ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଭୁବନେଶ୍ବରରେ ସହରାଞ୍ଚଳ “ମୋ ସେବା କେନ୍ଦ୍ର” ଉଦଘାଟିତ

Published: Dec 30, 2022, 9:42 pm IST
Mo Seva Kendra

ଭୁବନେଶ୍ବର: ଭୁବନେଶ୍ବରରେ ଆଦର୍ଶ “ସହରାଂଚଳ ମୋ ସେବା କେନ୍ଦ୍ର” ଆଜି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଭୁବନେଶ୍ୱର ବାପୁଜୀ ନଗରରେ ସ୍ମାର୍ଟ ସିଟି ସହଯୋଗରେ ଏହି ମୋ ସେବା କେନ୍ଦ୍ର ଆରମ୍ଭ କରାଯାଇଛି। ଏହି କେନ୍ଦ୍ରରେ ସହରାଞ୍ଚଳବାସୀଙ୍କୁ କୃଷକ ପଞ୍ଜୀକରଣ, ଶ୍ରମ ପଞ୍ଜିକରଣ, ମୃତ୍ୟୁ ଏବଂ ଜନ୍ମ ପ୍ରମାଣପତ୍ର, ଆଧାର କାର୍ଡ, ପ୍ୟାନ କାର୍ଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ, ଜୀବନ ପ୍ରମାଣ ଇତ୍ୟାଦି ଡିଜିଟାଲ୍ ସେବା ଯୋଗାଇ ଦିଆଯିବ।

ବର୍ତ୍ତମାନସୁଦ୍ଧା ୬୨୦୦ ପଞ୍ଚାୟତରେ “ମୋ ସେବା କେନ୍ଦ୍ର” ପ୍ରତିଷ୍ଠା କରାଯାଇଅଛି। ମୋ ସେବା କେନ୍ଦ୍ର ମାଧ୍ୟମରେ ୪୦୦ରୁ ଉର୍ଦ୍ଧ ସେବା ସୁଲଭ ମୂଲ୍ୟରେ ନାଗରିକଙ୍କ ପାଇଁ ଉପଲବ୍ଧ କରାଯାଇଛି। ଏହି ମଡେଲ୍ “ସହରାଂଚଳ ମୋ ସେବା କେନ୍ଦ୍ର” ସହରାଞ୍ଚଳ ନାଗରିକଙ୍କ ବସବାସ କରୁଥିବା ଲୋକଙ୍କ ଦୈନଦିନ ଡିଜିଟାଲ୍ ସେବାର ଅବଶ୍ୟକତାକୁ ପୂରଣକରିବ। ଏହି ସେବାକେନ୍ଦ୍ରରେ ୪ଟି ସାଧାରଣ କାଉଣ୍ଟର ଏବଂ ୨ଟି ଆଧାର କାଉଣ୍ଟର ଉପଲବ୍ଧ କରାଯାଇଛି। ଏହି କେନ୍ଦ୍ରରେ ସାଧାରଣ ଲୋକଙ୍କ ପାଇଁ ସୁବ୍ୟବସ୍ଥିତ ପ୍ରତୀକ୍ଷାଗୃହର ,
ମଧ୍ଯ ବ୍ୟବସ୍ଥା କରାଯାଇଛି।

ଓଡ଼ିଶା ସରକାରଙ୍କ ୫-ଟି କାର୍ଯ୍ୟକ୍ରମ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଏବଂ ଓକାକର ମିଳିତ ଆନୁକୁଲ୍ୟରେ ସମସ୍ତ ଡିଜିଟାଲ୍ ସେବାଗୁଡିକ ନାଗରିକଙ୍କ ନିକଟରେ ପହଞ୍ଚେଇବାପାଇଁ ଏହା ଏକ ସ୍ଵତନ୍ତ୍ର ପ୍ରୟାସ।

ଏହି ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା, ଭୁବନେଶ୍ବର ମେୟର ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ପରିଚାଳନା ନିର୍ଦେଶକ ସ୍ମାର୍ଟ ସିଟି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ମାର୍ଟ ସିଟି, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓକାକ, ସାଧାରଣ ପରିଚାଳିକା ଓକାକ, ନିର୍ଦ୍ଦେଶକ ସହଜ ଏବଂ ସମସ୍ତ ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ।

Related posts