ଘୋଷଣା ହେଲା ଓଡିଶାର ଗୋଟିଏ ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ

Published: May 13, 2022, 6:54 pm IST

ଭୁବନେଶ୍ବର: ଓଡିଶାର ଗୋଚିଏ ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ। ଏ ନେଇ ଆଜି ଭାରତ ନିର୍ବାଚନ କମିଶନରଙ୍କ ତରଫରୁ ଘୋଷଣା କରାଯାଇଛି। ସେହି ଅନୁସାରେ ଜୁନ ୧୩ ତାରିଖରେ ଏହି ଉପନିର୍ବାଚନ ହେବ। ସେଦିନ ସକାଳ ୯ ଟାରୁ ଅପରାହ୍ନ ୪ଟା ପର‌୍ୟ୍ୟନ୍ତ ଭୋଟ ଗ୍ରହଣ ହେବ। ଅପରାହ୍ନ ୫ଟାରେ ଭୋଟ ଗଣତି ହେବ।

ଏହି ବିଜ୍ଞପ୍ତି ଅନୁସାରେ ମଇ ୨୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଜୁନ ୨ ତାରିଖରେ ନାମାଙ୍କନ ପତ୍ର ଦାଖଲ କରାଯିବ। ଜୁନ ୩ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବ। ଜୁନ ୬ ତାରିଖରେ ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିବ। ଏହି ଆସନରେ ସଦସ୍ୟ ଥିବା ସୁବାଷ ସିଂ ରାଜ୍ୟସଭାରୁ ଇସ୍ତଫା ଦେଇଥିଲେ। ସେ କଟକ ମେୟର ଭାବେ ନିର୍ବାଚତ ହୋଇଥିବାରୁ ଏହି ପଦବୀ ଛାଡିବାକୁ ପଡିଲା।

ପୂର୍ବରୁ ଓଡିଶାର ୩ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ହେବ ବୋଲି ଘୋଷଣା ହୋଇଛି। ଏନ ଭାସ୍କର ରାଓ, ପ୍ରସନ୍ନ ଆଚାର‌୍ୟ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର‌୍ୟ୍ୟକାଳ ସରୁଥିବାରୁ ସେମାନଙ୍କ ସ୍ଥାନ ପୂରଣ ପାଇଁ ନିର୍ବାଚନ ହେବ। ସେଥିପାଇଁ ମଇ ୨୪ ତାରିଖରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ। ମଇ ୩୧ ତାରିଖରେ ପ୍ରାର୍ଥୀ ପତ୍ର ଦାଖଲ କରାଯିବ।

ତେବେ ଜୁନ ୧ ତାରିଖରେ ନାମାଙ୍କନ ଯାଞ୍ଚ କରାଯିବାକୁ ଥିବା ବେଳେ ଜୁନ ୩ ତାରିଖ ପର‌୍ୟ୍ୟନ୍ତ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର କରାଯାଇପାରିବ। ଜୁନ ୧୦ ତାରିଖରେ ଭୋଟ ଗ୍ରହଣ ହେବ। ସକାଳ ୯ ଟାରୁ ଅପରାହ୍ନ ୪ ଟା ଯାଏଁ ଭୋଟ ଗ୍ରହଣ କରାଯିବ। ସେହି ଜୁନ ୧୦ ତାରିଖ ଅପରାହ୍ନ ୫ ଟାରେ ଭୋଟ ଗଣତି ଆରମ୍ଭ ହେବ।

ବର୍ତ୍ତମାନ ଓଡିଶାରୁ ୪ ଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଯିବେ। ଏହି ୪ଟି ଆସନ ବିଜେଡି ନେବା ପ୍ରାୟ ନିଶ୍ଚିତ। କାରଣ ଏହି ଦଳ ପାଖରେ ଯେଉଁ ସଂଖ୍ୟା ରହିଛି ସେଥିରେ ଏହି ୪ ଜଣ ନିର୍ବାଚିତ ହୋଇପାରିବେ।

Related posts