ରୋମରେ ସାରା ବିଶ୍ବକୁ ନବୀନ ବାଣ୍ଟିଲେ ଓଡ଼ିଶାର ସଫଳତା, ଜାତିସଂଘ କଲା ଉଚ୍ଚ ପ୍ରଶଂସା

Published: Jun 24, 2022, 7:07 pm IST

ରୋମ / ଭୁବନେଶ୍ୱର: ଆଜି ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (WFP) ମୁଖ୍ୟାଳୟରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶା ଖାଦ୍ୟ ସଂଙ୍କଟରୁ କିପରି ମୁକୁଳି ବଳକା ରାଜ୍ୟରେ ପରିଣତ ହୋଇଛି ସେ ନେଇ ବକ୍ତବ୍ୟ ରଖିଛନ୍ତି। WFP ର ନିମନ୍ତ୍ରଣ କ୍ରମେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ରୋମରେ ଅଛନ୍ତି ଏବଂ ଏହାର ମୁଖ୍ୟାଳୟ ପରିଦର୍ଶନ କରିବା ସହ ରାଜ୍ୟର ପରିବର୍ତ୍ତନମୂଳକ ପଦକ୍ଷେପ ସାରା ବିଶ୍ବକୁ ଅବଗତ କରାଇଛନ୍ତି।

ସେ WFP କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସ୍ଲି ଏବଂ WFP ର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ନବୀନ ବିସ୍ତୁତ ତଥ୍ୟ ପ୍ରଦାନ କରିଥିଲେ। ବର୍ତ୍ତମାନ WFP ଏବଂ ଓଡିଶା ସରକାରଙ୍କ ମିଳିତ ସହଯୋଗରେ ରାଜ୍ୟରୁ କ୍ଷୁଧା ଦୂର କରିବା ପାଇଁ ଯେଉଁ କାର୍ଯ୍ୟକ୍ରମ ଚାଲିଛି ତା ଉପରେ ସେ ନିଜର ମତ ରଖିଥିଲେ।

“ଗତ ଦୁଇ ଦଶନ୍ଧି ମଧ୍ୟରେ ଖାଦ୍ୟ ଉତ୍ପାଦନ, ଖାଦ୍ୟ ନିରାପତ୍ତା, ଜୀବିକା ନିର୍ବାହ, ବିପର୍ଯ୍ୟୟ ପରିଚାଳନା ଇତ୍ୟାଦି କ୍ଷେତ୍ରରେ ଓଡିଶା ଏକ ପରିବର୍ତ୍ତନଶୀଳ ଯାତ୍ରା ଦେଇ ଗତି କରିଛି। ଖାଦ୍ୟ ପର୍ଯ୍ୟାପ୍ତତା ହାସଲ କରିବା, ପରିବର୍ତ୍ତିତ ଜଳବାୟୁରେ ଜୀବିକା ଏବଂ ପୁଷ୍ଟିକର ଖାଦ୍ୟ ସୃଷ୍ଟି ପାଇଁ ପରିକଳ୍ପିତ ବୃହତ ବିକାଶମୂଳକ କାର୍ଯ୍ୟକ୍ରମ ଆରମ୍ଭ କରିବା କଥା କହିଥିଲେ।  ରାଜ୍ୟ ସହଭାଗୀତା ଉପରେ ଧ୍ୟାନ ଦେଇ ନିରନ୍ତର ବିକାଶ ଲକ୍ଷ୍ୟ ଦିଗରେ କ୍ରମାଗତ ଭାବରେ ଗତି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, WFP ଏବଂ ଏହାର ସହଯୋଗୀ ସଂସ୍ଥା ମାଧ୍ୟମରେ ବିଶ୍ବରେ ଆମର ଅଭିଜ୍ଞତା ବାଣ୍ଟିବା ଆମ ପାଇଁ ଖୁସିର ବିଷୟ। ଓଡିଶାର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ଏବଂ ଭାରତରେ WFP ସହଭାଗିତାରେ ରାଜ୍ୟ କରୁଥିବା ଅଭିନବ କାର୍ଯ୍ୟ ଉପରେ ଆମର ଭାବନା ବାଣ୍ଟିବା ଅତ୍ୟନ୍ତ ଆନନ୍ଦଦାୟକ ବିଷୟ ବୋଲି ମୁଖ୍ୟମନ୍ତ୍ରୀ ଖୁସି ପ୍ରକଟ କରିଛନ୍ତି।

ଓଡ଼ିଶାରେ ଜୀବିକା ନିର୍ବାହ ଏବଂ ଖାଦ୍ୟ ନିରାପତ୍ତାକୁ ଦୃଢ କରିବା ପାଇଁ ଆମର ମିଳିତ ଲକ୍ଷ୍ୟ, ବିଶେଷକରି ମହିଳାମାନଙ୍କ ପାଇଁ ଅନ୍ତର୍ଭୂକ୍ତ ବିକାଶ ତଥା ନୂତନ ଅର୍ଥନୈତିକ ସୁଯୋଗକୁ ସମର୍ଥନ କରିବା ପାଇଁ ବହୁ ଉଚ୍ଚକୋଟୀର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଜିରୋ କ୍ଷୁଧା ଏବଂ ଅନ୍ୟାନ୍ୟ ଜାତିସଂଘର ସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲ କରିବାରେ ଆମର ସହଯୋଗ କିପରି ଓଡିଶାର ଅଗ୍ରଗତି କରିବାରେ ସାହାଯ୍ୟ କରୁଛି ତାହା ଦେଖିବା ଉତ୍ସାହଜନକ ବୋଲି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବିସ୍ଲି କହିଛନ୍ତି।

ବିପର୍ଯ୍ୟୟ ପରିଚାଳନା, ଖାଦ୍ୟ ଉତ୍ପାଦନ ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ଓଡିଶା ରାଜ୍ୟ ସରକାରଙ୍କ ପରିବର୍ତ୍ତନଶୀଳ କାର୍ଯ୍ୟକୁ ଆମେ ସ୍ୱୀକୃତି ଦେଉଛୁ ଏବଂ ପ୍ରଶଂସା କରୁଛୁ। ଓଡିଶାର ସଫଳତାର କାହାଣୀ ଅନ୍ୟାନ୍ୟ ସମାନ ଦେଶ ପାଇଁ ଶିକ୍ଷଣୀୟ ଜ୍ଞାନ ପ୍ରଦାନ କରିପାରିବ ବୋଲି ସେ କହିଛନ୍ତି।

ଆଜି ଆମେ ଆଲୋଚନା କରିଛୁ ଯେ ଏହି ଶିକ୍ଷା ଆଗକୁ ନେବ ଏବଂ ଏକ ବିଶ୍ୱସ୍ତରୀୟ ତାଲିମ ପ୍ଲାଟଫର୍ମ ଯୋଗାଇବା ପାଇଁ ଓଡ଼ିଶା ସରକାର ଏବଂ WFP ସହଯୋଗ କରିବେ। ବିଭିନ୍ନ କ୍ଷେତ୍ରରେ WFP ସହ ସହଭାଗିତା ପାଇଁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି ଯାହା କେବଳ ରାଜ୍ୟରେ ପ୍ରଭାବଶାଳୀ ନୁହେଁ ବରଂ ଜାତୀୟ ସ୍ତରରେ ମଧ୍ୟ ବୃଦ୍ଧି ପାଇଛି।

ରୋମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମିଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସହକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୋଜ ଜୁନାଜା, WFPର ଭାରତ ମୁଖ୍ୟ ବିଶୋ ପାରାଜୁଲି ଏବଂ WFPର ଓଡିଶା ମୁଖ୍ୟ ହିମାଂଶୁ ବଳ ମଧ୍ୟ ଉପସ୍ଥିତ ଥିଲେ।  ଆଲୋଚନା ସମୟରେ 5 ଟି ସଚିବ ଭି କେ ପାଣ୍ଡିଆନ୍, ମୁଖ୍ୟ ଶାସନ ସଚିବ ଖାଦ୍ୟ ଏବଂ ସାଧାରଣ ବଣ୍ଟନ ବିଭାଗର ପ୍ରମୁଖ ସଚିବ ଭି ଭି ଯାଦବ, ରେସିଡେଣ୍ଟ କମିଶନର ରବିକାନ୍ତ ଉପସ୍ଥିତ ଥିଲେ।

WFP ଏବଂ ଓଡିଶା ସରକାର 2021 ମସିହାରେ ଚାରୋଟି ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ସେଥିରେ ଛଅଟି ନୂତନ ପ୍ରକଳ୍ପ ଆରମ୍ଭ କରାଯାଇଛି। ସେଥିମଧ୍ୟରେ ରହିଛି ପବ୍ଲିକ୍ ବିତରଣ ସିଷ୍ଟମ୍ ଏବଂ ଧାନ କ୍ରୟ, ଶସ୍ୟ ଏଟିଏମ୍ ଏବଂ ସ୍ମାର୍ଟ ମୋବାଇଲ୍ ଷ୍ଟୋରେଜ୍ ୟୁନିଟ୍ ଏବଂ ପୁଷ୍ଟିକର ସୁରକ୍ଷା ଯୋଜନା, ଓଡ଼ିଶା ମିଲେଟ ମିଶନ ସହିତ ପ୍ରୋଗ୍ରାମ ମନିଟରିଂ ସହଭାଗୀତା, ମତ୍ସ୍ୟଚାଷ ସହିତ  ଏବଂ ପଶୁ ସମ୍ପଦ ବିକାଶ ଏବଂ ମିଶନ ଶକ୍ତି କାର୍ଯ୍ୟକ୍ରମ ରହିଛି। ସେହିପରି ମିଶନ ଶକ୍ତି ମାଧ୍ୟମରେ ସାତ ଲକ୍ଷ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କାର୍ଯ୍ୟକ୍ରମ ରହିଛି।

Related posts