କଂଗ୍ରେସର ସଭାପତି କିଏ ହେବ ସେ ନେଇ ବିଜେଡି ନେତାଙ୍କ ମତ ନେଲେ ରାହୁଳ ଗାନ୍ଧୀ

Published: May 11, 2022, 8:35 am IST

ଭୁବନେଶ୍ବର: ଓଡିଶା କଂଗ୍ରେସର ସଭାପତି କିଏ ହେବ, ସେ ନେଇ ଚାଲିଛି ଘଣ୍ଟାଚକଟା। ହେଲେ ଏହା ଭିତରେ ଏକ ବଡ ଖବର ଆସିଛି। ତାହା ହେଲା କିଏ କଂଗ୍ରେସ ସଭାପତି  ହେବ, ସେ ନେଇ ରାହୁଳ ଗାନ୍ଧୀ ବିଜେଡି ନେତାଙ୍କ ମତ ଲୋଡିଛନ୍ତି। ଏହା କୈଣସି ମିଛ କିମ୍ବା ଉଡା କଥା ନୁହେଁ। ଏ କଥା କହିଛନ୍ତ ଖୋଦ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ।

ରାହୁଳ ଗାନ୍ଧୀଙ୍କୁ ଭେଟିବା ପାଇଁ ପୁରା ଓଡିଶା କଂଗ୍ରେସ ଟିମ ଦିଲ୍ଲୀ ଯାଇଥିଲେ। ସେଠାରୁ ଫେରିବା ପରେ ସୁର ରାଉତରାୟ ଏହି ବିସ୍ପୋରକ କଥା କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ କେତେକ ବିଶିଷ୍ଠ ଲୋକଙ୍କ ମତ ନେଇଛନ୍ତି। ସେମାନଙ୍କ ଭିତରେ ଅଛନ୍ତି ବର୍ତ୍ତମାନ ଏବଂ ପୂର୍ବତନର ବିଜେଡି ନେତା।

ସୁର ରାଉତରାୟଙ୍କ କହିବା କଥା ହେଲା ରାହୁଳ ଗାନ୍ଧୀ ଓଡିଶାର ବିଜେଡି ନେତାଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ସେଥିପାଇଁ ସେମାନଙ୍କ ମତ ନେଇଛନ୍ତି। ସେ କହିଛନ୍ତି ଯେ, ସଭାପତି କିଏ ହେବ ସେ ନେଇ ରାହୁଳ ଗାନ୍ଧୀ ବିଜେଡି ସାଂସଦ ଅଚ୍ୟୁତ ସାମନ୍ତ ଏବଂ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ମତ ନେଇଛନ୍ତି। ତେବେ କଂଗ୍ରେସ ସଭାପତି ପାଇଁ ବିଜେଡି ନେତାଙ୍କ ମତ କଣ ଆବଶ୍ୟକ ବୋଲି ପଚାରିବାରୁ ସେ କିଛି କହି ନ ଥିଲେ।

ତେବେ ଏହାକୁ ନେଇ ବର୍ତ୍ତମାନ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି। ସାଧାରଣରେ ପ୍ରଶ୍ନ ଉଠୁଛି ଯେ ତେବେ କଂଗ୍ରେସ ଦଳ କଣ ବିଜେଡି ନିୟନ୍ତ୍ରଣରେ ରହିଛି କି ? ପୂର୍ବରୁ ସୁର ରାଉତରାୟ କହିଥିଲେ ଯେ, କଂଗ୍ରେସ ସଭାପତି କିଏ ହେବ ତାହା ନବୀନ ପଟ୍ଟନାୟକ ନିର୍ଦ୍ଧାରଣ କରନ୍ତି। ଏହି କଥାକୁ ନେଇ ସେତେବେଳେ ବେଶ୍ ହଇଚଇ ସୃଷ୍ଟି ହୋଇଥିଲା।

ସେତିକି ନୁହେଁ ସୁର ରାଉତରାୟ ବିଜେଡି ନେତାଙ୍କ ସହିତ ଆଉ କେତେକ ଅଣ କଂଗ୍ରେସ ନେତାଙ୍କ ନାମ ମଧ୍ୟ କହିଲେ। ସେମାନେ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ ତ୍ରିପାଠୀ ଏବଂ ପୂର୍ବତନ ସାଂସଦ ତଥାଗତ ଶତପଥୀ। ଏହି ଦୁଇଜଣଙ୍କର ମଧ୍ୟ କଂଗ୍ରେସ ସଭାପତି କିଏ ହେବ ସେ ନେଇ ମତ ନିଆଯାଇଥିଲା।

ଏଥିରୁ ସ୍ପଷ୍ଟ ହୋଇଛି ଯେ, କଂଗ୍ରେସ ନିଜ ସଭାପତି ନିଜେ ବାଛିବାର କ୍ଷମତା ନାହିଁ। ଫଳରେ ରାହୁଳ ଗାନ୍ଧୀ ଅନ୍ୟ ନେତାଙ୍କ ଉପରେ ନିର୍ଭର କରୁଛନ୍ତି। ତେବେ ଏହାକୁ ନେଇ ଉଭୟ କଂଗ୍ରେସ ଏବଂ ବିଜେଡି ଶିବିରରେ ବେଶ୍ ଚର୍ଚ୍ଚା ଚାଲିଛି।

Related posts