ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଲୋକେ କାହିଁକି ହେଲେ ଆଶ୍ଚର୍ଯ୍ୟ

Published: Feb 11, 2023, 12:18 pm IST

ଭୁବନେଶ୍ବର: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପରିବାର ସହିତ ପ୍ରଭୃ ଲିଙ୍ଗରାଜଙ୍କୁ ଦର୍ଶନ କରିଛନ୍ତି। ସେ ପ୍ରାୟ ୪୦ ମିନଟ ଧରି ମନ୍ଦିରରେ ରହି ପୂଜା ଅର୍ଚ୍ଚନା କରିଥିଲେ। ସେ ମନ୍ଦିରରେ ଉଭୟ ଜଳାଭିଷେକ ଏବଂ ଖିର ଅଭିଷେକ ମଧ୍ୟ କରିଥିଲେ। ସେତିକି ନୁହେଁ ସେ ମନ୍ଦିର ବେଢା ଭ୍ରମଣ କରି ସମସ୍ତ ମନ୍ଦିରରେ ମୁଣ୍ଡିଆ ମାରିଥିଲେ।

ରାଷ୍ଟ୍ରପତିଙ୍କ ପାଇଁ ମନ୍ଦିରର ଐତିହ୍ୟ ସଂପର୍କରେ ଅବଗତ କରାଇବା ପାଇଁ ମନ୍ଦିର ପ୍ରଶାସନ ତରଫରୁ ଜଣଙ୍କୁ ନିଯୁକ୍ତ କରାଯାଇଥିଲା। ଏହି ସମୟରେ ତାଙ୍କ ପାଖରେ ଖୋର୍ଦ୍ଧା ଜିଲ୍ଲାପାଳ, ମନ୍ଦିର ପ୍ରଶାସନ ମୁଖ୍ୟଙ୍କ ସହିତ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ମନ୍ଦିର ଚତୁପାର୍ଶରେ ସମସ୍ତେ ପରିଦର୍ଶନ କରିଥିଲେ।

ଏହାପରେ ରାଷ୍ଟ୍ରପତିଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଭୃ ଲିଙ୍ଗରାଜଙ୍କ ଶୁଖୁଲା ପ୍ରସାଦ ପ୍ରଦାନ କରାଯାଇଥିଲା। ଅନ୍ୟପକ୍ଷରେ ରାଷ୍ଟ୍ରପତି ସେଠାରେ ଥିବା ସେବକମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରିଥିଲେ।

ରାଷ୍ଟ୍ରପତି ପ୍ରଥମେ ରଥ ରୋଡ ଦେଇ ମନ୍ଦିରକୁ ଯାଇଥିଲେ। ମନ୍ଦିର ସମ୍ମୁଖରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ସେଠାରେ ଆଦିବାସୀ ନୃତ୍ୟ ଓ ବାଜା ବଜାଇ ରାଷ୍ଟ୍ରପତିଙ୍କୁ ସ୍ବାଗତ କରାଯାଇଥିଲା। ମନ୍ଦିର ପାଖରେ ରାଷ୍ଟ୍ରପତି ପହଞ୍ଚିବା ପରେ ସେ ପ୍ରଥମେ ପାଦହରା ପୁଷ୍କରଣୀକୁ ଯାଇ ପାଦ ଧୋଇ ମନ୍ଦିର ଭିତରେ ପ୍ରବେଶ କରିଥିଲେ।

ରାଷ୍ଟ୍ରପତିଙ୍କ କୌଣସି କାର୍ଯ୍ୟକ୍ରମରେ ସାମିଲ ନ ଥିଲା ବେଳେ ସେ ହଠାତ ଖାଲିପାଦରେ ଚାଲିଚାଲି ବିନ୍ଦୁ ସାଗରକୁ ଯାଇଥିଲେ। ଏହି ସମୟରେ ପ୍ରଶାସନ ତରଫରୁ ବ୍ୟବସ୍ଥା କରାଯାଇ ନ ଥିବାରେ ସମସ୍ତେ ହଡବଡେଇ ଯାଇଥିଲେ। ରାଷ୍ଟ୍ରପତି ଖାଲିପାଦରେ ମନ୍ଦିରରୁ ବିନ୍ଦୁ ସାଗରକୁ ଚାଲିଚାଲି ଯିବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡିଥିଲେ।

Related posts