Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୪ଟି ଆଞ୍ଚଳିକ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର, ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ବର: ୧୯୯୯ ମହାବାତ୍ୟା ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ମୂଲ୍ୟବାନ ଜୀବନକୁ ଆମେ ମନେ ପକାଉଛୁ। ସେବେଠାରୁ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ସୁରକ୍ଷିତ ରଖିବା ଦିଗରେ ଆମେ ଉଲ୍ଲେଖନୀୟ କାର୍ଯ୍ୟକରିଛୁ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମ ରାଜ୍ୟ ଏବେ ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ମଡେଲ୍ ହୋଇଛି ବୋଲି ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସଡିଏମଏ) ଙ୍କ ଦ୍ଵାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଭିଡିଓ ବାର୍ତ୍ତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି।

ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ବାର୍ତ୍ତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମର ପ୍ରଭାବଶାଳୀ ବିପର‌୍ୟ୍ୟୟ ପରିଚାଳନା ପ୍ରୟାସକୁ ସବୁ ସ୍ତରରେ ବ୍ୟାପକ ପ୍ରଶଂସା ମିଳିଛି। ଓଡ଼ିଶାକୁ ଭାରତ ସରକାର ୨୦୨୩ ମସିହା ପାଇଁ ସମ୍ମାନଜନକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପ୍ରଦାନ କରିଛନ୍ତି।

ଚଳିତ ବର୍ଷ ଜୁନ୍ ୨ ତାରିଖରେ ବାଲେଶ୍ୱର ବାହାନଗାଠାରେ ଘଟିତ ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଯାତ୍ରୀ ଆହତ ହୋଇଥିଲେ। ରାଜ୍ୟ ସରକାରଙ୍କ ତରଫରୁ ତ୍ଵରିତ ସମସ୍ତ ଜରୁରୀକାଳୀନ ସେବା ପ୍ରଦାନ ପୂର୍ବକ ଗୁରୁତର ଆହତ ମାନଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇ ଅନେକ ମୁଲ୍ୟବାନ ଜୀବନ ବଞ୍ଚାଯାଇ ପାରିଥିଲା।

ସ୍ଥାନୀୟ ଜନସାଧାରଣ, ସ୍ୱେଚ୍ଛାସେବୀ, ପଞ୍ଚାୟତିରାଜ ସଦସ୍ୟ , ଓଡ୍ରାଫ, ଅଗ୍ନିଶମ ସେବା, ଏନଡିଆରଏଫ ଏବଂ ଡାକ୍ତରମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଯୋଗୁଁ ଆମେ ଅନେକ ଲୋକଙ୍କ ଜୀବନ ବଞ୍ଚାଇପାରିଛୁ। ଯେକୌଣସି ବିପର୍ଯ୍ୟୟର ମୁକାବିଲା ପାଇଁ କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାୟଗଡ଼ାରେ ୪ଟି ଆଞ୍ଚଳିକ ବିପର୍ଯ୍ୟୟ ମୁକାବିଲା କେନ୍ଦ୍ର ସ୍ଥାପନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଚଳିତ ବର୍ଷ ‘ଓଡ଼ିଶା ବିପର‌୍ୟ୍ୟୟ ପ୍ରସ୍ତୁତି ଦିବସ’ର ବିଷୟବସ୍ତୁ ହେଉଛି ‘ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡ଼ିଶା ‘। ଯେ କୌଣସି ବିପର୍ଯ୍ୟୟ ପରିସ୍ଥିତିରେ ଆମର ଗୋଷ୍ଠୀ ହିଁ ପ୍ରଥମ ଉଦ୍ଧାରକାରୀ। ପଞ୍ଚାୟତିରାଜ ଅନୁଷ୍ଠାନ ସ୍ତରରେ ବିପର‌୍ୟ୍ୟୟ ପରିଚାଳନା ଯୋଜନାକୁ ସୁନିଶ୍ଚିତ କରିବା ପାଇଁ ପଞ୍ଚାୟତ ଆଇନରେ ଆବଶ୍ୟକ ସଂଶୋଧନ କରାଯାଇଛି।

ଗୋଷ୍ଠୀ ସମୂହକୁ ଶକ୍ତିଶାଳୀ କରିବା ପାଇଁ ୧୦ ହଜାରରୁ ଅଧିକ ସମ୍ବେଦନଶୀଳ ଗ୍ରାମରେ ବିପର‌୍ୟ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତ କରାଯିବ। ସୁଦୃଢ଼ ଭିତ୍ତିଭୂମିକୁ ସରକାର ଅଗ୍ରାଧିକାର ଦେଉଛନ୍ତି। ବିପର୍ଯ୍ୟୟ ପରିଚାଳନା ଉଦ୍ଦେଶ୍ୟରେ ଭିତ୍ତିଭୂମି ସୃଷ୍ଟି ପାଇଁ ୨ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବା ସହ ବିଭିନ୍ନ ବିପର୍ଯ୍ୟୟ ପାଇଁ ରାଜ୍ୟବ୍ୟାପୀ ରିସ୍କ ମ୍ୟାପିଂ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଆମର ବିପର୍ଯ୍ୟୟ ପରିଚାଳନା ପଦକ୍ଷେପକୁ ସୁଦୃଢ଼ ଏବଂ ଓଡ଼ିଶାକୁ ବିପର୍ଯ୍ୟୟ ପ୍ରତିରୋଧୀ କରିବା ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀ ଆହ୍ଵାନ ଜଣାଇଥିଲେ।

କାର୍ଯ୍ୟକ୍ରମରେ ରାଜ୍ୟ ରାଜସ୍ୱ, ଓ ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଅଧ୍ୟକ୍ଷତା କରି କହିଥିଲେ ଯେ, ୨୯ ଅକ୍ଟୋବର ଦିନଟି ଓଡ଼ିଶା ବାସୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ। ୧୯୯୯ ମସିହା ଏହି ଦିନରେ ଘଟିଥିବା ପ୍ରଳୟଙ୍କରୀ ମହାବାତ୍ୟାରୁ ଆମେ କିପରି ଆଗାମୀ ଦିନରେ ବିପର୍ଯ୍ୟୟକୁ ସଫଳତାର ସହ ମୁକାବିଲା କରିପାରିବୁ , ସେଥିପାଇଁ ସଙ୍କଳ୍ପବଦ୍ଧ ହୋଇଥିଲୁ।

ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକର ନିର୍ମାଣ, ନଦୀ ଓ ଲୁଣାବନ୍ଧଗୁଡିକର ସୁଦୃଢୀକରଣ, ରାଜ୍ୟରେ ବିପର୍ଯ୍ୟୟ ପ୍ରାକ ସୂଚନା ବ୍ୟବସ୍ଥାରେ ଉନ୍ନତି , ଓଡ୍ରାଫ ଓ ଅଗ୍ନିଶମ ବାହିନୀମାନଙ୍କର ଦକ୍ଷତା ବୃଦ୍ଧି , ରାଜ୍ୟରୁ ଆରମ୍ଭକରି ଗ୍ରାମ୍ୟସ୍ତର ପର୍ଯ୍ୟନ୍ତ ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି, ଗୋଷ୍ଠୀସ୍ତରୀୟ ସ୍ଵେଚ୍ଛାସେବୀମାନଙ୍କର ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଦକ୍ଷତା ବୃଦ୍ଧି , ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଠ୍ୟକ୍ରମରେ ବିପର‌୍ୟ୍ୟୟ ପରିଚାଳନା ବିଷୟବସ୍ତୁକୁ ଅନ୍ତର୍ଭୁକ୍ତ କରିବା , ସବୁସ୍ତରରେ ବିପର୍ଯ୍ୟୟ ସଚେତନତା ଓ ଦକ୍ଷତା ବୃଦ୍ଧି, ବିଭିନ୍ନ ବିପର‌୍ୟ୍ୟୟ ପାଇଁ ନିୟମିତ ମକ ଡ୍ରିଲ, ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ୨୪ ଘଣ୍ଟିଆ ଜରୁରୀକାଳୀନ ପରିଚାଳନା କକ୍ଷଗୁଡିକର କାର୍ଯ୍ୟକ୍ଷମ ରହିବା, ବିପର୍ଯ୍ୟୟ କ୍ଷତିଗ୍ରସ୍ତଙ୍କୁ ସମୟମୁତାବକ ତ୍ୱରିତ ସହାୟତା ପ୍ରଦାନ ଇତ୍ୟାଦି ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରକାଶ କରିଥିଲେ।

ଏହି ଅବସରରେ ରାଜସ୍ୱ ମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ଯେ କୌଣସି ପ୍ରକାର ବିପର୍ଯ୍ୟୟରେ ଧନ ଜୀବନ କ୍ଷୟକ୍ଷତିକୁ ହ୍ରାସ କରିବା ପାଇଁ ନିଜର ଶକ୍ତି ଓ ସାମର୍ଥ୍ୟ ଅନୁସାରେ କାର‌୍ୟ୍ୟ କରିବା, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ କାର‌୍ୟ୍ୟରତ କର୍ମଚାରୀ, ବ୍ୟକ୍ତିବିଶେଷ,ଅନୁଷ୍ଠାନ ଓ ସହଯୋଗୀ ଦଳମାନଙ୍କୁ ସାହାଯ୍ୟ କରିବା, ଲୋକମାନଙ୍କ ମଧ୍ୟରେ ପରିବେଶର ସୁରକ୍ଷା ଓ ବିପର‌୍ୟ୍ୟୟ ପ୍ରସ୍ତୁତି ନିମନ୍ତେ ସଚେତନତା ବୃଦ୍ଧି କରିବାକୁ ପ୍ରଚେଷ୍ଟା କରିବାକୁ ଶପଥପାଠ କରାଇଥିଲେ ।

କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା ୧୯୯୯ ମହାବାତ୍ୟା ଓ ପରବର୍ତ୍ତୀ ବିଭିନ୍ନ ସମୟରେ ସଂଘଟିତ ବାତ୍ୟାଅନୁଭୁତିରୁ ଶିକ୍ଷାଲାଭ କରି ଆଜି ଓଡ଼ିଶା କିପରି ଏହାର ବିପର୍ଯ୍ୟୟ ପରିଚାଳନା ଭିତ୍ତିଭୂମି ସୁଦୃଢ ଓ ସଂସ୍ଥାଗତ କ୍ଷମତା ବୃଦ୍ଧି କରିପାରିଛି , ସେ ସମ୍ପର୍କରେ ଆଲୋକପାତ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶ ଉକ୍ତି ‘ପ୍ରତ୍ୟେକ ଜୀବନ ମୂଲ୍ୟବାନ’ ଆଧାରରେ ରାଜ୍ୟ ସରକାର ଶୂନ ମୃତୁସଂଖ୍ୟା ( ଜିରୋ କାଜୁଆଲିଟି)କୁ ଗୁରୁତ୍ୱ ଦେଇ ବିପର୍ଯ୍ୟୟ ମୁକାବିଲାରେ ଆଶାଜନକ ସଫଳତା ହାସଲ କରିଥିବା ସେ କହିଥିଲେ। ଗୋଷ୍ଠୀଗତ ସହଭାଗିତା ଉପରେ ଗୁରୁତ୍ୱାରୋପ କରି ଆଗାମୀ ଦିନରେ ଓଡ଼ିଶାବାସୀ ଯେକୌଣସି ବିପତ୍ତିର ମୁକାବିଲା କରିବାରେ ସଫଳ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ରାଜସ୍ୱ ଓ ବିପର‌୍ୟ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ କମିଶନର ଶ୍ରୀ ସତ୍ୟବ୍ରତ ସାହୁ ଯୋଗଦେଇ କହିଲେ ଯେ, ଅଧୂନା ବିପର‌୍ୟ୍ୟୟ ପରିଚାଳନା ରୂପରେଖରେ ବ୍ୟାପକ ପରିବର୍ତ୍ତନ ହୋଇଛି। ସରକାର ବର୍ତ୍ତମାନ ବନ୍ୟା , ବାତ୍ୟା ମୁକାବିଲା ସହିତ ବଜ୍ରପାତ, ସାପକାମୁଡ଼ା , ପାଣିରେ ବୁଡ଼ି ମରିବାସଂଖ୍ୟା ହ୍ରାସ କରିବା ପାଇଁ ଉଦ୍ୟମ କରୁଛନ୍ତି। ସୁନାମୀ ପ୍ରଭାବ ହ୍ରାସ ପାଇଁ ହେନ୍ତାଳ ବନର ସୁରକ୍ଷା ଓ ବ୍ୟାପକତା, ବଜ୍ରପାତ ପ୍ରଭାବ ହ୍ରାସ ପାଇଁ ତାଳ ବୃକ୍ଷ ଚାରା ରୋପଣ ଆଦି ଉପରେ ଗୁରୁତ୍ୱ ଦିଆଯାଉଥିବା ସମର୍କରେ ସେ ଗୁରୁତ୍ୱାରୋପ କରିଥିଲେ।

ବିଶ୍ଵବ୍ୟାଙ୍କ, ଭାରତ ଶାଖାର ନିର୍ଦ୍ଦେଶକ ଅଗସ୍ତେ ଟାନୋ କୌଆମେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ ପ୍ରଶଂସା କରି ଓଡିଶାରେ ବିପର୍ଯ୍ୟୟ ମୁକାବିଲା ପାଇଁ ଭିତ୍ତିଭୂମି ବିକାଶ ସହିତ ଅନ୍ୟାନ୍ୟ ପ୍ରକଳ୍ପ କାର୍ଯ୍ୟକାରୀ କରିବାରେ ବିଶ୍ୱବ୍ୟାଙ୍କ ସବୁବେଳେ ଓଡିଶାକୁ ସହଯୋଗ ଦେଇ ଆସୁଥିବା ସେ ପ୍ରକାଶ କରିଥିଲେ।

ଓଏସଡିଏମଏର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଜ୍ଞାନ ଦାସ ରାଜ୍ୟରେ ବିପର‌୍ୟ୍ୟୟ ପରିଚାଳନା ପ୍ରସ୍ତୁତି ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ସଭାର ପ୍ରାରମ୍ଭରେ ୧୯୯୯ ମହାବାତ୍ୟା, ପରବର୍ତ୍ତୀ ପ୍ରାକୃତିକ ବିପର‌୍ୟ୍ୟୟ ଓ ବାହାନଗା ରେଳ ଦୁର୍ଘଟଣାରେ ପ୍ରାଣହାନୀ ଘଟିଥିବା ମୃତକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇ ୧ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଓଡିଶାର ବିପର୍ଯ୍ୟୟ ପରିଚାଳନାରେ ଆଜି ପର୍ଯ୍ୟନ୍ତ ହୋଇଥିବା ବିଭିନ୍ନ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଉପରେ ଏକ ପ୍ରାମାଣିକ ଚଳଚିତ୍ର ପ୍ରଦର୍ଶିତ ହେବା ସହ ଓଏସଡିଏମଏର ବାର୍ଷିକ ସମ୍ବାଦ ପତ୍ରିକା ଦି ରେସପନ୍ସ, ଓଡିଶାର କୋଭିଡ-୧୯ ବିଶ୍ୱ ମହାମାରୀ ପରିଚାଳନା ଉପରେ କରାଯାଇଥିବା ସମୀକ୍ଷା ରିପୋର୍ଟ,୨୦୨୩ ମସିହାରେ ଓଡିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବର ବିଭିନ୍ନ ଦିଗ ଉପରେ ପ୍ରକାଶିତ ବିବରଣୀ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା। ଓଏସଡିଏମଏ ଦ୍ୱାରା ବିକଶିତ ଦୁଇଟି ଓ୍ୱେବ୍ ପୋର୍ଟାଲ (ଓଏନଡିଆରଏନ୍ ଏବଂ ସାମର୍ଥ) ଶୁଭ ଉନ୍ନୋଚନ କରାଯାଇଥିଲା। ଏହି ଉପଲକ୍ଷେ ସଶକ୍ତ ଗୋଷ୍ଠୀ, ସୁରକ୍ଷିତ ଓଡିଶା ସଂପର୍କିତ ସଚେତନତା ଦସ୍ତଖତ ଅଭିଯାନ ଆୟୋଜିତ ହୋଇଥିଲା।

ରାଜ୍ୟସ୍ତରୀୟ ପ୍ରାଥମିକ ସହାୟତା ଏବଂ ସନ୍ଧାନ ଓ ଉଦ୍ଧାର ପ୍ରତିଯୋଗିତାରେ ବିଜେତା ଟାସ୍କଫୋର୍ସ ମାନଙ୍କୁ, ୨୦୨୩ ମସିହା ପାଇଁ ବିବେଚିତ ହୋଇଥିବା ଶ୍ରେଷ୍ଠ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଓ ଶ୍ରେଷ୍ଠ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳର ପ୍ରତିନିଧି, ରେଡକ୍ରସ ଓଡିଶା ଶାଖା ଦ୍ୱାରା ପରିଚାଳିତ ଶ୍ରେଷ୍ଠ ଆଶ୍ରୟସ୍ଥଳର ପ୍ରତିନିଧି, ବିପର୍ଯ୍ୟୟ ପରିଚାଳନା ଯୋଜନା ପ୍ରସ୍ତୁତି ପାଇଁ ବିବେଚିତ ହୋଇଥିବା ଶ୍ରେଷ୍ଠ ଜିଲ୍ଲା, ପଂଚାୟତ ସମିତି,ଗ୍ରାମ ପଂଚାୟତ, ପୌରାଂଚଳଗୁଡିକର ନିର୍ବାଚିତ ପ୍ରତିନିଧିମାନଙ୍କୁ ସମ୍ମାନିତ କରାଯାଇଥିଲା।

ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀମତୀ ସୁସ୍ମିତା ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସୂଚନା ଓ ଲୋକ ସଂପର୍କ ବିଭାଗ ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୂଚେତା ପ୍ରିୟଦର୍ଶିନୀ କାର‌୍ୟ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ, ମିଳିତ ଜାତିସଂଘର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଓଡ୍ରାଫ୍, ଏନଡିଆରଏଫ୍, ଓଡିଶା ଅଗ୍ନିଶମ ବାହିନୀ, ସିଭିଲ୍ ଡିଫେନ୍ସ, ଭାରତୀୟ ରେଡକ୍ରସ୍ ଓଡିଶା ଶାଖାର ଅଧିକାରୀ ଓ ସ୍ୱେଚ୍ଛାସେବୀ, ବହୁମୁଖୀ ବନ୍ୟା ଓ ବାତ୍ୟାସ୍ଥଳସ୍ତରୀୟ ଟ୍ୟାକ୍ସ ଫୋର୍ସ ଓ ଆପଦମିତ୍ର ସ୍ୱେଚ୍ଛାସେବୀମାନେ ବହୁ ସଂଖ୍ୟାରେ ଯୋଗଦାନ କରିଥିଲେ।

ଏହି ଦିବସ ଉପଲକ୍ଷେ ରବୀନ୍ଦ୍ର ମଣ୍ଡପ ଠାରେ ଓସଡମା ତରଫରୁ ବିପର୍ଯ୍ୟୟ ପ୍ରସ୍ତୁତି ସଂପର୍କିତ ଏକ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏଥିରେ ଓସଡମା ସମେତ ବିଦ୍ୟାଳୟ ଓ ଗଣଶିକ୍ଷା, ବିଶ୍ୱ ବ୍ୟାଙ୍କ, ଏନଡିଆରଏଫ୍, ଓଡ୍ରାଫ୍, ଓଡିଶା ଅଗ୍ନିଶମ ଓ ଆପାତକାଳୀନ ସେବା , ଓସ୍ତିଆ, ବାଙ୍କୀର ବାତ୍ୟା ଓ ବନ୍ୟା ଆଶ୍ରୟ ସ୍ଥଳ ମଡେଲ, ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ , ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଭାରତୀୟ ରେଡ୍ କ୍ରସ୍ , ଓଡିଶା ରାଜ୍ୟ ଶାଖା, ଇଣ୍ଡିଆନ୍ ଅଏଲ ଲିଃ.ଆଦି ତରଫରୁ ପ୍ରଦର୍ଶନୀ ଷ୍ଟଲ କରାଯାଇଥିଲା। ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ପ୍ରଦର୍ଶନୀ ଉଦଘାଟନ କରିବା ପରେ ସମସ୍ତ ଅତିଥି ଓ ଦର୍ଶକମାନେ ଷ୍ଟଲ ପରିଦର୍ଶନ କରି ଓଡିଶାର ବିପର୍ଯ୍ୟୟ ପରିଚାଳନା ପାଇଁ ପ୍ରସ୍ତୁତି ଓ ଏଥିପାଇଁ ବ୍ୟବହୃତ ହେଉଥିବା ଆଧୁନିକ ଉପକରଣର ବ୍ୟବହାର ସଂପର୍କରେ ଅବଗତ ହୋଇଥିଲେ।

ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପ୍ରତିବର୍ଷ ଅକ୍ଟୋବର ମାସ ୨୯ ତାରିଖରେ ପାଳନ ହୋଇ ଆସୁଛି। ଏହି ଦିବସଟି ଆମ୍ଭକୁ ୧୯୯୯ ମସିହାରେ ସଂଘଟିତ ପ୍ରଳୟଙ୍କରୀ ମହାବାତ୍ୟାର ଭୟାବହତା ଓ ଧ୍ୱଂସଲୀଳାକୁ ମନେ ପକାଇବା ସହିତ ଭବିଷ୍ୟତରେ ଯେ କୌଣସି ପ୍ରକାର ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତି ସଂପର୍କରେ ଦୃଢ ସଂକଳ୍ପବଦ୍ଧ କରାଇଥାଏ। ଏହି ଦିନରେ ଆମ୍ଭେ ମହାବାତ୍ୟା ଏବଂ ନିକଟ ଅତୀତରେ ଘଟିଥିବା ବିଭିନ୍ନ ବିପର୍ଯ୍ୟୟରେ ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କ ସ୍ମୃତିଚାରଣ କରିଥାଉ।

Categories
ଆଜିର ଖବର ରାଜ୍ୟ ଖବର

ସୋଆରେ ୮ଟି ଦେଶର ପ୍ରତିନିଧି: ଓଡ଼ିଶାରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ନେଲେ ଉପଲବ୍ଧି

ଭୁବନେଶ୍ୱର: ଓଡ଼ିଶାରେ ୧୯୯୯ ମହାବାତ୍ୟା ସାରା ରାଜ୍ୟକୁ ବିପର୍ଯ୍ୟସ୍ତ କରିଦେଇଥିବା ବେଳେ ଏହାର ପରବର୍ତୀ ସମୟରେ ଦୀର୍ଘ ୨୨ ବର୍ଷ ଧରି ରାଜ୍ୟ କିଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଆସୁଛି ସେ ସମ୍ପର୍କରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ ରିସର୍ଚ୍ଚ (ଆଇସିସିଆର୍‌) ଓ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ମିଳିତ ସହଭାଗିତାରେ ଓଡ଼ିଶା ଗସ୍ତରେ ଆସିଥିବା ୮ଟି ଗଣତାନ୍ତ୍ରିକ ଦେଶର ପ୍ରତିନିଧିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ତଥ୍ୟ ଯୋଗାଇ ଦିଆଯାଇଛି।

ସୋମବାର ଏହି ପ୍ରତିନିଧିମାନେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କୁ ରାଜ୍ୟ ସଚିବାଳୟରେ ସାକ୍ଷାତ କରିଥିବା ବେଳେ ଓଡ଼ିଶାରେ ଫାଇଲିନ୍‌, ତିତିଲି ଓ ଫନି ଭଳି ବାତ୍ୟା ବିପର୍ଯ୍ୟୟ ସମୟରେ ଓଡ଼ିଶା ସରକାର କିଭଳି ଏହାର ମୁକାବିଲା କରିବା ସହ ଧନ ଜୀବନହାନୀ ହେବାରୁ ରକ୍ଷା କରିଛନ୍ତି ସେ ବିଷୟରେ ମୁଖ୍ୟ ଶାସନ ସଚିବ ସେମାନଙ୍କ ସମ୍ମୁଖରେ ତଥ୍ୟ ରଖିଥିଲେ।

ସେହିପରି ସୋମବାର ସକାଳେ ଏହି ପ୍ରତିନିଧିମାନେ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ସ୍ଥିତ ଓଡ଼ିଶା ଫାୟାର ଆଣ୍ଡ ଡିଜାଷ୍ଟର ରେସପନ୍ସ ଏକାଡେମି ମଧ୍ୟ ବୁଲି ଦେଖିଥିଲେ। ହଠାତ୍ ନିଆଁ ଲାଗିଲେ କିଭଳି ଏଭଳି ପରିସ୍ଥିତିରୁ ଧନ ଜୀବନ ରକ୍ଷା କରିହେବ ଓ ଅଗ୍ନି ନିରାପତା ବ୍ୟବସ୍ଥା ସମ୍ପର୍କରେ ଓଡ୍ରାଫର ଅଧିକାରୀମାନେ ଏହି ପ୍ରତିନିଧିମାନଙ୍କୁ ମକ୍ ଡ୍ରିଲ୍ ମାଧ୍ୟମରେ ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ।

ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତି ଅବସରରେ ତଥା ଆଜାଦୀ କା ଅମୃତ ମହୋତ୍ସବ ପାଳନ ପରିପ୍ରେକ୍ଷୀରେ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ କଲ୍‌ଚରାଲ୍ ରିଲେସନ୍‌( ଆଇସିସିଆର୍‌) ଓ ‘ଜେନ୍‌- ନେକ୍ସଟ ଡେମୋକ୍ରେସି ନେଟ୍‌ୱାର୍କ’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୮ଟି ଦେଶର ପ୍ରତିନିଧିମାନେ ଭାରତ ଗସ୍ତରେ ଆସିଛନ୍ତି। ସେମାନେ ଭାରତୀୟ ଗଣତାନ୍ତ୍ରିକ ବ୍ୟବସ୍ଥା, ସାଂସ୍କୃତିକ ଐତିହ୍ୟ ଓ ବିକାଶ ସଂପର୍କରେ ଏକ ବିସ୍ତୃତ ଅନୁଶୀଳନ କରୁଛନ୍ତି।

ପର୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋଏସିଆ, ଗାୟେନା, ବ୍ରାଜିଲ୍‌, ବେଲ୍‌ଜିୟମ୍ ଏବଂ ବୁଲଗେରିଆର ରାଜନେତା, ଆଇନ ପ୍ରଣେତା, ବ୍ୟବସାୟୀ, ସାମ୍ବାଦିକ, ଶିକ୍ଷାବିତ୍ ଓ ଯୁବନେତା ସମ୍ମିଳିତ ୨୬ ଜଣିଆ ପ୍ରତିନିଧି ଦଳ ଏହି ଟିମ୍‌ରେ ସାମିଲ ଅଛନ୍ତି। ସୋମବାର ସନ୍ଧ୍ୟାରେ ସେମାନେ ଓଡ଼ିଶାରୁ ଫେରିଯାଇଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଇତିହାସ ପୃଷ୍ଠା : ଓଡିଶାର ହୋଇଥିବା ମହାବାତ୍ୟା କ୍ଷତିଗସ୍ତ ଅଞ୍ଚଳ ବୁଲିଥିଲେ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଠିକ ଆଜିର ଦିନ 1999 ମସିହାର ଘଟଣା। ଓଡିଶାକୁ ଖିନଭିନ କରିଦେଇଥିଲା ସୁପର ସାଇକ୍ଲୋନ ବା ମହାବାତ୍ୟା। ସେହି ମହାବାତ୍ୟାର ଯନ୍ତଣା ଏପରି ଥିଲା ଯେ, ଆଜି ପର୍ଯ୍ୟନ୍ତ ଓଡିଶାକୁ ଅଣ୍ଟା ସିଧା କରିବାକୁ ଲାଗିଗଲା ସମୟ।

ସେହି ମହାବାତ୍ୟା ପରେ ପରେ ସେତେବେଳେ ସାଂସଦ ଥିବା ନବୀନ ପଟ୍ଟନାୟକ କ୍ଷତିଗସ୍ତ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ସେତେବେଳେ ମୁଖ୍ୟମନ୍ତ୍ରୀ ଥିବା ଗିରିଧର ଗମାଙ୍ଗ ମହାବାତ୍ୟା ମୁକାବିଲା କରିବାରେ ସମର୍ଥ ହୋଇପାରି ନ ଥିଲେ। ଫଳରେ ସେତେବେଳେ କଂଗ୍ରେସ ସରକାର ଭାଙ୍ଗି ଯାଇଥିଲା।

ବର୍ତ୍ତମାନ କିନ୍ତୁ ସମୟ ଭିନ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବ ବାତ୍ୟା ବନ୍ୟା ପରିଚାଳନା ପାଇଁ ଆଣିଛି ଏକ ବିପ୍ଲବ। ଏହି ବିପର୍ଯ୍ୟୟକୁ ମୁକାବିଲା କରିବାରେ ବେଶ ପ୍ରଶଂସିତ ହୋଇପାରିଛନ୍ତି ନବୀନ ପଟ୍ଟନାୟକ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବଙ୍ଗୋପସାଗରରେ ମହାବାତ୍ୟା ସମ୍ଭାବନା !!! ଭାରତୀୟ ପାଣିପାଗ ସଂସ୍ଥା ‘ନା’, ବିଦେଶୀ ସଂସ୍ଥା ‘ହଁ’

ଭୁବନେଶ୍ବର: ଆସନ୍ତା ଅକ୍ଟୋବର 25 ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ବାତ୍ୟା ସୃଷ୍ଟି ହେବ। ଏହା ଯଦି ଶକ୍ତିଶାଳୀ ହୁଏ ତେବେ ମହାବାତ୍ୟାରେ ପରିଣତ ହେବ। ଏହିପରି ଏକ ଖବରକୁ ନେଇ ଗତ କିଛି ଦିନ ଧରି ସମସ୍ତଙ୍କୁ ବିଚଳିତ କରିଦେଇଛି। ପୁଣି ଥରେ କଣ 1999 ମହାବାତ୍ୟାର ପୁର୍ନାବୃତ୍ତି ହେବ କି ? ଏହି ଖବର ଉଭୟ ସରକାରୀ ଓ ବେସରକାରୀ ସଂସ୍ଥା ଖୋଳତାଡ ଆରମ୍ଭ କରିଛନ୍ତି।

ତେବେ ଏହିପରି ଏକ ଖବରକୁ ଭାରତୀୟ ପାଣିପାଗ ବିଭାଗ ସଂପୂର୍ଣ୍ଣ ଭାବେ ଖଣ୍ଡନ କରିଛି। ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ତରଫରୁ ଏକ ସୂଚନା ଜାରୀ କରାଯାଇଛି। ସେଥିରେ କୁହାଯାଇଛି ଯେ, ” ବାତ୍ୟା ସମ୍ଭନ୍ଧରେ ପାଣିପାଗ ବିଭାଗ ତରଫରୁ କୌଣସି ସୂଚନା କିମ୍ବା ପୂର୍ବାନୁମାନ ଜାରି ହୋଇ ନାହିଁ।”

ସେତିକି ନୁହେଁ ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି, “କୌଣସି ପାଣିପାଗ ଘଟଣା ସମ୍ଭନ୍ଧରେ ୭ଦିନ ଆଗରୁ ଆକଳନ କରିବା ବିଜ୍ଞାନ ସମ୍ମତ ନୁହେଁ, ପାଣିପାଗ ସହ ଜଡିତ ସଠିକ ସୂଚନା ଦେବା ପାଇଁ ଆମେ ୨୪ଘଣ୍ଟା କାର୍ଯ୍ୟରତ, ତେଣୁ ଆପଣମାନେ ଗୁଜବ ଠାରୁ ଦୁରେଇ ରୁହନ୍ତୁ।”

ପାଣିପାଗ ବିଭାଗ ଏପରି କହିବା ପରେ ସମସ୍ତେ ଅସ୍ବସ୍ଥି ହୋଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଏପରି ଖବର ଆସିଲା କେଉଁଠୁ? ଅନୁସନ୍ଧାନ ପରେ ଜଣାପଡିଲା ଯେ, ଗତ 10 ତାରିଖରେ ଭାରତର ପ୍ରତିଷ୍ଠିତ ଖବର କାଗଜ ବିଜିନେସ ଷ୍ଟାଣ୍ଡର୍ଡ ଏହା ପ୍ରକାଶିତ କରିଛି। ସେଥିରେ କୁହାଯାଇଛି ଯେ, ଆମେରିକାର ପାଣିପାଗ ସଂସ୍ଥା ଗ୍ଲୋବାଲ ଫୋରକାଷ୍ଟ ସିଷ୍ଟମ ଚଳିତ ମାସ 25 ତାରିଖ ଭିତରେ ବଙ୍ଗୋପସାଗରରେ ଏକ ମହାବାତ୍ୟା ହେବାର ସମ୍ଭାବନା ରହିଛି।

ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଅକ୍ଟୋବର 18ରୁ 15 ତାରିଖ ମଧ୍ୟରେ ଏହା ବାତ୍ୟା ସୃଷ୍ଟି ହେବ। ଏହା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ ବୋଲି ସେଥିରେ କୁହାଯାଇଛି। ଏହି ସମୟରେ ଘଣ୍ଟାକୁ 250 କିଲୋମିଟର ବେଗରେ ପବନ ପ୍ରବାହିତ ହେବ ବୋଲି ମଧ୍ୟ ସୂଚନା ଦିଆଯାଇଛି। କାନଡା ବିଶ୍ବବିଦ୍ୟାଳୟର ଜଣେ ପାଣିପାଗ ଗବେଷକ ଏହି ସୂଚନା ଦେଇଛନ୍ତି ବୋଲି କୁହାଯାଇଛି।

ଏହି ଖବର ପ୍ରକାଶିତ ହେବା ପରେ ଚାରିଆଡେ ଚର୍ଚ୍ଚା ଆରମ୍ଭ ହୋଇଗଲା। ଏପରିକି ଆନ୍ଧ୍ର ସରକାର ଏହାକୁ ନେଇ ତତ୍ପରତା ପ୍ରକାଶ କରିବାକୁ ଆରମ୍ଭ କଲେ। ତେବେ ଭାରତୀୟ ପାଣିପାଗ ବିଭାଗ ଏହା ଉପରେ ସ୍ପଷ୍ଟିକରଣ ଦେବା ପରେ ସମସ୍ତଙ୍କୁ ଅସ୍ବସ୍ଥି ଦେଇଛି।

Categories
ଆଜିର ଖବର ଆଞ୍ଚଳିକ ରାଜ୍ୟ ଖବର

ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ୧୯୯୯ ମହାବାତ୍ୟା ବାର୍ଷିକୀ ପାଳନ

ରମେଶ ମହାନ୍ତି

ଜଗତସିଂହପୁର: ପ୍ରଳୟଙ୍କରୀ ୧୯୯୯ ମହାବାତ୍ୟାକୁ ଆଜି ୨୧ ବର୍ଷ ପୁରଣ ହୋଇଛି। ପ୍ରକୃତିର ଏହି କରାଳ କାଳରେ ସଂମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜିଲ୍ଲାରେ ସର୍ବାଧିକ ଲୋକ ମୃତ୍ୟୁ ମୁଖରେ ପଡିଥିବା ବେଳେ ପ୍ରାୟ ୩ଲକ୍ଷ ବାସଗୃହ ସଂମ୍ପୁର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ଦୁଇ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଏବେବି ତାହା ଲୋକଙ୍କ ହୃଦୟରେ ଭୟର ବାତାବରଣ ସୃଷ୍ଟି କରିଥାଏ।

ଏହି ମହାବାତ୍ୟାର ବାର୍ଷିକୀ ଉପଲକ୍ଷେ କରୋନା ପରିସ୍ଥିତି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ କରାଯାଇନଥିଲେ ମଧ୍ୟ ଏହି ମହାବାତ୍ୟାରେ ମୃତ୍ୟୁ ବରଣ କରିଥିବା ଜିଲ୍ଲାବାସୀଙ୍କ ଆତ୍ମାର ସଦଗତି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ସ୍ମୃତି ସ୍ତମ୍ବରେ ପ୍ରଦୀପ ଉଜ୍ୱଳନ କରାଯାଇ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ବିଜୟଲକ୍ଷ୍ମୀ ନାୟକ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ପ୍ରଦୀପ ଉଜ୍ୱଳନ ସହ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗ୍ୟାନେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ।