ଓଡିଶା କଂଗ୍ରେସର ଆରମ୍ଭ ହେଲା ମିଶନ ୨୦୨୪, ଭୁବନେଶ୍ବରରେ ହେବ ନବସଂକଳ୍ପ ଶିବିର

Published: May 30, 2022, 10:24 pm IST

ଭୁବନେଶ୍ୱର: ଓଡିଶା କଂଗ୍ରେସରେ ନୂଆ ମଙ୍ଗୁଆଳ ଆସିବା ପରେ ଆରମ୍ଭ ହୋଇଯାଇଛି ମିଶନ ୨୦୨୪। ସେଥିପାଇଁ କଂଗ୍ରେସ ତରଫରୁ ଏବେଠାରୁ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ। ନିକଟରେ ରାଜସ୍ଥାନର ଉଦୟପୁରରେ ଆୟୋଜିତ ହୋଇଥିଲା ନବ ସଂକଳ୍ପ ଶିବିର। ସେହି ଶିବିରରେ ନିଷ୍ପତି ହୋଇଥିଲା ସବୁ ରାଜ୍ୟରେ ଏହିପରି କାର୍ଯ୍ୟକ୍ରମ କରାଯିବ। ସେଥିପାଇଁ ଆସନ୍ତା ଜୁନ ୧ ତାରିଖ ବୁଧବାର ଓ ୨ ତାରିଖ ଗୁରୁବାର ଦୁଇଦିନ ବ୍ୟାପି ରାଜ୍ୟ କଂଗ୍ରେସ ଆରମ୍ଭ କରୁଛି ଶିବିର।

ଭୁବନେଶ୍ୱର ୟୁନିଟ-୪ ସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଇଞ୍ଜିନିୟରସ୍ ସଭା ଗୃହରେ କରାଯିବ। ଏହି ଶିବିର ବୁଧବାର ସକାଳ ୯ ଟା ୩୦ ସମୟରେ ପ୍ରଦେଶ କଂଗ୍ରେସ କମିଟି ନବ ନିଯୁକ୍ତ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା ପ୍ରଭାରୀ ଡ. ଏ ଚେଲା କୁମାର, ଅଖିଳ ଭାରତ କଂଗ୍ରେସ କମିଟି ସଂପାଦକ ଶ୍ରୀ ଜି.ରୁଦ୍ର ରାଜୁ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ବୁଧବାର ବୈଠକରେ ସମସ୍ତ କଂଗ୍ରେସ ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ବିଧାୟକ, ପୂର୍ବତନ ପିସିସି ସଭାପତି, ୨୦୧୯ ସାଧାରଣ ନିର୍ବାଚନର ସାଂସଦ ଓ ବିଧାୟକ ପ୍ରାର୍ଥୀ, ଓଡ଼ିଶାରୁ ପ୍ରତିନିଧିତ୍ୱ କରୁଥିବା ଏଆଇସିସି କର୍ମକର୍ତା ଓ ପୂର୍ବତନ କର୍ମକର୍ତା, ପିସିସି କର୍ମକର୍ତା, ଜିଲ୍ଲା କଂଗ୍ରେସ ସଭାପତି, ରାଜ୍ୟ ସାମୁଖ୍ୟ, ପ୍ରକୋଷ୍ଠ ଓ ବିଭାଗର ମୁଖ୍ୟମାନେ ଯୋଗଦେବେ ।

ସେହିଭଳି ଗୁରୁବାର ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି ସଂପାଦକ (ଓଡ଼ିଶା), ଜିଲ୍ଲା କଂଗ୍ରେସ ସଭାପତି, ବ୍ଲକ ଓ ନଗର କଂଗ୍ରେସ ସଭାପତି ମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛିି । ସେଥିପାଇଁ ସମସ୍ତ ନେତୃବୃନ୍ଦଙ୍କୁ ପତ୍ରମାଧ୍ୟମରେ ଜଣାଇ ଦିଆଯାଇଛି ।

Related posts