ମହଙ୍ଗା ପଡିଲା ଆଇଏଏସଙ୍କ ଷ୍ଟାଇଲ ଫଟୋ, ତୁରନ୍ତ ନିର୍ବାଚନ ଦାୟିତ୍ବରୁ କରାଗଲା ବହିସ୍କାର

Published: Nov 19, 2022, 3:41 pm IST

ନୂଆଦିଲ୍ଲୀ: ଜଣେ ଆଇଏଏସଙ୍କ ଷ୍ଟାଇଲ ଫଟୋ ତାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ସେ ହେଉଛନ୍ତି ଉତ୍ତର ପ୍ରଦେଶ କ୍ୟାଡରର ଯୁବ ଆଇଏଏସ ଅଫିସର ଅଭିଷେକ ସିଂ। ତାଙ୍କୁ ନିର୍ବାଚନ କମିଶନର ଗୁଜୁରାଟ ନିର୍ବାଚନ ପାଇଁ ଅବଜରଭର ଭାବେ ନିଯୁକ୍ତ ଦେଇଥିଲେ। ସେ ନିଜ କାର ସହିତ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟିଂ କରିଥିଲେ। ଫଳରେ ତାଙ୍କୁ ନିର୍ବାଚନ ଦାୟିତ୍ବରୁ ବହିସ୍କାର କଲେ ନିର୍ବାଚନ କମିସନର।

ଅଭିଷେକ ଦୁଇଟି ଫଟୋ ତାଙ୍କ ସାମାଜିକ ଗଣମାଧ୍ୟମରେ ପୋଷ୍ଟିଂ କରିଥିଲେ। ଗୋଟିଏ ଫଟୋରେ ସେ ଇଲେକସନ ଅବଜରଭର ଲେଖାଥିବା କାର ସହିତ ନିଜେ କଳା ଚଷମା ଲଗାଇ ଉଠାଇଥିଲେ। ଅନ୍ୟ ଏକ ଫଟୋରେ କାର ସହିତ ଅନ୍ୟ ଅଧିକାରୀ ଏବଂ ସୁରକ୍ଷା କର୍ମୀଙ୍କ ସହ ଥିଲା। ହେଲେ ଏହି ଫଟୋକୁ ନେଇ ବିଭିନ୍ନ ବିବାଦ ଉଠିବାରୁ ନିର୍ବାଚନ କମିଶନର ତୁରନ୍ତ ତାଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇ ଦେଲେ।

ଅଭିଷେକଙ୍କୁ ଗୁଜୁରାଟର ଅହମଦାବାଦ ବିଧାନସଭା ନିର୍ବାଚନ ମଣ୍ଡଳୀର ଦୁଇଟି ସ୍ଥାନର ଅବଜରଭର ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଦୁଇଟି ହେଲା ବାପୁ ନଗର ଏବଂ ଅଶ୍ବରା। ସେଠାରେ ସେ ନିର୍ବାଚନ ପର୍ଯ୍ୟନ୍ତ ଅବଜରଭର ହୋଇ କାର୍ଯ୍ୟ କରିଥାଆନ୍ତେ। ହେଲେ ଏହି ଫଟୋ ଦୁଇଟି ତାଙ୍କୁ ଆଡୁଆରେ ପକାଇ ଦେଲା। ତାଙ୍କୁ ବହିସ୍କାର କରିବା ପରେ ସେଠାରେ କ୍ରିଷନ ବାଜେପିଙ୍କୁ ନିଯୁକ୍ତ ଦିଆଯାଇଛି।

ନିର୍ବାଚନ କମିଶନର ଅଭିଷେକଙ୍କୁ ଗୁଜୁରାଟ ନିର୍ବାଚନରୁ ବାହାର କରିଦେବା ସହିତ ଅନ୍ୟ କୌଣସି ନିର୍ବାଚନ କାର୍ଯ୍ୟରେ ଭାଗ ନେଇପାରିବେ ନାହିଁ ବୋଲି ଜଣାଇଦେଇଛନ୍ତି। ତାଙ୍କୁ ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ କୁହାଯାଇଛି। ଏହି ନିର୍ଦ୍ଦେଶ ଆସିବା ପରେ ଗୁଜୁରାଟ ପ୍ରଶାସନ ତାଙ୍କଠାରୁ ଗାଡି ଫେରାଇ ଆଣିଛନ୍ତି। ଏଥିସହିତ ତାଙ୍କ ସହିତ ଯେଉଁମାନେ ଫଟୋ ଉଠାଇ ଥିଲେ ସେମାନଙ୍କୁ ମଧ୍ୟ ନିର୍ବାଚନ କାର୍ଯ୍ୟରୁ ବାହାର କରି ଦିଆଯାଇଛି।

ଅଭିଷେକ ଗୁଜୁରାଟରୁ ସିଧା ଉତ୍ତର ପ୍ରଦେଶ ଆସି ନିଜ ପୁରୁଣା ପଦବୀରେ ଯୋଗ ଦେବେ ବୋଲି ନିଜ ଅଧିକାରୀଙ୍କୁ ଅବଗତ କରାଇଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ସେହି ପୁରୁଣା ସ୍ଥାନରେ ନିଯୁକ୍ତି ଦିଆଯାଇ ନାହିଁ।

ଏହି ଖବର ପରେ ଅଭିଷେକ ଟୁଇଟରେ ନିଜର କିଛି ଭୁଲ ହୋଇ ନାହିଁ ବୋଲି ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ କମିଶନରଙ୍କ ନିଷ୍ପତିକୁ ମୁଁ ସ୍ବାଗତ କରୁଛି। ହେଲେ ସେହି ପୋଷ୍ଟିଂରେ କୌଣସି ଭୁଲ ନ ଥିଲା ବୋଲି ଅଭିଷେକ କହିଛନ୍ତି। ମୁଁ ଜଣେ ପବ୍ଲିକ ସର୍ଭେଣ୍ଟ, ପବ୍ଲିକ ପଇସାର ଗାଡି, ପବ୍ଲିକ ସେବା ପାଇଁ ନିୟୋଜିତ ଅଧିକାରୀଙ୍କ ଧରି ପବ୍ଲିକ ସେବା କରିବାକୁ ଯାଉଥିଲି। ଯାହା ପବ୍ଲିକଙ୍କୁ ଅବଗତ କରାଇଥିଲି।

Related posts