ଧାମନଗର ଉପନିର୍ବାଚନରେ ବିଜେପିକୁ ଧକ୍କା, ବିଡିଓ ବଦଳି ଅଭିଯୋଗକୁ ଖଣ୍ଡନ କଲେ ନିର୍ବାଚନ ଅଧିକାରୀ

Published: Oct 13, 2022, 8:53 pm IST

ଭୁବନେଶ୍ବର: ଶେଷରେ ଧାମନଗରର ଦୁଇ ବିଡିଓ ବଦଳି ବେଆଇନି ବୋଲି ବିଜେପି କରିଥିବା ଅଭିଯୋଗକୁ ଖଣ୍ଡନ କଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ବିଡିଓ ବଦଳି ଆଇନି ଅନୁସାରେ ହୋଇଛି, କିଛି ଭୁଲ ହୋଇ ନାହିଁ ବୋଲି ରୋକଠୋକ କହିଲେ। ଆଜି ସଂଧ୍ୟାରେ ଏକ ପ୍ରେସ ବିଜ୍ଞପ୍ତି ଜାରୀ କରି ନିର୍ବାଚନ କମିସନର ଅଫିସରୁ ଏହି ତଥ୍ୟ ଦିଆଯାଇଛି।

ଏହି ବିଜ୍ଞପ୍ତିରେ କୁହାଯାଇଛି ଯେ, ଏକ ରାଜନୈତିକ ଦଳ ତରଫରୁ ଧାମନଗର ବିଡିଓ ଏବଂ ତିହିଡି ବିଡିଓଙ୍କ ବଦଳି ବେଆଇନି। ନିର୍ବାଚନ ଆଚରଣ ବିଧି ଲାଗିଥିବା ବେଳେ ସେମାନଙ୍କ ସରକାର ବେଆଇନି ଭାବେ ବଦଳି କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ଅଭିଯୋଗ କରାଯାଇଥିଲା।

ତେବେ ଏ ସଂପର୍କରେ ଏକ ଅନୁଧ୍ୟାନ କରିବା ପରେ ଜଣାପଡିଛି ଯେ, ଉଭୟଙ୍କ ବଦଳି ଆଇନ ଅନୁଯାୟୀ କରାଯାଇଛି। ଧାମନଗର ବ୍ଲକର ବିଡିଓ ଥିବା ଦୁର୍ଗାଚରଣ ମୁର୍ମୁ 2018 ମସିହାରୁ ସେହି ସ୍ଥାନରେ କାମ କରୁଛନ୍ତି। ଉପନିର୍ବାଚନ ବେଳେ ଯେଉଁ ଅଧିକାରୀ ତିନି ବର୍ଷରୁ ଅଧିକ କାର୍ଯ୍ୟ କରୁଥିବେ ସେମାନଙ୍କୁ ବଦଳି କରାଯିବ ବୋଲି ଉଲ୍ଲେଖ ରହିଛି। ସେହି ଆଧାରରେ ତାଙ୍କୁ ବଦଳି କରାଯାଇଛି।

ସେହିପରି ତିହିଡି ବ୍ଲକର ବିଡିଓ ଥିବା ବସନ୍ତ କୁମାର ସାହାଣୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ବାସିନ୍ଦା। ଉପନିର୍ବାଚନ ବେଳେ କୌଣସି ଅଫିସର ସେହି ଜିଲ୍ଲାର ବାସନ୍ଦା ହୋଇ ନ ଥିବାର ଆବଶ୍ୟକ। ସେଥିପାଇଁ ତାଙ୍କର ବଦଳି କରାଯାଇଛି। ଏହି ବଦଳି ଉଭୟ ଜିଲ୍ଲାପାଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହମତିରେ କରାଯାଇଛି। ତେଣୁ ଏହା ଠିକ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ ଅଧିକାରୀ ଆହୁର ମଧ୍ୟ କହିଛନ୍ତି ଯେ, ଯଦି ଏହି ଦୁଇ ବିଡିଓଙ୍କୁ ବଦଳି କରାଯାଇ ନ ଥାଆନ୍ତା ତେବେ ତାହା ବେଆଇନି ହୋଇ ଥାଆନ୍ତା। ସେଥିପାଇଁ ଯେଉଁ ରାଜନୈତିକ ଦଳ ତରଫରୁ ଅଭିଯୋଗ କରାଯାଇଛି ତାହା ଭୁଲ ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି। ଏହାପରେ ବିଜେପି ତରଫରୁ କୌଣସି ପ୍ରତିକ୍ରିୟା ଜଣାପଡି ନାହିଁ।

Related posts