Dhamnagar Byelection: ଜବତ ହେଲାଣି ୧୦ ଲକ୍ଷ ଟଙ୍କାର ମଦ, ୧୮୭ଟି ଅସ୍ତ୍ରଶସ୍ତ୍ର

Published: Oct 19, 2022, 9:17 am IST

ଭୁବନେଶ୍ବର: ବର୍ତ୍ତମାନ ଧାମନଗର ଉପନିର୍ବାଚନ ଲଢେଇ ଆରମ୍ଭ ହୋଇଯାଇଛି। ବିଭିନ୍ନ ଦଳ ତରଫରୁ କର୍ମିମାନେ ଲଢେଇ କରିବା ଆରମ୍ଭ କରିସାରିଲେଣି। ତେବେ ଏହି ଲଢେଇ ଭିତରେ ଆଇନ ଉଲ୍ଲଂଘନକାରୀଙ୍କ ଉପରେ କଡା ନଜର ରଖିଛନ୍ତି ନିର୍ବାଚନ ଅଧିକାରୀ।

ଗତ ଅକ୍ଟୋବର ୩ ତାରିଖଠାରୁ ସମଗ୍ର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦର୍ଶ ଆଚରଣବିଧି ଲାଗୁ ହୋଇଥିବାରୁ ନିର୍ବାଚନ ମଣ୍ଡଳୀରେ କେତେକ ଜାଗାରେ ଏହାର ଉଲ୍ଲଂଘନ ହୋଇଥିବା ପରିଲକ୍ଷିତ ହୋଇଛି । ସର୍ବସାଧାରଣ କାନ୍ଥବାଡ଼ିରେ ୬୨୪ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବାବେଳେ ବ୍ୟକ୍ତିବିଶେଷଙ୍କ କାନ୍ଥବାଡ଼ରେ ୫୯ଟି ସ୍ଥାନରେ ପୋଷ୍ଟର, ବ୍ୟାନର ଓ ପେଣ୍ଟିଂ ହୋଇଥିବା ଜଣାଯାଇ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ଜିଲ୍ଲା ପ୍ରଶାସନ ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ବର୍ତ୍ତମାନ ସୁଦ୍ଧା ୧୮୭ଟି ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବାବେଳେ ସିଆର୍‌ପିସି ଧାରା ଅନୁସାରେ ୧୧୬୭ ଜଣ ବ୍ୟକ୍ତିଙ୍କୁ ଅଟକ କରାଯାଇଛି ଓ ୫୩ ଜଣ ବ୍ୟକ୍ତିଙ୍କ ବିରୁଦ୍ଧରେ ଜାମିନ୍‌ବିହୀନ ୱାରେଣ୍ଟ କାର୍ଯ୍ୟକାରୀ କରାଯାଇଛି । ଉପନିର୍ବାଚନ ପରିପ୍ରେକ୍ଷୀରେ ଅବକାରୀ ବିଭାଗ ଦ୍ୱାରା ଚଢ଼ାଉ କରାଯାଇ ୫୧ଟି କେସ୍‌ ରୁଜ୍ଜୁ କରାଯାଇଛି ଓ ୪୮ ଜଣ ଲୋକଙ୍କୁ ଗିରଫ କରାଯାଇଛି ।

ଏଥି ସହ ୧୦ ଲକ୍ଷ ୪୮ ହଜାର ୪୮୬ ଟଙ୍କାର ମଦ ଜବତ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଓ ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Related posts