ବହରୀନରେ ପାକିସ୍ତାନକୁ କଡା ଜବାବ ଦେଲେ ବିଜେଡ଼ି ସାଂସଦ ଡା. ସସ୍ମିତ ପାତ୍ର, ସେୟାର କଲେ ଭିଡିଓ

Published: Mar 14, 2023, 5:45 pm IST

ନୂଆଦିଲ୍ଲୀ: ବହରୀନରେ ଆନ୍ତ- ସଂସଦୀୟ ସଂଘର ୧୪୬ ତମ ବୈଠକରେ ଭାରତର ପ୍ରତିନିଧୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ସାଂସଦ ଡା. ସସ୍ମିତ ପାତ୍ର ପାକିସ୍ତାନକୁ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ମଞ୍ଚରେ ଜାମ୍ମୁ କାଶ୍ମୀର ବିଷୟରେ ପାକିସ୍ତାନର ଉଲ୍ଲେଖକୁ ଆମେ ସ୍ଵୀକାର କରିବୁ ନାହିଁ।

ଡା. ପାତ୍ର କହିଛନ୍ତି ଯେ, “ଦୁର୍ଭାଗ୍ୟଜନକ ଯେ ପାକିସ୍ତାନ ପୁଣି ଥରେ ଜାମ୍ମୁ କାଶ୍ମୀର ବିଷୟରେ ଉଲ୍ଲେଖ କରିବା ପାଇଁ ଏହି ପ୍ଲାଟଫର୍ମର ଅପବ୍ୟବହାର କରିଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସର୍ବଦା ରହିବ। କୌଣସି ଦେଶ ଦ୍ୱାରା କରାଯାଇଥିବା ବକ୍ତବ୍ୟ ଏବଂ ପ୍ରଚାର ମାଧ୍ୟମରେ ଏହାକୁ ଖାରଜ କରାଯାଇପାରିବ ନାହିଁ। ତଥ୍ୟ ସବୁବେଳେ ତଥ୍ୟ ହେବ।

ସସ୍ମିତ ପାତ୍ର ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ପାକିସ୍ତାନର କହିବାର ଅଧିକାର ନାହିଁ। ଆମେ କ୍ରମାଗତ ଭାବରେ କହିଛୁ ଯେ, ସେମାନେ ତୁରନ୍ତ ବେଆଇନ ତଥା ଜବରଦଖଲ କରିଥିବା ଭାରତୀୟ ଅଞ୍ଚଳକୁ ଖାଲି କରିବା ଉଚିତ୍।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ବିଡମ୍ବନାର ବିଷୟ ଯେ ସୀମା ଆରପାରିରୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଜଣାଶୁଣା ଏବଂ ଜାମ୍ମୁ କାଶ୍ମୀରରେ ଆକ୍ରମଣ କରିବା ପାଇଁ ଦାୟୀ ଦେଶ ମାନବିକ ଅଧିକାର ବିଷୟରେ ବଡ କଥା କହୁଛି। ମୁଁ ପୁଣିଥରେ କହିବାକୁ ଚାହେଁ ଯେ, ଜାମ୍ମୁ କାଶ୍ମୀର ବିଷୟରେ ପାକିସ୍ତାନ ଏହି ମଞ୍ଚର ଅପବ୍ୟବହାର କରିଛି।

Related posts