ଆଜି ରାଷ୍ଟ୍ରପତିଙ୍କ ସମ୍ବୋଧନର ଉତ୍ତର ଦେବେ ପ୍ରଧାନମନ୍ତ୍ରୀ, ରାହୁଲଙ୍କ ଅଭିଯୋଗର ଦେଇପାରନ୍ତି ଜବାବ

Published: Feb 8, 2023, 12:12 pm IST

ନୂଆଦିଲ୍ଲୀ: ଆଦାନୀ ବିବାଦକୁ ନେଇ ସଂସଦରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଲୋକସଭାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ଉପରେ ଜବାବ ଦେବେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିପାରନ୍ତି।

ବାସ୍ତବରେ, ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ ଲୋକସଭାରେ ଆଦାନୀ ପ୍ରସଙ୍ଗ ଉଠାଇବାବେଳେ କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଆକ୍ରମଣ କରିଥିଲେ। ସେ କହିଥିଲେ ଯେ, ୨୦୧୪ ମସିହାରେ ଆଦାନୀ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ୬୦୯ ନମ୍ବରରେ ଥିଲେ ଏବଂ ବର୍ତ୍ତମାନ ସେ ହଠାତ୍ ଦୁଇ ନମ୍ବରରେ ପହଞ୍ଚିଛନ୍ତି। ଏହି ଯାଦୁ କିପରି ହେଲା? ସରକାରଙ୍କ ବିରୁଦ୍ଧରେ ଅଭିଯୋଗ କରି ରାହୁଲ କହିଥିଲେ ଯେ, ବିମାନବନ୍ଦର ନିୟମାବଳୀ ପରିବର୍ତ୍ତନ କରି ଆଦାନୀ ଗୋଷ୍ଠୀକୁ ବିମାନବନ୍ଦର ପାଇଁ ଚୁକ୍ତିନାମା ଦିଆଯାଇଛି।

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଦାନୀ ପ୍ରସଙ୍ଗରେ ଗୋଟିଏ ପରେ ଗୋଟିଏ ପ୍ରଶ୍ନ ପଚାରିଥିଲେ। ଯେଉଁଥିରେ ‘ଆଦାନୀ ଜୀ ଆପଣଙ୍କ ସହିତ କେତେଥର ବିଦେଶ ଯାତ୍ରା କରିଥିଲେ? ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଦେଶ ଗସ୍ତ ପରେ ଆଦାନୀ କେତେ ଥର ଚୁକ୍ତି ପାଇଥିଲେ? ଗତ ୨୦ ବର୍ଷ ମଧ୍ୟରେ ଭାରତୀୟ ଜନତା ପାର୍ଟି ଆଦାନୀଙ୍କଠାରୁ କେତେ ଟଙ୍କା ପାଇଛି? ‘ ଏପରି ପ୍ରଶ୍ନ ପଚରାଯାଇଥିଲା। ହିନ୍ଦନବର୍ଗ ରିପୋର୍ଟକୁ ସୂଚାଇ ରାହୁଲ ଗାନ୍ଧୀ କହିଛନ୍ତି ଯେ, ଆଦାନୀଙ୍କ କମ୍ପାନୀରେ ଏସବିଆଇ, ଏଲଆଇସି ଟଙ୍କା କାହିଁକି ରଖାଗଲା?

ଏଥି ସହିତ ରାହୁଲଙ୍କ ଏହି ପ୍ରଶ୍ନ ଏବଂ ଅଭିଯୋଗ ଉପରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି ଯେ, ବିନା ପ୍ରମାଣରେ ଅଭିଯୋଗ କରିବାର କୌଣସି ଅର୍ଥ ନାହିଁ। ଯଦି ଆପଣଙ୍କର ଅଭିଯୋଗ ସତ, ତେବେ ଦଲିଲଗୁଡ଼ିକୁ ସାମ୍ନାରେ ରଖନ୍ତୁ। ବିଜେପି ସାଂସଦ ନିଶିକାନ୍ତ ଦୁବେ ମଧ୍ୟ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ମୁଁ କଂଗ୍ରେସକୁ ଚ୍ୟାଲେଞ୍ଜ କରୁଛି ଯେ, ତାଙ୍କର ମତକୁ ପ୍ରମାଣ କରନ୍ତୁ।

Related posts