ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି, ନିଜ କଲେଜ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ

Published: Feb 9, 2023, 6:39 pm IST
President

ଭୁବନେଶ୍ବର: ଆସନ୍ତାକାଲି ଦୁଇଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଦିନ ୧୧ ଟା ୪୫ ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଚିବେ ବୋଲି ଜଣାପଡିଛି। ଆସନ୍ତାକାଲି ସେ ପୂର୍ବହ୍ନରେ ଜ୍ଞାନପ୍ରଭା ମିଶନର ପ୍ରତିଷ୍ଠା ଦିବସରେ ଯୋଗଦେବେ। ଏହି ଉତ୍ସବ ଭୁବନେଶ୍ବରର ଉତ୍କଳ ମଣ୍ଡପରେ ଆୟୋଜନ କରାଯାଇଛି।

ଏହାପରେ ସେ ରାଜଭବନ ଯିବେ। ସେଠାରୁ ଅପରାହ୍ନରେ ସେ ରମାଦେବୀ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ସେ ଏହି ଉତ୍ସବରେ ଦୀକ୍ଷାନ୍ତ ଭାଷଣ ଦେବା ସହିତ ଚାରି ଓଡିଆ ମହିଳାଙ୍କୁ ଡିଲିଟ ପ୍ରଦାନ କରିବେ। ଏଥିପାଇଁ ବିଶ୍ବବିଦ୍ୟାଳୟ ତରଫରୁ ବ୍ୟାପବକ ବନ୍ଦୋବସ୍ତ କରାଯାଇଛି।

ଏହି ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳାଧୀପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ରୋହିତ ପୂଜାରୀ, ଉଚ୍ଚଶିକ୍ଷା ସଚିବ ବିଷ୍ଣପଦ ସେଠୀ ପ୍ରମୁଖ ଯୋଗଦେବେ। ତେବେ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଉ ନ ଥିବାର ଜଣାପଡିଛି।

ପ୍ରଥମ ଥର ପାଇଁ ନିଜ କଲେଜକୁ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଏହି କଲେଜରେ ୧୯୭୫ ମସିହାରୁ ୧୯୭୯ ପର‌୍ୟ୍ୟନ୍ତ ଛାତ୍ରୀଥିଲେ। ସେ ସମୟରେ ଯେଉଁମାନେ ତାଙ୍କର କ୍ଲାସମେଟ ଥିଲେ ସେମାନଙ୍କୁ ଏହି ଉତ୍ସବରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ରାଷ୍ଟ୍ରପତି ଏହି କଲେଜ ବୁଲି ନିଜର ଅନୁଭୂତିକୁ ସ୍ମୃତି ଚାରଣ କରିବେ ବୋଲି ଜଣାପଡିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୨୦୧୯ ମସିହାରେ ରମାଦେବୀ ବିଶ୍ବବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ତାଙ୍କୁ ଡକ୍ଟରେଟ ସମ୍ମାନ ପ୍ରଦାନ କରାଯାଇଥିଲା। ସେତେବେଳେ ସେ ଝାଡଖଣ୍ଡର ରାଜ୍ୟପାଳ ଥିଲେ। ରାଷ୍ଟ୍ରପତି ଭାବେ ନିଜ କଲେଜକୁ ଆସୁଥିବାରୁ ଛାତ୍ରଛାତ୍ରୀ ତଥା ଅଧ୍ୟାପକଅଧ୍ୟାପିକାମାନେ ବେଶ ଉତ୍ସାହିତ ହୋଇପଡିଛନ୍ତି।

ସେହିପରି ରାଷ୍ଟ୍ରପତି ୧୧ ତାରିଖ ଦିନ ସକାଳେ ଲିଙ୍ଗରାଜ ମନ୍ଦିର ଦର୍ଶନରେ ଯିବେ। ସେଠାରେ ସେ ପ୍ରଭୃଙ୍କ ଦର୍ଶନ କରି ବେଢା ପରିକ୍ରମା କରିବେ। ସେଥିପାଇଁ ପୋଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହାପରେ ସେ କଟକ କେନ୍ଦ୍ର ଧାନଗବେଷଣ କେନ୍ଦ୍ରର କାର‌୍ୟ୍ୟକ୍ରମରେ ଯୋଗଦେବେ। ଅପରାହ୍ନରେ ସେ ଦିଲ୍ଲୀ ଫେରିଯିବେ ବୋଲି ଜଣାପଡିଛି। ରାଷ୍ଟ୍ରପତି ହେବା ପରେ ଏହା ହେଉଛି ତାଙ୍କର ଦ୍ବିତୀୟ ଓଡିଶା ଗସ୍ତ।

Related posts