ବିଜେପିର ସେଲଫି ଅଭିଯାନକୁ ନେଇ ତୀବ୍ର ସମାଲୋଚନା କଲା ବିଜେଡି

Published: Feb 13, 2023, 4:58 pm IST
SreeMayee

ଭୁବନେଶ୍ୱର : ସେଲଫି ଅଭିଯାନ ପରିବର୍ତ୍ତେ ମହିଳା ସଶକ୍ତିକରଣ ପାଇଁ ଓଡିଶା ବିଜେପି ସଂସଦରେ ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗ ନେଇଥାନ୍ତା ଭଲ ହୋଇଥାନ୍ତା। ଏହା କହିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର।

ବିଜେପିର ସେଲଫି ଅଭିଯାନ ଉପରେ ଗଣମାଧ୍ୟମକୁ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ଉଜ୍ୱଳା ଯୋଜନାରେ ୯୦ ଲକ୍ଷ ମହିଳା ୨୦୨୧-୨୨ ମସିହାରେ ସିଲିଣ୍ଡର ରିଫିଲ କରିପାରି ନ ଥିଲେ ଏବଂ ସେମାନେ ଯନ୍ତ୍ରଣା ଭୋଗିଥିଲେ।

କେନ୍ଦ୍ର ଦ୍ୱାରା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ବନ୍ଦ ହେବା କାରଣରୁ ଓଡିଶାର ଏକ କୋଟିରୁ ଅଧିକ ମହିଳା ପ୍ରତି ମାସରେ ଅତିରିକ୍ତ ଭାବେ ମୁଣ୍ଡପିଛା ପାଉଥିବା ୫ କିଲୋଗ୍ରାମ ମାଗଣା ଚାଉଳରୁ ବଞ୍ଚିତ ହେବେ। କେନ୍ଦ୍ର ଓଡିଶାରୁ ବଳକା ଚାଉଳ ଉଠାଉନଥିବାରୁ ଏବଂ ଧାନ କ୍ରୟ ପରିମାଣ ହ୍ରାସ ଯୋଗୁଁ ମହିଳା କୃଷକ ଏବଂ କୃଷକ ପରିବାରରେ ଥିବା ମହିଳା ସଦସ୍ୟମାନେ ଏହାର ଫଳ ଭୋଗିବେ।

କେନ୍ଦୁ ପତ୍ର ଉପରେ ୧୮% ଜିଏସଟି ଲାଗୁ ଯୋଗୁଁ ଜୀବିକା ପାଇଁ କେନ୍ଦୁ ପତ୍ର ସଂଗ୍ରହ କରୁଥିବା ପ୍ରାୟ ୮ ଲକ୍ଷ ଆଦିବାସୀ ମହିଳା କ୍ଷତିଗ୍ରସ୍ତ ହେଉଛନ୍ତି। ସେଲଫି ଅଭିଯାନ କରିବା ପରିବର୍ତ୍ତେ ଯଦି ମହିଳାଙ୍କ ସହ ଜଡିତ ଏହି ପ୍ରକୃତ ପ୍ରସଙ୍ଗକୁ ଓଡ଼ିଶା ବିଜେପି ଉଠାନ୍ତା ତେବେ ରାଜ୍ୟର ମହିଳାଙ୍କ ମଙ୍ଗଳ ହୁଅନ୍ତା ବୋଲି ଶ୍ରୀମତୀ ମିଶ୍ର କହିଛନ୍ତି।

Related posts