ଆସନ୍ତାକାଲି ରାଜ୍ୟ ମନ୍ତ୍ରୀମଣ୍ଡଳର ଶପଥ ଗ୍ରହଣ , ନୂଆ ମନ୍ତ୍ରୀଙ୍କୁ ନବୀନ କଲେ ଫୋନ

Published: Jun 4, 2022, 6:14 pm IST

ଭୁବନେଶ୍ୱର: ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ବୋଲି ନିଶ୍ଚିତ ହୋଇଛି। ସେଥିପାଇଁ ଆଜି ରାଜ୍ୟ ମନ୍ତ୍ରୀ ମଣ୍ଡଳର ସମସ୍ତ ମନ୍ତ୍ରୀ ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ତଥ୍ୟ ଅନୁସାରେ ଆସନ୍ତାକାଲି ରବିବାର ଦିନ ୧୧.୪୫ ମିନିଟରେ ରାଜ୍ୟର ନୂତନ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ।

ରାଜଭବନରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି । ଯେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ ସେମାନଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ଫୋନ୍ ଯିବା ଆରମ୍ଭ ହୋଇଛି । ଏହାସହ ସମସ୍ତଙ୍କୁ ଭୁବନେଶ୍ୱର ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବିଧାୟକ ଅତନୁ ସବ୍ୟସାଚୀ ନାୟକ, ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ଫୋନ୍ ଯାଇଛି। ସେହିପରି ଲତିକା ପ୍ରଧାନ, ବାସନ୍ତୀ ହେମ୍ବ୍ରମ୍, ମନୋହର ରାନ୍ଧାରୀ ,ପ୍ରଦୀପ ଅମାତ, ରୋହିତ ପୂଜାରୀଙ୍କୁ ବି ଫୋନ୍ କଲ୍ ଯାଇଥିବା ଜଣାପଡିଛି। ସେହିପରି ବାଚସ୍ପତି ପଦରୁ ମଧ୍ୟ ସୂର୍ଯ୍ୟନାରାୟଣ ପାତ୍ର ଇସ୍ତଫା ଦେଇଛନ୍ତି।

ସୁତ୍ର ଅନୁସାରେ ଏଥର ନବୀନ ଉଷା ଦେବୀଙ୍କୁ ବାଚସ୍ପତି କରିପାରନ୍ତି ବୋଲି ଚର୍ଚ୍ଚା ଚାଲିଛି।

ଆଜି ସକାଳୁ ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟଙ୍କୁ ଇସ୍ତଫା ଦେବାକୁ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ କୁହାଯିବା ପରେ ଜଣକ ପରେ ଜଣେ ମନ୍ତ୍ରୀ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ପୂର୍ବରୁ ୪ ପାଳି ମୁଖ୍ୟମନ୍ତ୍ରୀତ୍ୱରେ ମନ୍ତ୍ରିମଣ୍ଡଳ ପରିବର୍ତନ ସମୟରେ ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହୁଥିଲେ ନବୀନ। ମାତ୍ର ଏଥର ମନ୍ତ୍ରିମଣ୍ଡଳ ପୁର୍ନଗଠନରେ ମୁଖ୍ୟମନ୍ତ୍ରୀ ଏକ ନୂତନ ଶୈଳୀ ଆପଣାଇଛନ୍ତି। ଏଥର ଏକସଙ୍ଗେ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କହି ସମସ୍ତଙ୍କୁ ଚକିତ କରିଛନ୍ତି।

Related posts