
କୋଲକାତା: ଆସନ୍ତାକାଲି ବୁଧବାରରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ଏକ ବଡ ଧରଣର ଅଦଳବଦଳ ହେବ। ଏ ନେଇ ସୂଚନା ଦେଇଛନ୍ତି ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସେ ଗଣମାଧ୍ୟମକୁ କହିଛନ୍ତି ଯେ, ବର୍ତ୍ତମାନ ନୂଆମନ୍ତ୍ରୀଙ୍କୁ ସାମିଲ ନ କଲେ ସବୁ କାମ ଏକା କରିବା ସମ୍ଭବ ନୁହେଁ। ସେଥିପାଇଁ କେତେକ ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ ସହିତ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବ।
ମମତା କହିଛନ୍ତି ଯେ ବର୍ତ୍ତମାନ ପାର୍ଥ ଚାଟାର୍ଜୀ ଇଡି ଦ୍ବାରା ଧରାପଡିବା ପରେ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରାଯାଇଛି। ପୂର୍ବରୁ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ ଏବଂ ସାଧନ ପାଣ୍ଡେଙ୍କ ପରଲୋକ ହୋଇଯାଇଛି। ତେଣୁ ସବୁ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଛି। ସେ ସବୁ କାମ ଏକକୀ କରିବା ସମ୍ଭବ ହୋଇପାରୁ ନ ଥିବାରୁ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ କରାଯିବ ବୋଲି ମମତା କହିଛନ୍ତି।
ସେହିପରି ସେ ସୂଚନା ଦେଇଛନ୍ତି ଯେ ପୁରା ମନ୍ତ୍ରୀ ମଣ୍ଡଳ ଭଙ୍ଗ କରିବାର କୌଣସି ଯୋଜନା ନାହିଁ। ସେପରି କରିବାର କିଛି ଆବଶ୍ୟକତା ପଡୁ ନାହିଁ। କାରଣ ବର୍ତ୍ତମାନ କେବଳ ନୂଆ ମନ୍ତ୍ରୀଙ୍କୁ ସାମିଲ କରିବାର ଆବଶ୍ୟକତା ରହିଛି। ଆଉ ପୁରୁଣା ମନ୍ତ୍ରୀଙ୍କ ବିଭାଗ ପରିବର୍ତ୍ତନ କରାଯିବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି ବୋଲି ମମତା କହିଛନ୍ତି।
ଅନ୍ୟପକ୍ଷରେ ମମତା ଏହି ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ରାଜ୍ୟର ଜିଲ୍ଲା ସଂଖ୍ୟା ବୃଦ୍ଧି ଘଟିଛି। ଅନେକ ଜିଲ୍ଲାରୁ କେହି ମନ୍ତ୍ରୀ ନାହାଁନ୍ତି ବୋଲି ବିଭିନ୍ନ ସମୟରେ ବିଧାୟକମାନେ ଦାବୀ କରୁଛନ୍ତି। ସେଥିପାଇଁ କିପରି ଭାବେ ବିଭିନ୍ନ ଜିଲ୍ଲାର ଗୁରୁତ୍ବ ରହିବ ସେଥିପାଇଁ ମଧ୍ୟ ନୂଆମନ୍ତ୍ରୀ ମଣ୍ଡଳ ଗଠନ ବେଳେ ବିଚାର କରାଯାଉଛି।
ଜେଲରେ ଥିବା ମମତା ମନ୍ତ୍ରୀ ମଣ୍ଡଳର ପାର୍ଥ ଚାଟାର୍ଜୀଙ୍କ ପାଖରେ ପାଞ୍ଚୋଟି ବିଭାଗ ରହିଥିଲା। ସେ ଶିଳ୍ପ, ଉଦ୍ୟୋଗ, ବାଣିଜ୍ୟ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଇଲଟ୍ରୋନିକ୍ସ ଏବଂ ସଂସଦୀୟ ମନ୍ତ୍ରୀ ଥିଲେ। ସେହିପରି ପରଲୋକ ଦୁଇ ମନ୍ତ୍ରୀଙ୍କ ହାତରେ ମଧ୍ୟ ପାଞ୍ଚୋଟି ବିଭାଗ ଥିଲା। ବର୍ତ୍ତମାନ ଏ ସବୁ ବିଭାଗ ମୁଖ୍ୟମନ୍ତ୍ରୀ ମମତାଙ୍କ ହାତରେ ଅଛି।