ଜିଲ୍ଲା ଭଂଜନଗର ମାଇନର ଜଳସେଚନ ଜଣେ ସହାୟକ ଇଂଜିନିୟରଙ୍କ ଘରେ ଭିଜିଲାନସ ଚଢାଉ କରିଥିଲା। ତାଙ୍କ ନାମ ହେଉଛି କାର୍ତ୍ତିକଶ୍ବର ରାଉଳ। ସେତେବେଳେ ତାଙ୍କ ଘରୁ ମଧ୍ୟ ବହୁ ଆୟ ବହିଃଭୂତ ସଂପତ୍ତି ଠାବ କରାଯାଇଥିଲା। ସେହି ଚଢାଉ ବେଳେ କାର୍ତ୍ତିକଙ୍କ ଦ୍ବିତୀୟ ସ୍ତ୍ରୀଙ୍କ ଘର ମଧ୍ୟ ରେଡ୍ କରାଯାଇଥିଲା।

ତାଙ୍କର ଦ୍ବିତୀୟ ସ୍ତ୍ରୀଙ୍କ ନାମ ହେଉଛି କଳ୍ପନା ପ୍ରଧାନ। ସେ ଭୁବନେଶ୍ବର ଟାଟା ଆରିୟାନର ଏକ ଫ୍ଲାଟରେ ରହୁଛନ୍ତି। ସେହି ଫ୍ଲାଟରେ ଭିଜିଲାନସ ଚଢାଉ କରିବା ପରେ ସେଠାରେ ବିପୁଳ ପରିମାଣ ନଗଦ ଟଙ୍କା ଦେଖି ତାଜୁବ ହୋଇଯାଇଥିଲା। ସେହି ଟଙ୍କା ଦିନରାତି ଗଣିବା ପରେ ଗୁରୁବାର ଦିନ ଜଣାପଡିଥିଲା ଯେ ତାହା ଦୁଇ କୋଟି। ଯାହା ଭିଜିଲାନ୍ସ ବିଭାଗର ଏକ ରେକର୍ଡ ବୋଲି କୁହାଯାଇଛି।

କେବଳ ଟଙ୍କା ନୁହେଁ ତାଙ୍କ ଘରୁ ବିପୁଳ ପରିମାଣର ସୁନା ମଧ୍ୟ ଜବତ କରାଯାଇଛି। ସେଥିମଧ୍ୟରେ ରହିଛି 20ଟି ସୁନା ବିସ୍କୁଟ। ଯାହାର ଓଜନ 580 ଗ୍ରାମ ବୋଲି ଜଣାପଡିଛି।

ବୁଧବାର ଦିନ ଭିଜିଲାନସ କାର୍ତ୍ତିକେଶ୍ୱର ରାଉଳଙ୍କର ବ୍ରହ୍ମପୁର, ଭୁବନେଶ୍ବର ସମେତ 6ଟି ସ୍ଥାନରେ ଚଢାଉ କରିଥିଲେ। ଏହି ଚଢାଉରେ 5 ଜଣ ଡିଏସପି, 11 ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଥିଲେ। ଚଢାଉବେଳେ ତାଙ୍କ ସରକାରୀ ବାସଭବନରୁ ନଗଦ 2 ଲକ୍ଷ 50 ହଜାର 880 ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ବହୁତଳ କୋଠା ମଧ୍ୟ ଜବତ କରାଯାଇଛି।

( ଏଥିରେ ଥିବା ଫଟୋ ତିନୋଟି କୌଣସି ପ୍ରତିକାତ୍ମକ ଫଟୋ ନୁହେଁ, ଚଢାଉ ପରେ ଭିଜିଲାନ୍ସ ଅଧିକାରୀଙ୍କ ଦ୍ବାରା ଉଠାଯାଇଥିବା ଫଟୋ )

Related posts