ଚାଷୀ ପ୍ରସଂଗ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ, ଶାସକ ବିରୋଧୀ ମୁହାଁମୁହିଁ

Published: Nov 25, 2022, 12:22 pm IST

ଭୁବନେଶ୍ବର: ଚାଷୀ ପ୍ରସଂଗ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇ ଉଠିଛି। ଉଭୟ ଶାସକ ଏବଂ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଆଜି ବିଧାନସଭା ଆରମ୍ଭରୁ ବିରୋଧୀ ବିଜେପି ଏହି ଚାଷୀ ପ୍ରସଂଗ ନେଇ ହାଙ୍ଗାମା କରିଥିଲା। ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ।

ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଏବଂ ବିରୋଧୀ ଚାଷୀ ପ୍ରସଂଗରେ ମୁହାଁମୁହିଁ ହୋଇଥିଲେ। ଚାଷୀ ମାରଣ ନୀତି ଚଳିବ ନାହିଁ, ସରକାର ତୁମେ ହାଏ ହାଏ ଏଭଳି ସ୍ଲୋଗାନ ଦେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି ସହ ପ୍ରବଳ ହଟ୍ଟଗୋଳ କରିଥିଲେ।

ସେହିପରି ଶାସକ ବିଜେଡି ସଭ୍ୟମାନେ ବାଚସ୍ପତିଙ୍କ ପୋଡିଅମ ସମ୍ମୁଖରେ ଚାଷୀଙ୍କୁ କେନ୍ଦ୍ର ଦେଉନି ସାର ସ୍ଲୋଗାନ ଦେଇ ଅନୁରୂପ ଭାବେ ହୋହାଲ୍ଲା କରିବାରୁ ଗୃହର ସ୍ଥିତି ସରଗରମ ହୋଇପଡିଥିଲା। ଫଳରେ ବିରୋଧୀ ଶାସକ ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି

ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ସରକାର ଚାଷୀଙ୍କୁ ଭଣ୍ଡୁଛନ୍ତି। ଫସଲ ବୀମା ପ୍ରଦାନକୁ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

ଅପରପକ୍ଷରେ ଶାସକ ବିଜେଡି ସଭ୍ୟମାନେ ମଧ୍ୟ ଚାଷୀ ସମସ୍ୟା ପାଇଁ କେନ୍ଦ୍ର ସରକାର ଉପରେ ଦୋଷ ଲଦିବା ସହ ଫସଲର ସହାୟକ ମୂଲ୍ୟ କାହିଁକି ବୃଦ୍ଧି ହେଉନି ବୋଲି ପ୍ରଶ୍ନ ଉତ୍ଥାପନ କରିଥିଲେ I ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିଥିବା ବିଜେଡି ଅଭିଯୋଗ କରିଛି।

Related posts