କରୋନାରେ ବେସାହାରା ହୋଇପଡିଥିବା ପିଲାଙ୍କୁ ମିଳିଲା ପିଏମ କେୟାର୍ସ

Published: May 30, 2022, 1:25 pm IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନାର ଲାଭ ହସ୍ତାନ୍ତର କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଶ୍ରୀମତୀ ସ୍ମୃତି ଇରାନୀଙ୍କ ସମେତ କେନ୍ଦ୍ର ମନ୍ତ୍ରିମଣ୍ଡଳର ଅନେକ ସଦସ୍ୟ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଏହି କାର୍ଯ୍ୟକ୍ରମ ସହ ଯୋଡ଼ି ହୋଇଥିଲେ।

ସମାରୋହକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କରୋନା ମହାମାରୀରେ ନିଜ ପ୍ରିୟଜନଙ୍କୁ ହରାଇଥିବା ପିଲାମାନଙ୍କ ଜୀବନର ସବୁଠୁ ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ସେମାନଙ୍କ ପ୍ରତି ସହାନୁଭୂତି ପ୍ରକଟ କରିଥିଲେ। ସବୁଦିନ ଏକ ନୂଆ ସଂଘର୍ଷ, ଏକ ନୂଆ ଆହ୍ୱାନ ଆସିଥାଏ, ଆଜି ଆମ ସହ ଯେଉଁ ପିଲାମାନେ ରହିଛନ୍ତି, ଯେଉଁମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି, ସେମାନଙ୍କର ଯନ୍ତ୍ରଣା ଶବ୍ଦରେ ପ୍ରକାଶ କରିବା ସମ୍ଭବ ନୁହେଁ, ଭାବବିହ୍ୱଳ ହୋଇ ପ୍ରଧାନମନ୍ତ୍ରୀ ପିଲାମାନଙ୍କ ଉଦ୍ଦେଶ୍ୟରେ କହିଥିଲେ। ପିଲାମାନଙ୍କୁ ସେ କହିଥିଲେ ଯେ, ଜଣେ ପ୍ରଧାନମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ପରିବାରର ସଦସ୍ୟ ଭାବେ ସେ ଏ କଥା କହୁଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘‘ଏଭଳି ପରିସ୍ଥିତିରେ, କରୋନା ମହାମାରୀ କାରଣରୁ ନିଜ ମାତା ଓ ପିତାଙ୍କୁ ହରାଇଥିବା ପିଲାମାନଙ୍କ ଯନ୍ତ୍ରଣା ଦୂର କରିବା ଲାଗି ପିଲାଙ୍କ ଲାଗି ପିଏମ କେୟାର୍ସ ଯୋଜନା ଏକ ଛୋଟିଆ ପ୍ରୟାସ। ପ୍ରତ୍ୟେକ ଦେଶବାସୀ ସର୍ବାଧିକ ସମ୍ବେଦନଶୀଳତାର ସହିତ ଆପଣମାନଙ୍କ ସହିତ ରହିଛନ୍ତି, ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନା ଏହାର ଏକ ପ୍ରତିଫଳନ।’’ ଏହି ଅବସରରେ ପ୍ରଧାନମନ୍ତ୍ରୀ ସୂଚନା ଦେଇ କହିଥିଲେ ଯେ, ଯଦି ଉଚ୍ଚ ଶିକ୍ଷା କିମ୍ବା ବୃତ୍ତିଗତ ଶିକ୍ଷା ପାଇଁ କେହି ପିଲା ଯଦି ଶିକ୍ଷା ଋଣ ଚାହୁଁଛନ୍ତି, ତା’ହେଲେ ପିଏମ କେୟାର୍ସ ସେଥିରେ ମଧ୍ୟ ସହାୟତା ଯୋଗାଇ ଦେବ।

ଅନ୍ୟାନ୍ୟ ଦୈନିକ ଆବଶ୍ୟକତା ପାଇଁ, ଅନ୍ୟ ଯୋଜନାଗୁଡ଼ିକ ମାଧ୍ୟମରେ ମାସିକ ୪ ହଜାର ଟଙ୍କାର ସହାୟତା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହାଛଡ଼ା ପିଲାମାନେ ୨୩ ବର୍ଷ ବୟସରେ ଉପନୀତ ହେବା ପରେ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯିବ। ପିଲାମାନଙ୍କୁ ଆୟୁଷ୍ମାନ କାର୍ଡ ଜରିଆରେ ସ୍ୱାସ୍ଥ୍ୟ ବୀମା ସୁରକ୍ଷା ମଧ୍ୟ ମିଳିବ। ମାନସିକ ଏବଂ ଭାବନାତ୍ମକ ସହାୟତା ପାଇଁ ସମ୍ବାଦ ହେଲ୍ପଲାଇନ ଜରିଆରେ ଭାବନାତ୍ମକ ପରାମର୍ଶ ମଧ୍ୟ ଯୋଗାଇ ଦିଆଯିବ।

ମହାମାରୀର ସବୁଠୁ ଯନ୍ତ୍ରଣାଦାୟକ ପ୍ରଭାବକୁ ସାହସର ସହିତ ସମ୍ମୁଖିନ ହେଉଥିବା ପିଲାମାନଙ୍କୁ ପ୍ରଧାନମନ୍ତ୍ରୀ ସଲାମ୍ କରିଥିଲେ। ଏଥିସହିତ ସେ କହିଥିଲେ ଯେ ଜୀବନର ସବୁଠୁ ପ୍ରିୟ ଅଭିଭାବକଙ୍କୁ ହରାଇବାର କ୍ଷତିକୁ କୌଣସି ପ୍ରକାରରେ ଭରଣା କରାଯାଇ ପାରିବ ନାହିଁ । ଏହି ସଙ୍କଟପୂର୍ଣ୍ଣ ମୁହୂର୍ତ୍ତରେ ଆପଣମାନଙ୍କ ଭଳି ସବୁ ସନ୍ତାନଙ୍କ ସହିତ ମା’ ଭାରତୀ ଛିଡ଼ା ହୋଇ ରହିଛି । ପିଲାଙ୍କ ପାଇଁ ପିଏମ କେୟାର୍ସ ଯୋଜନା ଜରିଆରେ ଦେଶ ନିଜର ଉତ୍ତରଦାୟିତ୍ୱ ନିର୍ବାହ କରିବା ଲାଗି ପ୍ରୟାସ କରୁଛି ବୋଲି ସେ କହିଥିଲେ।

ମହାମାରୀ ସମୟରେ ବିଭିନ୍ନ ବର୍ଗର ଲୋକମାନେ ପ୍ରଦର୍ଶିତ କରିଥିବା ଅନୁକମ୍ପା ବିଷୟରେ ପ୍ରଧାନମନ୍ତ୍ରୀ କହିଥିଲେ। ପ୍ରଭାବିତ ଲୋକମାନଙ୍କ କଲ୍ୟାଣ ପାଇଁ ଯୋଗଦାନ ଦେଇଥିବା ଲୋକମାନଙ୍କୁ ସେ ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, କରୋନା ମହାମାରୀ ସମୟରେ ଡାକ୍ତରଖାନା ପ୍ରସ୍ତୁତ କରିବା, ଭେଣ୍ଟିଲେଟର କିଣିବା ଏବଂ ଅକ୍ସିଜେନ ପ୍ଲାଣ୍ଟ ବସାଇବାରେ ଏହି ପାଣ୍ଠି ବିଶେଷ ସହାୟକ ହୋଇଥିଲା। ଏହି କାରଣରୁ ବହୁ ସଂଖ୍ୟାରେ ଜୀବନ ରକ୍ଷା କରାଯାଇ ପାରିଲା ଏବଂ ଭବିଷ୍ୟତରେ ଆହୁରି ଅନେକ ପରିବାରକୁ ରକ୍ଷା କରାଯାଇ ପାରିବ।

ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି କହିଥିଲେ ଯେ, ହତାଶାର ସବୁଠୁ ଅନ୍ଧକାରମୟ ସମୟରେ, ଯଦି ଆମେ ନିଜ ଉପରେ ବିଶ୍ୱାସ ରଖିବା, ତା’ହେଲେ ନିଶ୍ଚିତ ଭାବେ ଆଶାର ଏକ ଆଲୋକ ଦେଖାଯିବ। ସେ କହିଥିଲେ ଯେ ଆମ ଦେଶର ଏହାର ସବୁଠୁ ବଡ଼ ଉଦାହରଣ। ହତାଶାକୁ ବିଫଳତାରେ ପରିଣତ ହେବାକୁ ନଦେବା ଲାଗି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଗୁରୁଜନ ଓ ସେମାନଙ୍କ ଶିକ୍ଷକଙ୍କ ଉପଦେଶ ଶୁଣିବା ଲାଗି ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏଭଳି କଷ୍ଟକର ସମୟରେ, ଭଲ ପୁସ୍ତକ ଆପଣମାନଙ୍କର ଭରସାଯୋଗ୍ୟ ବନ୍ଧୁ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ନିରୋଗ ରହିବା ସହିତ ଖେଲୋ ଇଣ୍ଡିଆ ଓ ଫିଟ୍ ଇଣ୍ଡିଆ ଅଭିଯାନରେ ସମ୍ପୃକ୍ତ ହେବା ଓ ନେତୃତ୍ୱ ନେବା ଲାଗି ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଥିଲେ।

ପ୍ରଧାନମନ୍ତ୍ରୀ ସେମାନଙ୍କୁ ଯୋଗ ଦିବସରେ ଅଂଶଗ୍ରହଣ କରିବାକୁ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ନକାରାତ୍ମକ ପରିବେଶରେ ଭାରତ ନିଜ ସାମର୍ଥ୍ୟ ଉପରେ ଭରସା କରିଛି । ‘‘ଆମେ ଆମ ବୈଜ୍ଞାନିକ, ଡାକ୍ତର ଏବଂ ଆମର ଯୁବପିଢ଼ି ଉପରେ ବିଶ୍ୱାସ ରଖିଛୁ। ବିଶ୍ୱ ପାଇଁ ଏକ ଚିନ୍ତା ନୁହେଁ, ବରଂ ଏକ ଆଶାର କିରଣ ହୋଇ ଆମେ ଆଗକୁ ଆସିଛୁ। ଆମେ ଏକ ସମସ୍ୟା ନୁହେଁ, ବରଂ ସମାଧାନ ପ୍ରଦାନକାରୀ ଭାବେ ଉଭା ହୋଇଛୁ। ସାରା ବିଶ୍ୱକୁ ଆମେ ଔଷଧ, ଟିକା ପଠାଇଛୁ । ଏତେ ବଡ଼ ଜନସଂଖ୍ୟା ବିଶିଷ୍ଟ ଦେଶ ହୋଇଥିଲେ ସୁଦ୍ଧା, ସବୁ ନାଗରିକଙ୍କ ନିକଟରେ ଆମେ ଟିକା ପହଞ୍ଚାଇଛୁ,’’ ସେ କହିଥିଲେ । ଆମ ଦେଶ ଏକ ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥବ୍ୟବସ୍ଥା ଭାବେ ଅଗ୍ରସର ହେଉଛି ଏବଂ ସାରା ବିଶ୍ୱ ଆମକୁ ଏକ ନୂଆ ଆଶା ଓ ବିଶ୍ୱାସର ଦୃଷ୍ଟିରେ ଚାହିଁ ରହିଛି, ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ ଖୁସି ବ୍ୟକ୍ତ କରି କହିଥିଲେ ଯେ, ଆଜି, ଯେତେବେଳେ ଆମ ସରକାର ୮ ବର୍ଷ ପୂରଣ କରୁଛି, ଦେଶର ଆତ୍ମବିଶ୍ୱାସ ଓ ଦେଶବାସୀଙ୍କ ଆତ୍ମବିଶ୍ୱାସ ଏକ ଅଭୂତପୂର୍ବ ସ୍ଥିତିରେ ରହିଛି। ୨୦୧୪ ପୂର୍ବରୁ ଦେଶ କୋଟି କୋଟି ଟଙ୍କାର ଦୁର୍ନୀତି ଓ ଭ୍ରଷ୍ଟାଚାର, ପରିବାରବାଦ, ଦେଶବ୍ୟାପୀ ଆତଙ୍କବାଦୀ ସଂଗଠନର ପ୍ରଭାବ ଏବଂ ଆଞ୍ଚଳିକ ଭେଦଭାବରେ ଛନ୍ଦି ହୋଇ ରହିଥିଲା । ଏବେ ସେହି ଦୁଷ୍ଟ ଚକ୍ର କବଳରୁ ଦେଶ ମୁକ୍ତ ହୋଇସାରିଛି । ‘‘ପିଲାମାନେ ଏହା ମଧ୍ୟ ଆପଣମାନଙ୍କ ପାଇଁ ଏକ ଉଦାହରଣ ଯେ ଦିନେ ନା ଦିନେ ସବୁଠୁ ଖରାପ ଦିନ ବିତିଯିବ’’, ସେ କହିଥିଲେ ।

ସ୍ୱଚ୍ଛ ଭାରତ ମିଶନ, ଜନ ଧନ ଯୋଜନା କିମ୍ବା ହରଘର ଜଲ ଅଭିଯାନ ଏସବୁ କଲ୍ୟାଣମୂଳକ ଯୋଜନା ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ ନୀତିରେ ଆଗକୁ ବଢ଼ୁଛନ୍ତି । ବିଗତ ୮ ବର୍ଷ ଗରିବଙ୍କ କଲ୍ୟାଣ ଓ ସେବା ପାଇଁ ସମର୍ପିତ ହୋଇ ରହି ଆସିଛି ବୋଲି ସେ କହିଥିଲେ । ‘‘ପରିବାରର ଏକ ସଦସ୍ୟ ଭାବେ, ଆମେ ଦେଶର ଗରିବ ମାନଙ୍କ କଷ୍ଟ ଦୂର କରିବା ଏବଂ ସେମାନଙ୍କ ଜୀବନକୁ ସହଜ କରିବା ଲାଗି ପ୍ରୟାସ କରିଛୁ’’, ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ଯେ ପ୍ରଯୁକ୍ତିର ବର୍ଦ୍ଧିତ ଉପଯୋଗ ଜରିଆରେ, ସରକାର ଗରିବଙ୍କ ହକ୍ ସୁନିଶ୍ଚିତ କରିଛନ୍ତି । ଏବେ ସବୁଠୁ ଦରିଦ୍ରତମ ଲୋକ ଲାଭ ପାଇବା ନେଇ ଦୃଢ଼ବିଶ୍ୱାସୀ ହୋଇ ରହିଛି, ସେମାନଙ୍କୁ ଲଗାତାର ଭାବେ ଯୋଜନାର ଲାଭ ମିଳୁଛି । ଏହି ବିଶ୍ୱାସ ବଢ଼ାଇବା ଲାଗି ଆମ ସରକାର ଏବେ ୧୦୦% ସଶକ୍ତିକରଣ ପାଇଁ ଅଭିଯାନ ଚଳାଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୮ ବର୍ଷ ମଧ୍ୟରେ ଭାରତ ଯେଉଁ ସଫଳତା ହାସଲ କରିଛି, ସେ ସମ୍ପର୍କରେ କେହି କେବେ କଳ୍ପନା କରିପାରି ନଥିଲେ । ଆଜି ସାରା ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି ପାଇଛି, ବିଶ୍ୱ ମଞ୍ଚରେ ଭାରତର ଶକ୍ତି ବଢ଼ିଛି । ଭାରତର ଏହି ଯାତ୍ରାକୁ ଭାରତର ଯୁବପିଢ଼ି ଆଗେଇ ନେଉଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ । ‘‘ନିଜର ସ୍ୱପ୍ନ ପୂରଣ କରିବା ଦିଗରେ ନିଜ ଜୀବନକୁ ସମର୍ପି ଦିଅ, ତାହା ନିଶ୍ଚିତ ଭାବେ ସାକାର ହୋଇପାରିବ’’, ପ୍ରଧାନମନ୍ତ୍ରୀ କହିଥିଲେ ।

Related posts