ନିର୍ମାଣ ହେବ ୧୨ଶହ ଚେକ ଡ୍ୟାମ, ଖର୍ଚ୍ଚ ହେବ ୧୧୧ କୋଟି ଟଙ୍କା, ୩୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

Published: May 18, 2022, 11:14 pm IST

ଭୁବନେଶ୍ୱର: ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୩୨ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସେଥିରେ ରହିଛି ଆସନ୍ତା ୩ବର୍ଷରେ ନିର୍ମାଣ ହେବ ୧୨୮୦ ଚେକ ଡ୍ୟାମ। ଏଥିପାଇଁ ଖର୍ଚ୍ଚ ହେବାକୁ ଥିବା ୧୧୧କୋଟି ଟଙ୍କାକୁ ଆଜି କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି। ସେହିପରି ଏହି ବୈଠକରେ ଜଳ ସେଚନ ସହ ଭୂତଳ ଜଳସ୍ତର ବୃଦ୍ଧି ପାଇଁ ଯୋଜନା ମଧ୍ୟ କରାଯାଇଛି ।

ଏହି ବୈଠକରେ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ପ୍ରଦାନ କରାଯାଇଛି। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୧୨ନୂଆ ଗାଁର ୫,୫୫୦ହେକ୍ଟର ଜମି ଜଳସେଚିତ ହୋଇପାରିବ। ଏଥିପାଇଁ ବ୍ୟ ଅଟକଳ ରଖାଯାଇଛି ୧୮୫କୋଟି ଟଙ୍କା।

କ୍ୟାବିନେଟ ବୈଠକ ପରେ ମୁଖ୍ୟ ଶାସନ ସଚିବ କହିଥିଲେ ଯେ, ରାଜ୍ୟ ସରକାର ୨୦୨୪ ସୁଦ୍ଧା ପ୍ରତ୍ୟେକ ଗାଁରେ ସବୁ ଘରକୁ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି।  ସେଥିପାଇଁ କ୍ୟାବିନେଟ ମୟୂରଭଂଜ ଜିଲ୍ଲାରେ ମେଗା ପ୍ରକଳ୍ପକୁ ମଂଜୁରୀ ଦେଇଛନ୍ତି। ଖୁଣ୍ଟା, ବଡ଼ସାହି, ଉଦଳା ଓ ଗୋପବନ୍ଧୁ ନଗର ବ୍ଲକର ୬୨ ଗ୍ରାମପଞ୍ଚାୟତ ଅନ୍ତର୍ଗତ ୪୮୪ଟି ଗାଁରେ ପାନୀୟ ଜଳ ଯୋଗାଇ ଦିଆଯିବ। ୩୭୭ କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ୱାରା ୩ ଲକ୍ଷ ୨୩ ହଜାରରୁ ଅଧିକ ଲୋକ ଉପକୃତ ହେବେ। ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପର ନିର୍ମାଣ କାମ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।

ସେହିପରି ବାରଙ୍ଗ ଅଞ୍ଚଳରେ ଟାଟା ପାୱାର ଅଧିକୃତ ଜମି ଇଡକୋକୁ ଫେରିଆସିବ ବୋଲି ନିଷ୍ପତି ହୋଇଛି। ୨୪ଘରୋଇ ଉଚ୍ଚ ପ୍ରାଥମିକ ସ୍କୁଲକୁ ମିଳିବ ସରକାରୀ ଅନୁଦାନ। ଏହାଦ୍ବାରା ୪୭ଜଣ ଶିକ୍ଷକ ଉପକୃତ ହେବେ। ଏଥିପାଇଁ ବର୍ଷକୁ ୬୮ଲକ୍ଷ ଖର୍ଚ୍ଚ ହେବ। ଜଳ ସମ୍ପଦ ବିଭାଗର ବିଭିନ୍ନ ପ୍ରସ୍ତାବ କ୍ୟାବିନେଟର ମୋହର ବାଜିଛି। ସେଥିରେ ରାଜ୍ୟରେ ୧ଲକ୍ଷ ନୂଆ ବୋରଓ୍ୱେଲ ଖନନ କରାଯିବ ବୋଲି ନିଷ୍ପତି ହୋଇଛି। ଆସନ୍ତା ୫ବର୍ଷରେ ୧ଲକ୍ଷ କ୍ଲଷ୍ଟର ବୋରଓ୍ୱେଲ ଯୋଜନା। ଖର୍ଚ୍ଚ ହେବ ୪ହଜାର ୧୯୮କୋଟି ଟଙ୍କା। ଏଥିରେ ୫ଲକ୍ଷ ହେକ୍ଟର ଜମି ହେବ ଜଳସେଚିତ ହେବ ବୋଲି କୁହାଯାଇଛି।

Related posts