ନୂଆଦିଲ୍ଲୀ: ଶେଷ ହେଲା ମହାରାଷ୍ଟ୍ରର ମହାନାଟକ। ପ୍ରାୟ ଏକ ସପ୍ତାହ ଧରି ଚାଲିଥିବା ରାଜନୈତିକ ଅଶାନ୍ତିର ଅନ୍ତ ଘଟିଛି। ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ସେହିପରି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ମଧ୍ୟ ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗୁରୁବାର ସନ୍ଧ୍ୟାରେ ରାଜଭବନରେ ରାଜ୍ୟପାଳ ଭଗତ ସିଂ କୋଶାରି ଶପଥ ପାଠ କରାଇଥିଲେ।
ମହାରାଷ୍ଟ୍ରର ରାଜନୈତିକ ଅସ୍ତିରତା ଚରମ ସୀମାରେ ପହଞ୍ଚିଥିଲା। ଉଦ୍ଦବ ଠାକରେ ତାଙ୍କର ପଦବୀ ସୁରକ୍ଷିତ ରଖିବା ସହଜ ହୋଇନଥିଲା। ଏପରିକି ରାଜ୍ୟରେ ଶାସନ ଭାର କିଏ ଗ୍ରହଣ କରିବ ସେ ନେଇ ସମସ୍ତେ ସନ୍ଦେହରେ ଥିଲେ।
ହେଲେ ଏକ ଅପ୍ରତ୍ୟାଶିତ ଘଟଣାରେ ଫଡନାଭିସ୍ ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରି ଏକନାଥ ସିନ୍ଦେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ବୋଲି ଘୋଷଣା କରିଥିଲେ। ସିନ୍ଦେ ଏବଂ ଫଡନାଭିସ୍ ରାଜଭବନରେ ରାଜ୍ୟପାଳ ଭାଗବତ ସିଂ କୋଶାରିଙ୍କୁ ଭେଟିବାକୁ ଯାଇ କିଛି ସମୟ ପରେ ଏହି ଘୋଷଣା କରାଯାଇଥିଲା।
ଏହାପରେ ସମସ୍ତେ ନିଶ୍ଚିତ ହେଲେ ଯେ, ବିଜେପି ସମର୍ଥନରେ ସିନ୍ଦେ ଶାସନ କରିବେ। ଏହାପରେ ଅମିତ ସାହା ଟୁଇଟ କରି ଜଣାଇ ଦେଲେ ଯେ, ଫଡନାଭିସ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ହେବେ। ଫଳରେ ଉଭୟ ସିନ୍ଦେ ଏବଂ ଫଡନାଭିସ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।