ଆପ ସାଂସଦ ହରଭଜନ ସିଂଙ୍କ ଘୋଷଣା, କୃଷକ ଝିଅମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ କରିବେ ଦରମା

Published: Apr 16, 2022, 3:09 pm IST

ଚଣ୍ଡିଗଡ଼: କ୍ରିକେଟରରୁ ରାଜନେତା ସାଜିଥିବା ହରଭଜନ ସିଂ ଏକ ବଡ ଘୋଷଣା କରିଛନ୍ତି। ସେ କୃଷକ ଝିଅମାନଙ୍କର ଶିକ୍ଷା ଏବଂ କଲ୍ୟାଣ ପାଇଁ ତାଙ୍କ ରାଜ୍ୟସଭା ଦରମା ଖର୍ଚ୍ଚ କରିବେ। ଏଥିସହ ସେ କହିଛନ୍ତି ଯେ, ରାଜ୍ୟସଭା ସଦସ୍ୟ ଭାବରେ ସେ ଦେଶର ଉନ୍ନତି ପାଇଁ ଯଥାସମ୍ଭବ ଉଦ୍ୟମ କରିବେ। ହରଭଜନ ସିଂ କିଛି ସମୟ ପୂର୍ବରୁ ପଞ୍ଜାବର ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ, ଯାହା ପରେ ଦଳ ତାଙ୍କୁ ରାଜ୍ୟସଭା ଆସନ ପାଇଁ ମନୋନୀତ କରିଥିଲା।

ପୂର୍ବତନ କ୍ରିକେଟର ଆଜି ଟ୍ୱିଟ୍ କରି କହିଛନ୍ତି ଯେ ‘ଜଣେ ରାଜ୍ୟସଭା ସଦସ୍ୟ ଭାବରେ ମୁଁ କୃଷକ ଝିଅମାନଙ୍କର ଶିକ୍ଷା ତଥା ସାମାଜିକ କାର୍ଯ୍ୟ ପାଇଁ ମୋର ରାଜ୍ୟସଭା ଦରମା ଦେବାକୁ ଚାହୁଁଛି। ମୁଁ ମୋ ଦେଶକୁ ଉନ୍ନତ କରିବାରେ ସହଯୋଗ କରିବାକୁ ଚାହୁଁଛି। ଏବଂ ମୁଁ ସବୁ କିଛି କରିବାକୁ ଚାହୁଁଛି, ଯାହା ମୋ ସକ୍ଷମରେ ହୋଇପାରିବ।

କ୍ରିକେଟରୁ ଅବସର ନେବା ପରେ ହରଭଜନ ସିଂ କଂଗ୍ରେସରେ ଯୋଗଦେବେ ବୋଲି ଆଲୋଚନା ହୋଇଥିଲା। ସେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଭେଟିଥିଲେ କିନ୍ତୁ ପରେ ହରଭଜନ ସିଂ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ।

Related posts