ଏଣିକି ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଗଣା ଜଳଖିଆ,ରାଜ୍ୟ ସରକାର କଲେ ଘୋଷଣା

Published: Jul 27, 2022, 2:45 pm IST

ନୂଆଦିଲ୍ଲୀ : କେବଳ ମଧ୍ୟାହ୍ନ ଭୋଜନ ନୁହେଁ। ଏଥିସହିତ ସରକାରୀ ସ୍କୁଲ ଛାତ୍ରଛାତ୍ରୀଙ୍କୁ ସକାଳ ଜଳଖିଆ ମଧ୍ୟ ମାଗଣାରେ ପ୍ରଦାନ କରାଯିବ। ଏହି ଘୋଷଣା କରିଛନ୍ତି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ। ଆଜି ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି ଯେ, ଏ ନେଇ ଗତକାଲି ଏକ ବଡ ନିଷ୍ପତି କରାଯାଇଛି। ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା ପରେ ମୁଁ ଏହି ଫାଇଲରେ ଦସ୍ତଖତ କରିଛି। ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହା କେବଳ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ନିଷ୍ପତି ହୋଇଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣତଃ ପିଲାମାନେ ସ୍କୁଲ ଶିଘ୍ର ଆସିବା ପାଇଁ ସେମାନେ ଘରେ ସକାଳ ଜଳଖିଆ ଖାଇ ପାରନ୍ତି ନାହିଁ। ଏହାଦ୍ବାରା ଛାତ୍ରଛାତ୍ରୀଙ୍କ ମାନସିକ ତଥା ଶାରୀରିକ କ୍ଷେତ୍ରରେ ଅଭିବୃଦ୍ଧି ହୋଇପାରେ ନାହିଁ। ସେଥିପାଇଁ ତାହାକୁ ଦୃଷ୍ଟିରେ ରଖି ଏହି ନିଷ୍ପତି ଗ୍ରହଣ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ପିଲାମାନଙ୍କୁ ମନେ ପକାଇ ଦେଲେ ଯେ, ଏକଦା ତାମିଲନାଡୁ ରାଜ୍ୟ ହିଁ ପ୍ରଥମେ ସ୍କୁଲରେ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିଥିଲା। ମାଗଣାରେ ପିଲାମାନଙ୍କୁ ପାଠ ସହିତ ଖାଇବାକୁ ମଧ୍ୟ ଦେବାରେ ଆମ ରାଜ୍ୟ ପ୍ରଥମ ଥିଲା। ଏହାପରେ ସାରା ଦେଶରେ ଏହାକୁ ଲାଗୁ କରାଗଲା। ସେହିପରି ଏହି ସକାଳ ଜଳଖିଆ ମଧ୍ୟ ସାରା ଦେଶ ପାଇଁ ଏକ ଉଦାହରଣ ପାଲଟିବ ବୋଲି ଷ୍ଟାଲିନ କହିଛନ୍ତି।

Related posts