ରାଜ୍ୟ ପଞ୍ଚାୟତିରାଜ ବିଭାଗର ସଫଳତା ସଂପର୍କରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଧହୁଏ ଅବଗତ ନାହାନ୍ତି: ବିଜେଡି

Published: Feb 17, 2023, 8:13 pm IST

ଭୁବନେଶ୍ବର: ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଭାରତ ସରକାରଙ୍କ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର ମାନ୍ୟବର ମନ୍ତ୍ରୀ। ଓଡ଼ିଶାରେ ପଞ୍ଚାୟତିରାଜ ବିଭାଗ କିପରି କାମ କରୁଛି, ତାହା ବୋଧହୁଏ ସେ ଭଲ ଭାବେ ଅବଗତ ନାହାନ୍ତି। ଆଜି ଗଣମାଧ୍ୟମରେ ଏଭଳି ମତ ରଖିଛନ୍ତି ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଡା. ସସ୍ମିତ ପାତ୍ର।

ଶ୍ରୀ ପାତ୍ର କହିଛନ୍ତି ଯେ, ସମ୍ଭବତଃ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୩୦ରୁ ୩୦ ଜିଲ୍ଲା ପରିଷଦ ହାରିବା ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶା ଶାଖାର ନେତାମାନେ ହତାଶ ହୋଇ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ମିଥ୍ୟା ତଥ୍ୟ ଦେଇଛନ୍ତି। ଓଡ଼ିଶାର ପଞ୍ଚାୟତିରାଜ ବିଭାଗରେ ନିରନ୍ତର ଭାବେ ଯେଉଁସବୁ ଭଲ କାମ ଚାଲିଛି ଏବଂ ସେଥିପାଇଁ ଜାତୀୟସ୍ତରର ବିଭିନ୍ନ ସଂସ୍ଥା ପକ୍ଷରୁ ପୁରସ୍କୃତ ହୋଇଛି, ତାହା ସେ ଜାଣିନାହାନ୍ତି।

ତେଣୁ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କୁ ଅନୁରୋଧ, ସେ କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରୁ ଏ ସମ୍ପର୍କରେ ପ୍ରକୃତ ତଥ୍ୟ ସଂଗ୍ରହ କରି ତାହା ଅନୁଧ୍ୟାନ କରନ୍ତୁ । ତେବେ ତାଙ୍କର ଏହି ସଂଶୟ ଦୂର ହୋଇଯିବ। ଏହାଛଡ଼ା ସେ ଆଉ ତାଙ୍କ ଦଳର ସ୍ଥାନୀୟ ନେତାମାନଙ୍କ ମିଛକୁ ବିଶ୍ଵାସ ନ କରିବାକୁ ଏବଂ ଭ୍ରମାତ୍ମକ ତଥ୍ୟ  ଦ୍ଵାରା ପ୍ରଭାବିତ ନ ହେବାକୁ ଶ୍ରୀ ପାତ୍ର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅନୁରୋଧ କରିଛନ୍ତି।

Related posts