ସମୀକ୍ଷା ବ୍ୟୁରୋ
ଦୀର୍ଘ ଏକମାସ ଧରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ପରସ୍ପର ଗାଳି ଓ ସମାଲୋଚନାରେ ଲିପ୍ତ ରହିଥିଲେ। କାରଣ ଥିଲା ଉଭୟ କିପରି ଅନ୍ୟକୁ ଦୋଷ ଦେଇ ଭୋଟ ହାତେଇବା। ହେଲେ ନିର୍ବାଚନ ସରିବାର ଗୋଟିଏ ଦିନ ପରେ ଉଭୟ ଗୋଟିଏ ଗାଡିରେ ବସି ହସଖୁସିରେ ଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଘଟଣାଟି ଆଜି ଅର୍ଥାତ ମଙ୍ଗଳବାର ସକାଳ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ବରର ବିମାନବନ୍ଦରରୁ ନୂଆଦିଲ୍ଲୀ ଅଭିମୁଖେ ଯାଇଥିଲେ। ଦିଲ୍ଲୀ ବିମାନବନ୍ଦରରେ ପହଁଚିବା ପରେ ସେଠାରେ ଥିଲେ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବା ପରେ ନମସ୍କାର କରି ତାଙ୍କ ନିକଟକୁ ଯାଇଥିଲେ। ନବୀନ ବାହାରକୁ ଆସିବା ପାଇଁ ଏକ ବ୍ୟାଟେରି ଚାଳିତ ଗାଡିରେ ବସିବାକୁ ଆସିଥିଲେ। ଧର୍ମେନ୍ଦ୍ର ମଧ୍ୟ ସେହି ଗାଡି ପାଖକୁ ଆସି ତାଙ୍କ ପାଖ ସିଟରେ ବସିଥିଲେ। ଉଭୟ ସେହି ଗାଡିରେ କଥାବାର୍ତ୍ତା ହୋଇ ବାହାରକୁ ଆସିଥିଲେ। ସେଠାରେ ଥିବା ଲୋକେ ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ମାତ୍ର କେତେ ଘଣ୍ଟା ତଳେ ଉଭୟ ନେତା ପରସ୍ପରକୁ ଗାଳି କରିବାଠାରୁ ଆରମ୍ଭ କରି ସମାଲୋଚନାର ଚରମ ସୀମାରେ ପହଁଚିଥିଲେ। ଏପରିକି ନବୀନ, କେନ୍ଦ୍ର ଏବଂ ମୋଦୀଙ୍କ ବିରୋଧରେ ବେଶ୍ କିଛି ସମାଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ମଧ୍ୟ ନବୀନ ସରକାରଙ୍କୁ ଲୋକେ ହଟାଇ ଦେଇଛନ୍ତି ବୋଲି କହିଥିଲେ। ଅମିତ ସାହା ମଧ୍ୟ ନବୀନ ସରକାରଙ୍କୁ ଫୋପାଡି ଫିଙ୍ଗି ଦିଅ ବୋଲି ତାଙ୍କ କର୍ମିଙ୍କୁ ଆହ୍ବାନ ଦେଇଥିଲେ। ସେସବୁ ଝଡ ସରିବା ପରେ ବର୍ତ୍ତମାନ ଧର୍ମେନ୍ଦ୍ର ଓ ନବୀନ ଗୋଟିଏ ଗାଡିରେ ଏକାଠି ଯିବା ଅନେକଙ୍କର ହଜମ ହେଉ ନ ଥିଲେ ମଧ୍ୟ କେତେକ ଏହା ଗଣତନ୍ତ୍ରର ଶୁଭ ଲକ୍ଷଣ ବୋଲି କହୁଛନ୍ତି। ନବୀନ ଓ ଧର୍ମେନ୍ଦ୍ରଙ୍କର ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ତେବେ ହଠାତ ଦୁଇ ରାଜନୈତିକ ଶତ୍ରୁ କାହିଁକି ଏକାଠି ହେଲେ ଏବଂ ଧର୍ମେନ୍ଦ୍ର କଣ ପାଇଁ ଏୟାରପୋର୍ଟରେ ଥିଲେ ସେ ନେଇ ବିଭିନ୍ନ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା।