ସୁପ୍ରିମକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି: ଏଣିକି କେନ୍ଦ୍ରର ଇଚ୍ଛାରେ ହେବନି ନିର୍ବାଚନ ଆୟୋଗରେ ନିଯୁକ୍ତି

Published: Mar 2, 2023, 1:29 pm IST

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର କାର୍ଯ୍ୟରେ ଅଧିକ ବିଶ୍ୱସନୀୟତା ଆଣିବାକୁ ସୁପ୍ରିମକୋର୍ଟ ଐତିହାସିକ ନିଷ୍ପତ୍ତି ନେଇଛନ୍ତି। ଅଦାଲତ କହିଛନ୍ତି ଯେ, ମୁଖ୍ୟ ନିର୍ବାଚନ କମିଶନର ଏବଂ ନିର୍ବାଚନ କମିଶନରଙ୍କ ନିଯୁକ୍ତି ଆଉ କେନ୍ଦ୍ର ସରକାର ସିଧାସଳଖ କରିବେ ନାହିଁ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ତଥା ଭାରତର ପ୍ରଧାନ ବିଚାରପତିଙ୍କୁ ନେଇ ଏକ କମିଟି ଦ୍ୱାରା ସୁପାରିଶ କରାଯିବ। ଯଦି ଲୋକସଭାରେ ବିରୋଧୀଦଳର ନେତା ପଦ ଖାଲି ହୁଏ, ତେବେ ସର୍ବ ବୃହତ ବିରୋଧୀ ଦଳର ନେତା ଏହି କମିଟିର ସଦସ୍ୟ ହେବେ। ରାଷ୍ଟ୍ରପତି ଏହି କମିଟି ଦ୍ୱାରା ମନୋନୀତ ବ୍ୟକ୍ତିଙ୍କୁ ଏହି ପଦରେ ନିଯୁକ୍ତ କରିବେ। ସଂସଦ ଦ୍ୱାରା ଏ ବାବଦରେ ଏକ ଆଇନ ପ୍ରଣୟନ ନହେବା ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି।

ଜଷ୍ଟିସ କେଏମ ଜୋସେଫଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ସମ୍ବିଧାନ ବେଞ୍ଚ କହିଛନ୍ତି ଯେ, ଗଣତନ୍ତ୍ର ଉପରେ ଲୋକଙ୍କ ବିଶ୍ୱାସ ବଜାୟ ରଖିବା ଆବଶ୍ୟକ। ସେତେବେଳେ ଏହା ହୋଇପାରିବ, ଯେତେବେଳେ ସେମାନେ ନିର୍ବାଚନ ଆୟୋଗର କାର୍ଯ୍ୟକୁ ବିଶ୍ୱସନୀୟ ମନେ କରନ୍ତି। ଏହି ବେଞ୍ଚର ଅବଶିଷ୍ଟ ୪ ଜଣ ସଦସ୍ୟ ଥିଲେ ଜଷ୍ଟିସ୍ ଅଜୟ ରସ୍ତୋଗୀ, ଅନିରୁଦ୍ଧ ବୋଷ, ଋଷିକେଶ ରାୟ ଏବଂ ସିଟି ରବିକୁମାର। ଏପରିକି ମାମଲାର ଶୁଣାଣି ସମୟରେ ମଧ୍ୟ ସୁପ୍ରିମକୋର୍ଟ ସରକାରଙ୍କ ଦ୍ୱାରା ନିର୍ବାଚନ କମିଶନରଙ୍କ ନିଯୁକ୍ତିକୁ ଭୁଲ ବୋଲି କହିଥିଲେ। କୋର୍ଟ କହିଛନ୍ତି ଯେ, ଏଭଳି ବ୍ୟକ୍ତି ମୁଖ୍ୟ ନିର୍ବାଚନ କମିଶନର ପଦରେ ବସିବା ଉଚିତ୍, ଯଦି ଆବଶ୍ୟକ ହୁଏ ତେବେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍କୋଚ କରିବେ ନାହିଁ।

Related posts