ପଦ୍ମପୁର ବିଧାୟକଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ଶ୍ରଦ୍ଧାଞ୍ଜଳୀ ଦେଲେ ପ୍ରଣବ ଦାସ

Published: Oct 3, 2022, 12:33 pm IST

ଭୁବନେଶ୍ବର: ବିଜେଡିର ପଦ୍ମପୁର ବିଧାୟକ ବିଜୟରଂଜନ ସିଂ ବରିହାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଏକ ବାର୍ତ୍ତାରେ କହିଛନ୍ତି ଯେ, ‘ପଦ୍ମପୁର ବିଧାୟକ ତଥା ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂହ ବରିହାଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଲୋକଙ୍କ କଲ୍ୟାଣ ପାଇଁ ଜନପ୍ରତିନିଧି ଭାବେ ସେ କରିଯାଇଥିବା କାର୍ଯ୍ୟ ସର୍ବଦା ସ୍ମରଣୀୟ ରହିବ। ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।’

ସେହିପରି ତାଙ୍କୁ ଶେଷ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଛନ୍ତି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ସେ ଦଳ ତରଫରୁ ଏହି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଛନ୍ତି। ଗତକାଲି ରାତିରେ ବରିହା ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ବିଜୟରଂଜନ ଗତ କିଛିଦିନ ଧରି ଅସୁସ୍ଥ ହୋଇ ଭୁବନେଶ୍ବରରେ ଚିକିତ୍ସିତ ହେଉଥିଲେ। ହେଲେ ଗତକାଲି ରାତିରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା। ସେ ବରଗଡ଼ ଜିଲ୍ଲା ପଦ୍ମପୁରରୁ ୫ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୦ରୁ୨୦୦୦ ଯାଏଁ ସେ ଜନତା ଦଳ ଟିକେଟରେ ଏହି ଆସନରୁ ବିଧାନସଭାକୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ।

ଏହା ପରେ ସେ ୨୦୦୦ ଏବଂ ୨୦୦୯ରେ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ରେ ସେ ବିଜେଡି ସରକାରରେ ମନ୍ତ୍ରୀ ହୋଇଥିଲେ। ତେବେ ୨୦୧୪ ବିଧାନସଭା ନିର୍ବାଚନରେ ତାଙ୍କୁ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କଠାରୁ ପରାଜୟ ବରଣ କରିବାକୁ ପଡ଼ିଥିଲା। ୨୦୧୯ ନିର୍ବାଚନରେ ବିଜୟ ରଂଜନ ସିଂହ ବରିହା ପୁଣି ପଦ୍ମପୁର ଆସନରୁ ବିଜେଡି ଟିକେଟରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Related posts