ବଙ୍ଗୋପସାଗରରେ ମହାବାତ୍ୟା ସମ୍ଭାବନା !!! ଭାରତୀୟ ପାଣିପାଗ ସଂସ୍ଥା ‘ନା’, ବିଦେଶୀ ସଂସ୍ଥା ‘ହଁ’

Published: Oct 12, 2022, 12:26 pm IST

ଭୁବନେଶ୍ବର: ଆସନ୍ତା ଅକ୍ଟୋବର 25 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହା ଯଦି ଶକ୍ତିଶାଳୀ ହୁଏ ତେବେ ମହାବାତ୍ୟାରେ ପରିଣତ ହେବ। ଏହିପରି ଏକ ଖବରକୁ ନେଇ ଗତ କିଛି ଦିନ ଧରି ସମସ୍ତଙ୍କୁ ବିଚଳିତ କରିଦେଇଛି। ପୁଣି ଥରେ କଣ 1999 ମହାବାତ୍ୟାର ପୁର୍ନାବୃତ୍ତି ହେବ କି ? ଏହି ଖବର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଖୋଳତାଡ ଆରମ୍ଭ କରିଛନ୍ତି।

ତେବେ ଏହିପରି ଏକ ଖବରକୁ ଭାରତୀୟ ପାଣିପାଗ ବିଭାଗ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଏକ ସୂଚନା ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ” ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇ ନାହିଁ।”

ସେତିକି ନୁହେଁ ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି, “କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ, ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ, ତେଣୁ ଆପଣମାନେ ଗୁଜବ ଠାରୁ ଦୁରେଇ ରୁହନ୍ତୁ।”

ପାଣିପାଗ ବିଭାଗ ଏପରି କହିବା ପରେ ସମସ୍ତେ ଅସ୍ବସ୍ଥି ହୋଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଏପରି ଖବର ଆସିଲା କେଉଁଠୁ? ଅନୁସନ୍ଧାନ ପରେ ଜଣାପଡିଲା ଯେ, ଗତ 10 ତାରିଖରେ ଭାରତର ପ୍ରତିଷ୍ଠିତ ଖବର କାଗଜ ବିଜିନେସ ଷ୍ଟାଣ୍ଡର୍ଡ ଏହା ପ୍ରକାଶିତ କରିଛି। ସେଥିରେ କୁହାଯାଇଛି ଯେ, ଆମେରିକାର ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଚଳିତ ମାସ 25 ତାରିଖ ଭିତରେ ବଙ୍ଗୋପସାଗରରେ ଏକ ମହାବାତ୍ୟା ହେବାର ସମ୍ଭାବନା ରହିଛି।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅକ୍ଟୋବର 18ରୁ 15 ତାରିଖ ମଧ୍ୟରେ ଏହା ବାତ୍ୟା ସୃଷ୍ଟି ହେବ। ଏହା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସେଥିରେ କୁହାଯାଇଛି। ଏହି ସମୟରେ ଘଣ୍ଟାକୁ 250 କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି। କାନଡା ବିଶ୍ବବିଦ୍ୟାଳୟର ଜଣେ ପାଣିପାଗ ଗବେଷକ ଏହି ସୂଚନା ଦେଇଛନ୍ତି ବୋଲି କୁହାଯାଇଛି।

ଏହି ଖବର ପ୍ରକାଶିତ ହେବା ପରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଗଲା। ଏପରିକି ଆନ୍ଧ୍ର ସରକାର ଏହାକୁ ନେଇ ତତ୍ପରତା ପ୍ରକାଶ କରିବାକୁ ଆରମ୍ଭ କଲେ। ତେବେ ଭାରତୀୟ ପାଣିପାଗ ବିଭାଗ ଏହା ଉପରେ ସ୍ପଷ୍ଟିକରଣ ଦେବା ପରେ ସମସ୍ତଙ୍କୁ ଅସ୍ବସ୍ଥି ଦେଇଛି।

Related posts