Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା ଆଦିବାସୀ ମେଳା, ଜନଜାତି ହାଟ, ଜନଜାତି କଳା ପ୍ରଦର୍ଶନୀ
ବିଶେଷ ଖବର

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା ଆଦିବାସୀ ମେଳା, ଜନଜାତି ହାଟ, ଜନଜାତି କଳା ପ୍ରଦର୍ଶନୀ

April 24, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହେଲା ଆଦିବାସୀ ମେଳା, ଜନଜାତି ହାଟ, ଜନଜାତି କଳା ପ୍ରଦର୍ଶନୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଉଦ୍‌ଘାଟନ କରିଛନ୍ତି। ଏହା ସହିତ ଜନଜାତି ହାଟ ଓ ଜନଜାତି କଳା ପ୍ରଦର୍ଶନୀକୁ ମଧ୍ୟ ଉଦଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଦିବାସୀ ମେଳା ଏବେ କେବଳ ଗୋଟିଏ ମେଳା ହୋଇ ରହି ନାହିଁ, ଏହା ଏକ ପରମ୍ପରା ହୋଇଯାଇଛି। ଆମ ଆଦିବାସୀ ସଂସ୍କୃତିକୁ ଭଲ ପାଇବାର ଓ ଅନୁଭବ କରିବାର ଏହା ଏକ ମହାନ ପରମ୍ପରା ବୋଲି ସେ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥଲେ ଯେ, ଆମର ଆଦିବାସୀ ଭାଇଭଉଣୀମାନେ ଯେଉଁ ଜିନିଷ ଉତ୍ପାଦନ କରନ୍ତି, ତା ପାଇଁ ଏହି ମେଳାରେ ଏକ ଭଲ ମାର୍କେଟ ମଧ୍ୟ ସୃଷ୍ଟି ହୋଇଥାଏ। ଜନଜାତିମାନଙ୍କର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଏହା ଏକ ଭଲ ପ୍ଲାଟଫର୍ମ ବୋଲି ମତ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ‘ମୋର ଦୃଢ ବିଶ୍ୱାସ, ଏ ବର୍ଷ ଆମର ଜନଜାତିମାନଙ୍କ ଉତ୍ପାଦିତ ଜିନିଷଗୁଡିକ ବହୁତ ଭଲ ବ୍ୟବସାୟ କରିବ ।’ ଜନଜାତି ଭାଇଭଉଣୀମାନଙ୍କ କଲ୍ୟାଣ ଓ ବିକାଶ ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ ବୋଲି ସେ କହିଥିଲେ ।

କରୋନା ପାଇଁ ଦୁଇ ବର୍ଷ ପରେ ଆଜି ଆଦିବାସୀ ମେଳା ଆରମ୍ଭ ହୋଇ ଥିବାରୁ ଖୁସି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ କରୋନା ମହାମାରୀ ଯୋଗୁଁ ଦୁଇ ବର୍ଷ ଧରି ଏହି ମେଳା ହୋଇପାରି ନ ଥିଲା । ଖୁସିର କଥା, ଆପଣମାନଙ୍କ ସମସ୍ତଙ୍କ ସହଯୋଗରେ ମହାମାରୀର ପ୍ରଭାବ କମିଛି । ସାଧାରଣ ଜୀବନଯାତ୍ରା ଆରମ୍ଭ ହୋଇଛି । ତେବେ ଆମ ସମସ୍ତଙ୍କୁ ସାବଧାନ ରହିବାକୁ ହେବ ବୋଲି ସେ ସତର୍କ କରାଇ ଦେଇଥିଲେ ।

ଆଜିର ଉଦ୍‌ଘାଟନୀ ସମାରୋହରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଯୋଗଦେଇ କହିଲେ ଯେ ଜନଜାତି ଭାଇଭଉଣୀଙ୍କୁ ସାଂସ୍କୃତିକ ତଥା ସାମାଜିକ ଭାବଧାରାରେ ସଂପୃକ୍ତ କରିବାର ଆଭିମୁଖ୍ୟ ନେଇ ଏପରି ମେଳା ଆୟୋଜିତ ହୋଇଛି । ଜନଜାତିଙ୍କ କଳା ଓ କାରିଗରୀ ତଥା ସୃଜନଶୀଳ ରୁଚିର ପ୍ରସାର ଏବଂ ସଂରକ୍ଷଣରେ ଏହି ମେଳା ଯଥେଷ୍ଟ ସହାୟକ ହେବ ।

ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ରଂଜନା ଚୋପ୍ରା, ଏସ୍‌ସିଏସ୍‌ଟିଆର୍‌ଟିଆଇର ନିର୍ଦ୍ଦେଶକ ପ୍ରଫେସର ଡ. ଅଖିଳ ବିହାରୀ ଓତା, ବିଭାଗୀୟ ନିର୍ଦ୍ଦେଶକ ଗୁହା ପୁନମ ତାପସ କୁମାର ଉପସ୍ଥିତ ରହି ଆଦିବାସୀ ମେଳା ଓ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ସଂପର୍କରେ ବକ୍ତବ୍ୟ ରଖିଥିଲେ ।
ଅତିଥିମାନଙ୍କ କରକମଳରେ ଆଦିବାସୀ ଜର୍ଣ୍ଣାଲ, ବାଇଗା ଓ କୋଲି ଟ୍ରାଇବ ଉପରେ ଆଧାରିତ ଫୋଟୋ ହ୍ୟାଣ୍ଡବୁକସ୍‌, ଏସ୍‌ଟି ପପୁଲେସନ୍‌ ଆନାଲିସିସ୍‌ ଏବଂ ଏସ୍‌ସି ପପୁଲେସନ୍‌ ଆନାଲିସିସ୍‌ ଉନ୍ମୋଚିତ ହୋଇଥିଲା ।

ଚଳିତ ବର୍ଷ ଆଦିବାସୀ ମେଳା ଓ ଜାତୀୟ କଳା ଓ କଳାସାମଗ୍ରୀ ପ୍ରଦର୍ଶନୀ ନିମନ୍ତେ ମୋଟ ୧୮୭ଟି ଷ୍ଟଲ ନିର୍ମାଣ କରାଯାଇଛି । ଆଦିବାସୀ ହାଟରେ ବିିଭିନ୍ନ ଆଦିବାସୀ ଓ ଜଙ୍ଗଲଜାତ ସାମଗ୍ରୀର ବିକି୍ରବଟାର ବ୍ୟବସ୍ଥା ହୋଇଛି । ଏଠାରେ ୧୦୪ଟି ଷ୍ଟଲ ରହିଛି । ଏଠାରେ ଆଇଟିଡ଼ିଏ ଓ ମାଇକ୍ରୋ ପ୍ରୋଜେକଫ ଅଞ୍ଚଳର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନେ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ଓ ଉତ୍ପାଦିତ ସାମଗ୍ରୀ ବିକ୍ରୟ କରୁଛନ୍ତି । ଆଇଟିଡିଏ ଦ୍ୱାରା ୪୪ଟି ଷ୍ଟଲରେ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ସେମାନଙ୍କର ଉତ୍ପାଦିତ ଓ ସଂଗୃହୀତ ଦ୍ରବ୍ୟ ବିକ୍ରୟ କରିବେ । ୧୭ଟି ଷ୍ଟଲ ଅଣୁପ୍ରକଳ୍ପ ଅଧୀନସ୍ଥ ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନଙ୍କୁ ଆବଣ୍ଟନ କରାଯାଇଛି ।

ଜାତୀୟ ଜନଜାତି ଆଦିବାସୀ ଚିତ୍ରକଳା ଓ କଳାସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀର ବିକ୍ରୟ ପାଇଁ ସ୍ୱତନ୍ତ୍ର ୮୪ଟି ଷ୍ଟଲ କରାଯାଇଛି । ଏଥିରେ ଓଡ଼ିଶା ସମେତ ୧୮ଟି ରାଜ୍ୟର ଆଦିବାସୀ କାରିଗରମାନେ ତାଙ୍କ କଳାସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ଅନ୍ୟାନ୍ୟ ଷ୍ଟଲ ମଧ୍ୟରେ ମିଶନ ଶକ୍ତିର ୨୧ଟି, ଓର୍‌ମାସ୍‌ର ୧୫ଟି ଏବଂ ଟିଡିସିସିର ୨ଟି ଷ୍ଟଲରେ ଜନଜାତି ସାମଗ୍ରୀର ଭରପୂର ସମ୍ଭାର ବିକ୍ରୟ ପାଇଁ ଗଚ୍ଛିତ ରହିଛି । ସୂଚନା ଓ ଲୋକସଂପର୍କ ବିଭାଗର ଗୋଟିଏ ଷ୍ଟଲ୍‌ରେ ଓଡ଼ିଶା ସରକାରଙ୍କ ଜନଜାତି ବିକାଶ କାର୍ଯ୍ୟକ୍ରମ ସହିତ ଜନଜାତିଙ୍କ ଜୀବନଶୈଳୀ ଓ ସଂସ୍କୃତିର ଫଟୋଚିତ୍ର ସୁନ୍ଦର ଓ ଚିତ୍ତାକର୍ଷକ ଭାବେ ସ୍ଥାନୀତ ହୋଇଛି ।

ପ୍ରତିବର୍ଷ ଆଦିବାସୀ ମେଳାକୁ ରାଜ୍ୟ ତଥା ବାହାରୁ ୮ରୁ ୧୦ ଲକ୍ଷ ଦର୍ଶକ ଆସିଥାନ୍ତି । ଏହି ମେଳାରେ ୫ରୁ ୬ କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ଲୋକମାନେ ଏହି ମେଳାରୁ ବର୍ଷକ ପାଇଁ ହଳଦୀ, ମାଣ୍ଡିଆ, ମୁଗ, ବିରି, ମକା, ବାସନାଚାଉଳ, ମହୁ, ଝୁଣା, ଝାଡ଼ୁ, ପାଳୁଅ ଆଦି ଆଦିବାସୀ ତଥା ଜଙ୍ଗଲଜାତ ଦ୍ରବ୍ୟ କ୍ରୟ କରିଥାନ୍ତି ।

ମେଳାରେ ସନ୍ଧ୍ୟା ୬.୩୦ରୁ ରାତି ୮.୩୦ ପର୍ଯ୍ୟନ୍ତ ବିଭିନ୍ନ ଜନଜାତି ନୃତ୍ୟ ପ୍ରଦର୍ଶନର ବ୍ୟବସ୍ଥା କରାଯାଇଛି । ମେଳାରେ ସୁରକ୍ଷା ଦୃଷ୍ଟିକୋଣରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହିତ ବେସରକାରୀ ସୁରକ୍ଷା ସଂସ୍ଥାକୁ ମଧ୍ୟ ନିୟୋଜନ  କରାଯାଇଛି । ମେଳା ପରିସରର ବିଭିନ୍ନ କୋଣରେ ଏକାଧିକ କ୍ଲୋଜ ସର୍କିଟ୍‌ କ୍ୟାମେରା ଲଗାଯାଇଛି ଏବଂ ଏହାର ମନିଟର୍‌ ପୋଲିସ କଣ୍ଟ୍ରୋଲ ରୁମ୍‌ ଓ ମୁଖ୍ୟ କଣ୍ଟ୍ରୋଲ ରୁମ୍‌ରେ ରହିଛି । କରୋନା ସତର୍କତା ପାଇଁ ବିଭିନ୍ନ ସ୍ଥାନରେ ସଚେତନତା ବାର୍ତ୍ତା ଲଗାଯାଇଛି । ନିରାପତ୍ତା ଦୃଷ୍ଟିକୋଣରୁ ମୁଖ୍ୟ କଣ୍ଟ୍ରୋଲ ରୁମ୍‌, ଆଶୁଚିକିତ୍ସା କେନ୍ଦ୍ର, ଅସ୍ଥାୟୀ ଦମକଳ କେନ୍ଦ୍ର, ଅସ୍ଥାୟୀ ଜନସ୍ୱାସ୍ଥ୍ୟ ଓ ବିଦୁ୍ୟତ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ ଖୋଲାଯାଇଛି । ଆବଶ୍ୟକ ପରିମାଣରେ ଅଗ୍ନିନିର୍ବପକ ଯନ୍ତ୍ର ପ୍ରତ୍ୟେକ ପ୍ରଭାଗରେ ମହଜୁଦ ଅଛି ।

ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ ଆଦିବାସୀ ମେଳା ଅପ୍ରେଲ ୨୩ରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ ଦିନ ଧରି ଚାଲିବ । ପ୍ରତ୍ୟହ ଅପରାହ୍ନ ୩.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଆଦିବାସୀ ମେଳା ଖୋଲା ରହିବ ।

Adibashi Mela ଆଦିବାସୀ ମେଳା ନବୀନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡିଶା ଆଦିବାସୀ ମହାସଂଘ, ସାମୂହିକ କଲ୍ୟାଣ ପାଇଁ ଦେଲେ ଏହିସବୁ ପ୍ରସ୍ତାବ

July 24, 2025

ବାଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ହାଇକୋର୍ଟଙ୍କ ଅଦାଲତ ଅବମାନନା ନୋଟିସ

July 24, 2025

ଖଲ୍ଲିକୋଟ ପୋଲିସ ପକ୍ଷରୁ କାର ସମେତ ବିପୁଳ ପରିମାଣର ମଦ ଜବତ: ଚାଳକ ଗିରଫ

July 24, 2025

ସମ୍ୱଲପୁର ନିକଟରେ ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ: ଟ୍ରାକରୁ ଖସିଲା ଜେନେରାଲ କୋଚ୍‌ର ଗୋଟିଏ ବଗି

July 24, 2025
Latest News

୧୦,୦୦୦ ଟଙ୍କାରେ ଆପଣ କିଣିପାରିବେ ସର୍ବାଧିକ ବିକ୍ରି ହେଉଥିବା ବାଇକ୍: ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ

July 24, 2025

ଟେଷ୍ଟ ପରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟି-୨୦ ଏବଂ ଦିନିକିଆ ସିରିଜ୍ ଖେଳାଯିବ, ପୂର୍ଣ୍ଣ କାର୍ଯ୍ୟସୂଚୀ ଜାରି କଲା ECB

July 24, 2025

ସମ୍ପୂର୍ଣ୍ଣ ଟେଷ୍ଟ ସିରିଜରୁ ବାଦ ପଡ଼ିବେ ରିଷଭ ପନ୍ତ?, ସାମ୍ନାକୁ ଆସିଲା ମେଡିକାଲ ରିପୋର୍ଟ

July 24, 2025

ବାଣପୁର ଓକିଲ ସଂଘର ପ୍ରତିଷ୍ଠାତା ସ୍ବର୍ଗତ ସତ୍ୟନାରାୟଣ ମହାପାତ୍ରଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ

July 24, 2025

ବିଶ୍ୱକପର ଫାଇନାଲରେ ପହଞ୍ଚିଲେ ଦିବ୍ୟା ଦେଶମୁଖ: ଚେସ୍ ରେ ରଚିଲେ ଇତିହାସ

July 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.