ମନ୍ତ୍ରମଣ୍ଡଳ ଅଦଳବଦଳ ପକ୍ରିୟା ଶେଷ ପର୍ଯ୍ୟାୟରେ, ଏହି ସପ୍ତାହରେ ହୋଇପାରେ ଶପଥ

Published: Apr 19, 2022, 6:33 am IST

ଭୁବନେଶ୍ବର: ଓଡିଶାର ମନ୍ତ୍ରୀ ମଣ୍ଡଳ ଅଦଳବଦଳ ପକ୍ରିୟା ଶେଷ ପର୍ଯ୍ୟାୟରେ। ଖୁବ ଶିଘ୍ର ଏ ନେଇ ଘୋଷଣା ହେବ। ଯାହା ଜଣପଡୁଛି ଏଇ ସପ୍ତାହରେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିପାରନ୍ତି। ଏ ନେଇ ନବୀନ ନିବାସରେ ଢେର ଦିନ ଧରି ଅଙ୍କକଷା ଚାଲିଛି। କାହାକୁ ରଖିବେ କାହାକୁ କାଢିବେ ସେ ନେଇ ହିସାବ ନିକାସ ଚାଲିଛି।

ତେବେ ବିଶେଷ ସୁତ୍ର ଅନୁସାରେ ନବୀନ କେତେକ ମନ୍ତ୍ରୀଙ୍କ ଉପରେ ଖପ୍ପା ହୋଇପଡିଛନ୍ତି। ସେମାନଙ୍କ ଦକ୍ଷତା ନେଇ ସେ ଅସନ୍ତୁଷ୍ଠ। ସେହିପରି ମନ୍ତ୍ରୀଙ୍କୁ ଯଥାଶିଘ୍ର ବାହାର କରି ଫିଙ୍ଗି ଦିଅ ବୋଲି କହି ସାରିଲେଣି। ସେଥିରେ ମନ୍ତ୍ରୀ ପଦ୍ମନାଭ ବେହେରା, ତୁଷାରକାନ୍ତି ବେହେରା, ରଘୁନନ୍ଦନ ଦାସ, ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସୁଦାମ ମାରାଣ୍ଡି , ପଦ୍ମନୀ ଦିଆନ ପରି ମନ୍ତ୍ରୀ ଅଛନ୍ତି।

ସେହିପରି ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ବହୁ ବଡ ବଡ ମନ୍ତ୍ରୀ ବିବାଦରେ ଅଛନ୍ତି। ମାହାଙ୍ଗା ଡବଲ ମର୍ଡର ମାମଲାରେ ମନ୍ତ୍ରୀ ପ୍ରତାପ ଜେନା, ମମିତା ହତ୍ୟା ଘଟଣାରେ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଅଛନ୍ତି। ସେହିପରି ଏସିଏଫ ସୌମ୍ୟକାନ୍ତଙ୍କ ମୃତ୍ୟୁ ମାମଲାରେ ବିବାଦ ଘେରକୁ ଆସିଛନ୍ତି ହେବିୱେଟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଏମାନଙ୍କ ମୁଣ୍ଡରେ ଖଣ୍ଡା ଝୁଲୁଥିବାର ଜଣାପଡିଛି।

କିଛି ପୁରୁଖା ନେତା ନୂଆ ମନ୍ତ୍ରୀ ମଣ୍ଡଳ ପାଇଁ ଲବି କରୁଥିବା ଚର୍ଚ୍ଚା ହେଉଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବଦ୍ରିନାରାୟଣ ପାତ୍ର, ପ୍ରତାବ ଦେବ, ଅତନୁ ସବ୍ୟସାଚୀ ନାୟକ, ଅମର ଶତପଥୀଙ୍କ ଭଳି ନେତା। ସେହିପରି ବ୍ୟୋମକେଶ ରାୟ, ସୁଶାନ୍ତ ରାଉତ, ରାଜକିଶୋର ଦାସଙ୍କ ଭଳି ବିଧାୟକ ମନ୍ତ୍ରୀ ହୋଇପାରନ୍ତି ବୋଲି ଅନୁମାନ କରିହେଉଛି।

ତେବେ ଏଥର ମନ୍ତ୍ରୀ ମଣ୍ଡଳ ପରିବର୍ତ୍ତନ ନବୀନ ବେଶ ମାପିଚୁପି ପ୍ରସ୍ତୁତ କରୁଛନ୍ତି। କାରଣ ହେଲା, ଏହି ନୂଆ ମନ୍ତ୍ରୀମଣ୍ଡଳକୁ ନେଇ ନବୀନ 2024 ନିର୍ବାଚନକୁ ସମ୍ମୁଖୀନ ହେବେ। ସେଥିପାଇଁ ବହୁ ଟାଣୁଆ ତଥା ସଂଗଠନ ଦକ୍ଷତା ଥିବା ବିଧାୟକଙ୍କୁ ମନ୍ତ୍ରୀ ପଦ ଦେବେ ନାହିଁ ବୋଲି ଜଣାପଡିଛି।

Related posts