ଦିଲ୍ଲୀରୁ ମୁମ୍ବାଇ ପର୍ଯ୍ୟନ୍ତ କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ୯ ଟି ସ୍ଥାନରେ ସିବିଆଇର ଚଢାଉ

Published: May 17, 2022, 11:16 am IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ଆଜି ପୂର୍ବାହ୍ନରୁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମଙ୍କ ପୁଅ ତଥା କଂଗ୍ରେସ ନେତା କାର୍ତ୍ତି ଚିଦାମ୍ବରମଙ୍କ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। କାର୍ତ୍ତିଙ୍କ ଘର ଏବଂ କାର୍ଯ୍ୟାଳୟ ସମେତ ସିବିଆଇ ଅନେକ ସ୍ଥାନରେ ଚଢାଉ କରିଛି। ସୂଚନାନୁସାରେ ୨୦୧୦-୧୪ ମଧ୍ୟରେ କାରବାର ଏବଂ ଟଙ୍କା ଫେରସ୍ତ ଅଭିଯୋଗରେ ସିବିଆଇ କାର୍ତ୍ତି ଚିଦାମ୍ବରମଙ୍କ ବିରୋଧରେ ଏକ ନୂଆ ମାମଲା ରୁଜୁ କରିଛି। ମୁମ୍ବାଇ, ଦିଲ୍ଲୀ ଏବଂ ତାମିଲନାଡୁର ସାତୋଟି ସ୍ଥାନରେ ଚଢାଉ ଜାରି ଚାଲିଛି।

ସିବିଆଇ ସୂତ୍ରରୁ ପ୍ରକାଶ ଯେ, କାର୍ତ୍ତି ଚିଦାମ୍ବରମ ଏବଂ ତାଙ୍କ ସହଯୋଗୀଙ୍କ ବିରୋଧରେ ବିଭିନ୍ନ ଅପରାଧିକ ବିଭାଗ ଅଧୀନରେ ଏକ ମାମଲା ରୁଜୁ ହୋଇଛି। ତାଙ୍କ ପ୍ରଭାବରେ ଚୀନ୍ କମ୍ପାନୀର ଲୋକଙ୍କୁ ଭିସା ଦିଆଯାଇଥିଲା। ଏହି ଭିସା ପାଇଁ କାର୍ତ୍ତି ୫୦ ଲକ୍ଷ ଟଙ୍କା ନେଇଥିବାର ଅଭିଯୋଗ ରହିଛି। ସେତେବେଳେ ତାଙ୍କ ପିତା କେନ୍ଦ୍ର ଗୃହମନ୍ତ୍ରୀ ଥିଲେ। ଏହି ମାମଲା ୨୦୧୧ ମସିହାରେ ହୋଇଛି। ତେବେ ସିବିଆଇ ଚଢାଉ ପରେ କାର୍ତ୍ତି ଚିଦାମ୍ବରମ୍ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସିକୁ ଟାର୍ଗେଟ କରିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି ଯେ, ଏହି ଚଢାଉ କେତେଥର ହୋଇଛି, ମୁଁ ଗଣିବାକୁ ଭୁଲିଗଲି। ଏହା ନିଶ୍ଚିତ ଭାବରେ ଏକ ରେକର୍ଡ ହେବ।

Related posts