ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ୧୯୯୯ ମହାବାତ୍ୟା ବାର୍ଷିକୀ ପାଳନ

Published: Oct 29, 2020, 8:42 pm IST

ରମେଶ ମହାନ୍ତି

ଜଗତସିଂହପୁର: ପ୍ରଳୟଙ୍କରୀ ୧୯୯୯ ମହାବାତ୍ୟାକୁ ଆଜି ୨୧ ବର୍ଷ ପୁରଣ ହୋଇଛି। ପ୍ରକୃତିର ଏହି କରାଳ କାଳରେ ସଂମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜିଲ୍ଲାରେ ସର୍ବାଧିକ ଲୋକ ମୃତ୍ୟୁ ମୁଖରେ ପଡିଥିବା ବେଳେ ପ୍ରାୟ ୩ଲକ୍ଷ ବାସଗୃହ ସଂମ୍ପୁର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ଦୁଇ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଏବେବି ତାହା ଲୋକଙ୍କ ହୃଦୟରେ ଭୟର ବାତାବରଣ ସୃଷ୍ଟି କରିଥାଏ।

ଏହି ମହାବାତ୍ୟାର ବାର୍ଷିକୀ ଉପଲକ୍ଷେ କରୋନା ପରିସ୍ଥିତି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ କରାଯାଇନଥିଲେ ମଧ୍ୟ ଏହି ମହାବାତ୍ୟାରେ ମୃତ୍ୟୁ ବରଣ କରିଥିବା ଜିଲ୍ଲାବାସୀଙ୍କ ଆତ୍ମାର ସଦଗତି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ସ୍ମୃତି ସ୍ତମ୍ବରେ ପ୍ରଦୀପ ଉଜ୍ୱଳନ କରାଯାଇ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲ୍ଲିକ, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ବିଜୟଲକ୍ଷ୍ମୀ ନାୟକ ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନି ରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ବୃନ୍ଦ ପ୍ରଦୀପ ଉଜ୍ୱଳନ ସହ ନିରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଗ୍ୟାନେନ୍ଦ୍ର କୁମାର ସାହୁ ସଂଯୋଜନା କରିଥିଲେ।

Related posts