Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାଷୀ ପ୍ରସଂଗ ନେଇ ଗୃହରେ ପ୍ରବଳ ହଟ୍ଟଗୋଳ, ଶାସକ ବିରୋଧୀ ମୁହାଁମୁହିଁ

ଭୁବନେଶ୍ବର: ଚାଷୀ ପ୍ରସଂଗ ନେଇ ଆଜି ବିଧାନସଭା ହୁଲସ୍ତୁଲ ହୋଇ ଉଠିଛି। ଉଭୟ ଶାସକ ଏବଂ ବିରୋଧୀ ସଦସ୍ୟ ମୁହାଁମୁହିଁ ହୋଇଛନ୍ତି। ଆଜି ବିଧାନସଭା ଆରମ୍ଭରୁ ବିରୋଧୀ ବିଜେପି ଏହି ଚାଷୀ ପ୍ରସଂଗ ନେଇ ହାଙ୍ଗାମା କରିଥିଲା। ଗୃହ ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ।

ଆଜି ଗୃହ ଆରମ୍ଭ ହେବା ମାତ୍ରେ ଉଭୟ ଶାସକ ଏବଂ ବିରୋଧୀ ଚାଷୀ ପ୍ରସଂଗରେ ମୁହାଁମୁହିଁ ହୋଇଥିଲେ। ଚାଷୀ ମାରଣ ନୀତି ଚଳିବ ନାହିଁ, ସରକାର ତୁମେ ହାଏ ହାଏ ଏଭଳି ସ୍ଲୋଗାନ ଦେଇ ଉଭୟ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହର ମଧ୍ୟ ଭାଗକୁ ଆସି ନାରାବାଜି ସହ ପ୍ରବଳ ହଟ୍ଟଗୋଳ କରିଥିଲେ।

ସେହିପରି ଶାସକ ବିଜେଡି ସଭ୍ୟମାନେ ବାଚସ୍ପତିଙ୍କ ପୋଡିଅମ ସମ୍ମୁଖରେ ଚାଷୀଙ୍କୁ କେନ୍ଦ୍ର ଦେଉନି ସାର ସ୍ଲୋଗାନ ଦେଇ ଅନୁରୂପ ଭାବେ ହୋହାଲ୍ଲା କରିବାରୁ ଗୃହର ସ୍ଥିତି ସରଗରମ ହୋଇପଡିଥିଲା। ଫଳରେ ବିରୋଧୀ ଶାସକ ସଭ୍ୟଙ୍କ ମଧ୍ୟରେ ମୁହାଁମୁହିଁ ଅବସ୍ଥା ସୃଷ୍ଟି

ଗୃହ ବାହାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ସରକାର ଚାଷୀଙ୍କୁ ଭଣ୍ଡୁଛନ୍ତି। ଫସଲ ବୀମା ପ୍ରଦାନକୁ ନେଇ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। କଂଗ୍ରେସ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ମଧ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ।

ଅପରପକ୍ଷରେ ଶାସକ ବିଜେଡି ସଭ୍ୟମାନେ ମଧ୍ୟ ଚାଷୀ ସମସ୍ୟା ପାଇଁ କେନ୍ଦ୍ର ସରକାର ଉପରେ ଦୋଷ ଲଦିବା ସହ ଫସଲର ସହାୟକ ମୂଲ୍ୟ କାହିଁକି ବୃଦ୍ଧି ହେଉନି ବୋଲି ପ୍ରଶ୍ନ ଉତ୍ଥାପନ କରିଥିଲେ I ଓଡ଼ିଶା ପ୍ରତି କେନ୍ଦ୍ର ସରକାର ବୈମାତୃକ ମନୋଭାବ ପୋଷଣ କରିଥିବା ବିଜେଡି ଅଭିଯୋଗ କରିଛି।

Categories
ବିଶେଷ ଖବର ରାଜ୍ୟ ଖବର

ବିଧାନସଭା ଶୀତ ଅଧିବେଶନ ନେଇ ବସିଲା ସର୍ବଦଳୀୟ ବୈଠକ, ନିଆଗଲା ଏହି ନିଷ୍ପତି

ଭୁବନେଶ୍ୱର: ଆସନ୍ତା ୨୪ ତାରିଖରୁ ଆରମ୍ଭ ହେଉଥିବା ଷୋଡ଼ଶ ବିଧାନସଭାର ଏକାଦଶ ଅଧିବେଶନ ପାଇଁ ଆଜି ପୂର୍ବାହ୍ନରେ ମାନ୍ୟବର ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ବିଧାନସଭା ସମ୍ମିଳନୀ କକ୍ଷଠାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ବିରୋଧି ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର, ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ମାନ୍ୟବର ବିଜ୍ଞାନ ଓ କାରିଗରୀ, ସରକାରୀ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମାନ୍ୟବର ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି ଯୋଗ ଦେଇଥିଲେ।

ସେହିପରି କଂଗ୍ରେସ ବିଧାୟକ ଦଳର ନେତା ଶ୍ରୀ ନରସିଂହ ମିଶ୍ର, ଭାରତୀୟ ଜନତା ପାର୍ଟି ବିଧାୟକ ଦଳର ମାନ୍ୟବର ମୁଖ୍ୟ ସଚେତକ ଶ୍ରୀ ମୋହନ ଚରଣ ମାଝୀ, ମାନ୍ୟବର ସଦସ୍ୟ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ମାନ୍ୟବର ସଦସ୍ୟ ଶ୍ରୀ ଲକ୍ଷ୍ମଣ ମୁଣ୍ଡା ଉପସ୍ଥିତ ରହି ବିଧାନସଭା ଅଧିବେଶନର ସୁପରିଚାଳନା ପାଇଁ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ଅଧିବେଶନରେ ରାଜ୍ୟର ୨୦୨୨-୨୩ ମସିହାର ପ୍ରଥମ ଅତିରିକ୍ତ ବଜେଟ ଉପସ୍ଥାପନ ହୋଇ ପାରିତ ହେବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ରହିଛି।

କୋଭିଡ୍‌ କଟକଣା ପ୍ରତ୍ୟାହାର କରାଯାଇଥିବା ଦୃଷ୍ଟିରୁ ଗୃହରେ ସଦସ୍ୟମାନେ ସ୍ୱାଭାବିକ ଭାବେ ନିଜ ନିଜ ସ୍ଥାନରେ ବସିବେ ଏବଂ ପ୍ରେସ୍‌ ଗ୍ୟାଲେରୀକୁ କୋଭିଡ୍‌ ପୂର୍ବବର୍ଷ ଭଳି ଗଣମାଧ୍ୟମ ପ୍ରତିନିଧିମାନେ ଆସିପାରିବେ।

ଏଥି ସହିତ ଅସୁସ୍ଥତା କାରଣରୁ ଭିଡ଼ିଓ କନ୍‌ଫରେନ୍ସିଂ ଜରିଆରେ ଗୃହ କାର୍ଯ୍ୟରେ ଯୋଗଦେବାକୁ ଚାହୁଁଥିବା ସଦସ୍ୟମାନେ ଦରଖାସ୍ତ ଜରିଆରେ ଜଣାଇଲେ ତାଙ୍କୁ ସେହି ସୁବିଧା ଯୋଗାଇଦେବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ବୋଲି ବାଚସ୍ପତି ଶ୍ରୀ ଆରୁଖ କହିଛନ୍ତି।