Categories
ଆଜିର ଖବର ଜାତୀୟ ଖବର ନିର୍ବାଚନ ଖବର ରାଜ୍ୟ ଖବର

ବିଜେଡି ଛାଡିଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି

ଭୁବନେଶ୍ବର: ଆଜି ବିଜେଡି ଛାଡିଛନ୍ତି କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ଆଜି ସେ ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ପଠାଇ ଦେଇଥିବାର ଜଣାପଡିଛି। ଅନୁଭବ ମହାନ୍ତି ବହୁ ଦିନ ଧରି ବିଜେଡିରୁ କଣଠୋସା ହୋଇ ରହିଥିଲେ। ମୁଖ୍ୟତଃ ପତ୍ନୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଛେଦ ନେଇ ସେ ବିବାଦରେ ଥିଲେ। ଫଳରେ ଦଳ ତାଙ୍କୁ କୌଣସି କାର୍ଯ୍ୟରେ ଲୋଡି ନ ଥିବାର ଜଣାପଡିଛି।

ଅନୁଭବ ମହାନ୍ତି ପ୍ରଥମେ ରାଜ୍ୟସଭା ସଦସ୍ୟ ଭାବେ ଦଳ ତାଙ୍କୁ ମନୋନିତ କରିଥିଲା। ଏହାପରେ ତାଙ୍କୁ ଦଳ ଗତ 2019 ନିର୍ବାଚନରେ କେନ୍ଦ୍ରାପଡାରୁ ଲଢେଇ କରିବା ପାଇଁ ପଠାଇଥିଲା। ସେତେବେଳେ ସେ ବିଜେପିର ଟାଣୁଆ ନେତା ବୈଜୟନ୍ତ ପଣ୍ଡାଙ୍କୁ ବହୁ ଭୋଟରେ ହରାଇଥିଲେ। ବର୍ତ୍ତମାନ ସେ ବିଜେଡି ଛାଡିବା ପରେ ବିଜେପିରେ ଯୋଗଦେବେ ବୋଲି ଜଣାପଡିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦମାନେ, ଗତକାଲି ଘଟଣାର କଲେ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ଗତକାଲି ସଂସଦ ଭବନରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ ଯେପରି ମିମିକ୍ରି କରାଗଲା ସେଥିରେ ଦୁଃଖ ପ୍ରକାଶ କରିଛନ୍ତି ବିଜେଡି ସାଂସଦ। ଆଜି ଉପରାଷ୍ଟ୍ରପତିଙ୍କୁ ବିଜେଡି ସାଂସଦ ବିଭିନ୍ନ ସମୟରେ ଭେଟି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି।

ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁଜିତ କୁମାର ପ୍ରମୁଖ ଉପରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ବିଜେଡି ସାଂସଦମାନେ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହିତ ସଂସଦ ପରି ପବିତ୍ର ସ୍ଥାନରେ ଏପରି ଅଶୋଭନୀୟ କାର୍ଯ୍ୟ କରିବା ଦୁଃଖଦାୟକ ବୋଲି ସେମାନେ କହିଥିଲେ।

ଗତକାଲି ବିରୋଧୀ ଦଳର ସଦସ୍ୟମାନେ ସାଂସଦଙ୍କୁ ନିଳମ୍ବିତ କରିବା ପ୍ରତିବାଦରେ ସଂସଦ ଭବନରେ ଆନ୍ଦୋଳନ କରିଥିଲେ। ଏଥିରେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଅଙ୍ଗିଭଙ୍ଗିଙ୍କୁ ନକଲ କରି ଅଭିନୟ କରିଥିଲେ। ଏହା ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବା ସହିତ ବିଭିନ୍ନ ମହଲରେ ନିନ୍ଦା କରାଯାଉଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲି ହେଲେ ବିଜେଡି ସାଂସଦ ମମତା ମହନ୍ତ

ନୂଆଦିଲ୍ଲୀ: ବିଜେଡି ସାଂସଦ ମମତା ମହନ୍ତ ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲରେ ସାମିଲି ହୋଇଛନ୍ତି। ଆଜି ସ୍ବତନ୍ତ୍ର ଅଧିବେସନରେ ଏହା ଘୋଷଣା କରିଛନ୍ତି ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର। ମମତାଙ୍କ ସହିତ ଆଜି ଆଠଜଣ ସାଂସଦଙ୍କୁ ନୂଆ ପ୍ୟାନେଲରେ ସାମିଲ କରାଯାଇ ଏହାର ପୁନଃଗଠନ କରାଯାଇଛି। ଏଥିରେ ଚାରି ଜଣ ମହିଳା ସଦସ୍ୟା ଅଛନ୍ତି।

ମମତାଙ୍କ ସହିତ ଯେଉଁ ମହିଳା ସାଂସଦ ସାମିଲି ହୋଇଛନ୍ତି ସେମାନେ ହେଲେ ବିଜେପିର କାନ୍ତ କରଡାମ, ସୁମିତ୍ରା ବାଲମିକ ଏବଂ ଗୀତା ଓରଫ ଚନ୍ଦ୍ରପ୍ରଭା। ଏହି ଚାରିଜଣଙ୍କୁ ନିଯୁକ୍ତି ଦିଆଯାଇ ପଚାଶ ପ୍ରତିଶତ ମହିଳା ସଂରକ୍ଷଣ କରାଯାଇଛି ବୋଲି ଅଧ୍ୟକ୍ଷ କହିଥିଲେ।

Categories
ବିଶେଷ ଖବର

ବହରୀନରେ ପାକିସ୍ତାନକୁ କଡା ଜବାବ ଦେଲେ ବିଜେଡ଼ି ସାଂସଦ ଡା. ସସ୍ମିତ ପାତ୍ର, ସେୟାର କଲେ ଭିଡିଓ

ନୂଆଦିଲ୍ଲୀ: ବହରୀନରେ ଆନ୍ତ- ସଂସଦୀୟ ସଂଘର ୧୪୬ ତମ ବୈଠକରେ ଭାରତର ପ୍ରତିନିଧୀ ନବୀନ ପଟ୍ଟନାୟକଙ୍କ ବିଜୁ ଜନତା ଦଳ (ବିଜେଡି) ସାଂସଦ ଡା. ସସ୍ମିତ ପାତ୍ର ପାକିସ୍ତାନକୁ କଡା ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ମଞ୍ଚରେ ଜାମ୍ମୁ କାଶ୍ମୀର ବିଷୟରେ ପାକିସ୍ତାନର ଉଲ୍ଲେଖକୁ ଆମେ ସ୍ଵୀକାର କରିବୁ ନାହିଁ।

ଡା. ପାତ୍ର କହିଛନ୍ତି ଯେ, “ଦୁର୍ଭାଗ୍ୟଜନକ ଯେ ପାକିସ୍ତାନ ପୁଣି ଥରେ ଜାମ୍ମୁ କାଶ୍ମୀର ବିଷୟରେ ଉଲ୍ଲେଖ କରିବା ପାଇଁ ଏହି ପ୍ଲାଟଫର୍ମର ଅପବ୍ୟବହାର କରିଛି। ଏହା ଆଦୌ ଗ୍ରହଣୀୟ ନୁହେଁ। ଏହା ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସର୍ବଦା ରହିବ। କୌଣସି ଦେଶ ଦ୍ୱାରା କରାଯାଇଥିବା ବକ୍ତବ୍ୟ ଏବଂ ପ୍ରଚାର ମାଧ୍ୟମରେ ଏହାକୁ ଖାରଜ କରାଯାଇପାରିବ ନାହିଁ। ତଥ୍ୟ ସବୁବେଳେ ତଥ୍ୟ ହେବ।

ସସ୍ମିତ ପାତ୍ର ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତର ଆଭ୍ୟନ୍ତରୀଣ ବ୍ୟାପାର ଉପରେ ପାକିସ୍ତାନର କହିବାର ଅଧିକାର ନାହିଁ। ଆମେ କ୍ରମାଗତ ଭାବରେ କହିଛୁ ଯେ, ସେମାନେ ତୁରନ୍ତ ବେଆଇନ ତଥା ଜବରଦଖଲ କରିଥିବା ଭାରତୀୟ ଅଞ୍ଚଳକୁ ଖାଲି କରିବା ଉଚିତ୍।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏହା ବିଡମ୍ବନାର ବିଷୟ ଯେ ସୀମା ଆରପାରିରୁ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଜଣାଶୁଣା ଏବଂ ଜାମ୍ମୁ କାଶ୍ମୀରରେ ଆକ୍ରମଣ କରିବା ପାଇଁ ଦାୟୀ ଦେଶ ମାନବିକ ଅଧିକାର ବିଷୟରେ ବଡ କଥା କହୁଛି। ମୁଁ ପୁଣିଥରେ କହିବାକୁ ଚାହେଁ ଯେ, ଜାମ୍ମୁ କାଶ୍ମୀର ବିଷୟରେ ପାକିସ୍ତାନ ଏହି ମଞ୍ଚର ଅପବ୍ୟବହାର କରିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ବିଜେଡି ସାଂସଦ ସସ୍ମିତ ପାତ୍ର, ‘ଟଲ ମ୍ୟାନ’ ପୁସ୍ତକ ଦେଲେ ଉପହାର

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ବିଜେଡି ସଂସଦୀୟ ଦଳ ନେତା ଡ ସସ୍ମିତ ପାତ୍ର ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଡଖରଙ୍କୁ ସାକ୍ଷାତ କରିଛନ୍ତି। ସେ ନୂଆଦିଲ୍ଲୀସ୍ଥିତ ଉପରାଷ୍ଟ୍ରପତି ଭବନରେ ତାଙ୍କୁ ଆଜି ଅପରାହ୍ନରେ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ବେଳେ ସେ ରାଜ୍ୟସଭାରେ ବିଜେଡି କିପରି ଶୃଙ୍ଖଳିତ ଭାବେ କାର୍ଯ୍ୟ କରୁଛି ତାହା ଉପସ୍ଥାପିତ କରିଥିଲେ।

ଏହି ସାକ୍ଷାତ ଅବସରରେ ଉପରାଷ୍ଟ୍ରପତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସସ୍ମିତ ରାଜ୍ୟସଭାରେ ବିଜେଡି ତାହାର ପ୍ରଦର୍ଶନ ଭଲ କରିବ ବୋଲି ଉପରାଷ୍ଟ୍ରପତିଙ୍କୁ କହିଥିଲେ। ଏହି ଅବସରରେ ସାଂସଦ ସସ୍ମିତ ପାତ୍ର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଉପରେ ଲିଖିତ ପୁସ୍ତକ ‘ଟଲ ମ୍ୟାନ’ ଉପହାର ଦେଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ସବୁ ବିଜେଡି ବିଧାୟକ ଏବଂ ସାଂସଦଙ୍କୁ କାହିଁକି ଏକାଠି କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ?

ଭୁବନେଶ୍ବର: ଅଣ ବିଜେପି ରାଜ୍ୟରେ ଗୋଟିଏ ପରେ ଗୋଟିଏ ସରକାର ଭାଙ୍ଗିବାରେ ଲାଗିଛି। ବର୍ତ୍ତମାନ ଏହି ପର୍ବ ଦିଲ୍ଲୀ ଏବଂ ଝାଡଖଣ୍ଡରେ ଆରମ୍ଭ ହୋଇଯାଇଛି। ସେଠାରେ ବିଧାୟକଙ୍କୁ କିଣିବା ପାଇଁ ବିଜେପି ପ୍ରୟାସ ଜାରୀ ରଖିଛି ବୋଲି ଖୋଦ ଆମ ଆଦମୀ ପାର୍ଟି କହିଛି। ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ଭୁଷୁଡି ପଡିଲା। ଏ ସବୁ ଦେଖି ଅଣ ବିଜେପି ରାଜ୍ୟଗୁଡିକର ସରକାର ଭୟଭିତ ହେବାରେ ଲାଗିଛନ୍ତି।

ହେଲେ ଏହି ଭୟରୁ ଦୂରେଇ ରହିଛନ୍ତି ଓଡିଶା ଏବଂ ପଶ୍ଚିମବଂଗ ସରକାର। ଏହି ଦୁଇ ରାଜ୍ୟରେ ବିଜେପି ଭାଲୁ ପୁରାଇବାକୁ ଚେଷ୍ଠା କରିଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ସଫଳ ହୋଇପାରୁ ନାହିଁ। କାରଣ ହେଲା ଓଡିଶାରେ ନବୀନଙ୍କ ବିନା କୌଣସି ନେତାଙ୍କର ନେତୃତ୍ବ ନେବାର କ୍ଷମତା ନାହିଁ। ସେହିପରି ବଙ୍ଗଳାରେ ମଧ୍ୟ ଦିଦିଙ୍କ କଡା ଆଭିମୁଖ୍ୟକୁ ଭେଦ କରିପାରୁ ନାହିଁ ବିଜେପି ସକ୍ଷମ ହୋଇପାରୁ ନାହିଁ।

ତଥାପି ଉଭୟ ମମତା ବାନାର୍ଜି ଏବଂ ନବୀନ ପଟ୍ଟନାୟକ ନିଶ୍ଚିନ୍ତ ହୋଇ ରହିପାରୁ ନାହାଁନ୍ତି। ବିଜେପି କେତେବେଳେ କଣ କରିଦେବ ତାହା କହିହେବ ନାହିଁ। ଏସବୁକୁ ଦୃଷ୍ଟିରେ ରଖି ନବୀନ ପଟ୍ଟନାୟକ ଏକ ନୂଆ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛନ୍ତି। ତାହା ହେଲା ସେ ଆସନ୍ତା 28 ତାରିଖରେ ସବୁ ବିଧାୟକ ଏବଂ ସାଂସଦଙ୍କୁ ଏକାଠି କରୁଛନ୍ତି।

କଳିଙ୍ଗ ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ହେବ ବୋଲି ସ୍ଥିର କରାଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରି ନିର୍ବାଚିତ ପ୍ରତିନିଧୀଙ୍କୁ କର୍ଣ୍ଣ ମନ୍ତ୍ର ପ୍ରଦାନ କରିବେ। ଏ ନେଇ ସବୁ ବିଧାୟର ସାଂସଦଙ୍କୁ ଭୁବନେଶ୍ବରରେ ପହଁଞ୍ଚିବା ପାଇଁ ହୁକୁମ ଜାରୀ କରାଯାଇଛି। ରବିବାର ଏହି ବୈଠକ ହେଉଥିବାରୁ ସମସ୍ତଙ୍କୁ ଶନିବାର ଦିନ ଆସି ପହଁଞ୍ଚିବା ପାଇଁ କୁହାଯାଇଛି।

ବିଜେଡି ଦଳ ଭିତରେ ତୀର ମାରିବାର କ୍ଷମତା ବିଜେପିର ନ ଥିଲେ ମଧ୍ୟ ଏହି ବୈଠକରେ ନବୀନ ସେମାନଙ୍କୁ ଏକାଠି ରହିବାର କୌଶଳ ଶିଖାଇବେ। ଏହାକୁ ନେଇ ରାଜ୍ୟ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଚାଲିଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ନିର୍ବାଚିତ ରାଷ୍ଟ୍ରପତିଙ୍କୁ ବିଜେଡି ସାଂସଦଙ୍କ ସହ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଛନ୍ତି। ନବୀନ ନୂଆଦିଲ୍ଲୀସ୍ଥିତ ମୁର୍ମୁଙ୍କ ଅସ୍ଥାୟୀ ବାସଭବନକୁ ଯାଇ ସାକ୍ଷାତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ସହିତ ବିଜେଡିର ସମସ୍ତ ସାଂସଦ ମଧ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଥିଲେ।ସେଠାରେ ସମସ୍ତେ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ଶପଥ ପାଠ ନେଇ ଶୁଭେଚ୍ଛା ଜଣାଇଥିଲେ।

ସୋମବାର ଦିନ ଦ୍ରୌପଦୀ ମୁର୍ମୁ ସାଂସଦ ଭବନରେ 15 ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଏହି ଉତ୍ସବରେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 4 ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ମଧ୍ୟ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।

Categories
ଆଜିର ଖବର ରାଜ୍ୟ ଖବର

ସଂସଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେଡି ସାଂସଦଙ୍କ ସହିତ କଲେ ଆଲୋଚନା

ନୂଆଦିଲ୍ଲୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଂସଦକୁ ଯାଇ ବିଜେଡି ସାଂସଦଙ୍କ ସହିତ ଆଲୋଚନା କରିଛନ୍ତି। ସେ ସଂସଦ ଭବନରେ ପହଁଞ୍ଚିବା ପରେ ତାଙ୍କୁ ବିଜେଡି ସାଂସଦମାନେ ପାଛୋଟି ନେଇଥିଲେ। ଏପରକି ଆସ୍କା ସାଂସଦ ପ୍ରମିଳା ବିଶ୍ବୋଇ ମୁଖ୍ୟମନ୍ତ୍ରୀଙ୍କୁ ଗେଲ କରି ସ୍ବାଗତ କରିଥିଲେ।

ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଅଛନ୍ତି। ସେ ଗତକାଲି ଅପରାହ୍ନରେ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଗତକାଲି ସଂଧ୍ୟାରେ ସେ ବିବିସି ସ୍ପୋର୍ଟ୍ସ ସମ୍ମାନ ଗ୍ରହଣ କରିଥିଲେ। ଏହାପରେ ଆଜି ସେ ଦଳିୟ ସାଂସଦଙ୍କ ସହିତ ସଂସଦ ଭବନରେ ଆଲୋଚନା କରିଛନ୍ତି। ଆଜି ସେ କେତେଜଣ କେନ୍ଦ୍ରୀୟ ମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Categories
ଜାତୀୟ ଖବର ବିଶେଷ ଖବର

କର୍ଣ୍ଣାଟକ ଭଳି ଓଡିଶାରେ ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ ଦାବି କଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଆଜି ରାଜ୍ୟସଭାର ଶୂନ୍ୟକାଳରେ ବିଜେଡି ସାଂସଦ ଡ. ସସ୍ମିତ ପାତ୍ର, ଡ. ଅମର ପଟ୍ଟନାୟକ ଏବଂ ସୁଜିତ କୁମାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରସଙ୍ଗ ଉଠାଇଛନ୍ତି। ଓଡ଼ିଶାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଣଦେଖା କରାଯାଉଛି ବୋଲି ବିଜେଡ଼ି ସାଂସଦ କହିଥିଲେ। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ହିତାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ସେମାନେ ଦାବି କରିଛନ୍ତି। ଓଡ଼ିଶାର ୬ ଲକ୍ଷ ହିତାଧିକାରୀଙ୍କୁ ‘ପିଏମୱାଇ’ରେ ସାମିଲ୍ କରିବା ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲିବାକୁ ସେମାନେ ଦାବି କରିଛନ୍ତି।

ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖି ଆସୁଥିବାଲେ ମଧ୍ୟ କେନ୍ଦ୍ରସରକାର ଏହାପ୍ରତି କର୍ଣ୍ଣପାତ କରୁନାହିଁ। ଯେଉଁଭଳି କର୍ଣ୍ଣାଟକର ୨୫ ଲକ୍ଷ ହିତାଧିକାରୀଙ୍କୁ ପିଏମୱାଇରେ ସାମିଲ୍ ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲାଯାଇଛି। ସେହିଭଳି ଓଡ଼ିଶାର ୬ ଲକ୍ଷ ହିତାଧିକାରୀଙ୍କ ପାଇଁ ଶୀଘ୍ର ଆବାସ ପ୍ଲସ୍ ପୋର୍ଟାଲ ଖୋଲିଲେ ଓଡ଼ିଶାର ଆଦିବାସୀ ହିତାଧିକାରୀ ଉପକୃତ ହୋଇପାରିବେ ବୋଲି ଡ. ସସ୍ମିତ ପାତ୍ର କହିଛନ୍ତି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡ଼ି ସାଂସଦ, ପିଏମ ଆବାସ ଯୋଜନାରେ ଘର ଯୋଗାଇବା ଲାଗି କଲେ ଦାବି

ଭୁବନେଶ୍ବର: ଆଜି କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଗିରିରାଜ ସିଂହଙ୍କୁ ଓଡିଶାର ବିଜେଡ଼ି ସାଂସଦମାନେ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡିଶାକୁ ଘର ଯୋଗାଇବା ପାଇଁ ବିଜେଡ଼ି ସାଂସଦମାନେ ଦାବି କରିଛନ୍ତି। ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଓଡିଶାକୁ କେନ୍ଦ୍ର ଅବହେଳା କରୁଥିବା ନେଇ ବିଜେଡ଼ି ଅଭିଯୋଗ କରୁଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ପାତର ଅନ୍ତର କରାଯାଉଥିବା ବିଜେଡ଼ି ଅଭିଯୋଗ କରୁଛି।

କେନ୍ଦ୍ର ସରକାର ନିକଟରେ ଆବଶ୍ୟକ ମୁତାବକ ଘର ଦେବା ପାଇଁ ଓଡିଶା ସରକାର ଦାବି କରିଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଅଣଦେଖା କରୁଥିବା ବିଜେଡ଼ି କହୁଛି। ତେଣୁ ଆଜି ବିଜେଡ଼ି ସାଂସଦମାନେ ଏନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ଶ୍ରୀ ସିଂହଙ୍କୁ ଭେଟି ଦାବି ଉପସ୍ଥାପନ କରିଛନ୍ତି। ଖୁବଶୀଘ୍ର ଏହି ମାମଲାରେ ବିଜେଡ଼ି ସାଂସଦମାନଙ୍କ ସହ ଆଲୋଚନା କରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ପାଇଁ ବିଜେଡି ସାଂସଦଙ୍କ ଦାବି,ଜାଣନ୍ତୁ କଣ ରଖିଛନ୍ତି ତଥ୍ୟ

ଭୁବନେଶ୍ୱର: ବିଜୁ ଜନତା ଦଳର ସାଂସଦମାନେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ମାନ୍ୟତା ଦେବାପାଇଁ ଆଜି କେନ୍ଦ୍ର ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି । ବିଜେଡି ପକ୍ଷରୁ ଦିଆଯାଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ୧୮୧୭ ମସିହାରେ ପାଇକ ବିଦ୍ରୋହ ଘଟିଥିଲା ଯାହାକି ବ୍ରିଟିଶ ରାଜ ବିରୁଦ୍ଧରେ ଭାରତର ପ୍ରଥମ ସଂଗଠିତ ସଶସ୍ତ୍ର ବିଦ୍ରୋହ ଥିଲା ।

ଏହା ଭାରତ ପାଇଁ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ଥିଲା ଯାହାକି ୧୫୫୭ର ବିଦ୍ରୋହର ୪୦ ବର୍ଷ ପୂର୍ବରୁ ହୋଇଥିଲା, ଯାହାକୁ ବ୍ରିଟିଶ ଉପନିବେଶବାଦ ବିରୁଦ୍ଧରେ ଭାରତୀୟ ସ୍ୱାଧୀନତାର ପ୍ରଥମ ଯୁଦ୍ଧ କୁହାଯାଉଥିଲା । ଏହି ଯୁଦ୍ଧ ଓଡିଶାର ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିଲା ।

ଗତ ଦୁଇ ଶତାବ୍ଦୀରୁ ବକ୍ସି ଜଗବନ୍ଧୁଙ୍କ ବୀରତ୍ୱର ଇତିହାସ ତଥା ଓଡିଶାର ସାହସୀ ପାଇକମାନେ ୪.୫ କୋଟି ଓଡିଆଙ୍କୁ ପ୍ରେରଣା ଯୋଗାଇ ଚାଲିଛନ୍ତି । ସମୟ ଆସିଛି, ଓଡିଆଙ୍କ ଏକ ପୀଢିର ଏହି ସଂଘର୍ଷ ଏବଂ ବଳିଦାନ ଇତିହାସରେ ଏହାର ଉପଯୁକ୍ତ ସ୍ଥାନ ପାଇବ । ପାଇକ ବିଦ୍ରୋହ ଭାରତର ଲୋକଙ୍କୁ ଶକ୍ତି ପ୍ରଦାନ ତଥା ସଂଗଠିତ କରିବାରେ ବାଟ କଢ଼ାଇଲା ଏବଂ ବ୍ରିଟିଶ ରାଜ୍ ବିରୁଦ୍ଧରେ ଦୃଢ ପ୍ରତିରୋଧ ସୃଷ୍ଟି କଲା, ଯାହା ଶେଷରେ ବ୍ରିଟିଶମାନଙ୍କୁ ଭାରତ ଛାଡିବାକୁ ବାଧ୍ୟକଲା ଏବଂ ଭାରତ ବିଦେଶୀ ଶାସନ କବଳରୁ ସ୍ୱାଧୀନତା ହାସଲ କଲା ।

୧୮ ଜୁଲାଇ, ୨୦୧୭ରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା ମନ୍ତ୍ରୀମଣ୍ଡଳ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ବୋଲି ଘୋଷଣା କରିବା ପାଇଁ ନବୀନ ପଟ୍ଟନାୟକ ଏକ ସଂକଳ୍ପ ପାରିତ କରିଥିଲେ । ୧୯ ଜୁଲାଇ, ୨୦୧୭ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ରାଜନାଥ ସିଂହଙ୍କୁ ଏକ ଚିଠି ଲେଖି ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ବୋଲି ଘୋଷଣା କରିବାକୁ ଅନୁରୋଧ କରିଥିଲେ । ଓଡିଶାର ଲୋକମାନେ ଏହି ପ୍ରସ୍ତାବକୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ କରିଥିଲେ ଏବଂ ଆନନ୍ଦିତ ହୋଇଥିଲେ ଯେ ଶେଷରେ ପାଇକଙ୍କ ବୀର ମାଟିକୁ ଦେଶର ସମୃଦ୍ଧ ଐତିହ୍ୟ ଏବଂ ସଂସ୍କୃତିରେ ସଠିକ୍ ଭାବରେ ସ୍ୱୀକୃତି ଦିଆଯିବ ଯାହା ଯୋଗ୍ୟ ଅଟେ ।

୨୦ ଜୁଲାଇ, ୨୦୧୭ରେ ନୂଆଦିଲ୍ଲୀ ଠାରେ ପାଇକ ବିଦ୍ରୋହର ଏକ ବିରାଟ ଦୁଇଶହ ବର୍ଷ ପୂର୍ତ୍ତି ସମାବେଶ ଅନୁଷ୍ଠିତ ହୋଇଥିଲା ଯାହାକୁ ତତ୍କାଳୀନ ମାନ୍ୟବର ରାଷ୍ଟ୍ରପତି ଶ୍ରୀ ପ୍ରଣବ ମୁଖାର୍ଜୀ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ । ଓଡିଶାର ବିଭିନ୍ନ ବର୍ଗର ଲୋକମାନେ ଅତ୍ୟନ୍ତ ଆନନ୍ଦିତ ଥିଲେ ଏବଂ ଆଶା କରିଥିଲେ ଯେ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବରେ ଘୋଷଣା କରାଯିବ ।

୨୩ ଅକ୍ଟୋବର, ୨୦୧୭ରେ ତତ୍କାଳୀନ ମାନ୍ୟବର କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭେଦକର ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିଲେ ଯେ ପାଇକ ବିଦ୍ରୋହ ଇତିହାସ ପୁସ୍ତକରେ ବ୍ରିଟିଶ ଶାସନ ବିରୁଦ୍ଧରେ ସ୍ୱାଧୀନତାର ପ୍ରଥମ ଯୁଦ୍ଧ ଭାବରେ ସ୍ଥାନ ପାଇବ । ଛାତ୍ରଛାତ୍ରୀମାନେ ୧୮୧୭ର ପ୍ରକୃତ ଇତିହାସ ଶିଖିବେ । ଏହା ଓଡିଶାର ଲୋକଙ୍କ ପାଇଁ ବହୁତ ଖୁସି ଆଣିଦେଇଥିଲା ଯେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଦୀର୍ଘ ବର୍ଷର ସଂଘର୍ଷ ପରେ ଶେଷରେ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ବୋଲି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ପ୍ରସ୍ତାବରେ କେନ୍ଦ୍ର ରାଜି ହୋଇଗଲା ।

ତେବେ ନିକଟରେ ଓଡ଼ିଶାର ପାଇକ ବିଦ୍ରୋହକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି ଘୋଷଣା କରିବାକୁ କେନ୍ଦ୍ର ମନା କରିଦେବା ପରେ ଓଡିଶାର ଲୋକେ ଆଶ୍ଚର୍ଯ୍ୟ ହେବା ସହିତ ସେମାନଙ୍କୁ କଷ୍ଟ ଦେଇଛି । ସଂସଦରେ ୨ ଡିସେମ୍ବର, ୨୦୨୧ରେ ଅଣତାରକା ପ୍ରଶ୍ନ ନଂ ୪୮୫ର ଉତ୍ତର ଦେଇ ମାନ୍ୟବର କେନ୍ଦ୍ର ସଂସ୍କୃତି ମନ୍ତ୍ରୀ କହିଛନ୍ତି ଯେ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ କୁହାଯାଇପାରିବ ନାହିଁ । ଉତ୍ତରରେ ଆହୁରି ଅଧିକ ଯନ୍ତ୍ରଣାଦାୟକ ହେଉଛି, ଏହି ଐତିହାସିକ ପାଇକ ବିଦ୍ରୋହକୁ ଏନ୍‍ସିଇଆରଟିର ଅଷ୍ଟମ ଶ୍ରେଣୀର ଇତିହାସ ପାଠ୍ୟପୁସ୍ତକରେ କେବଳ ଏକ \’କେସ୍ ଷ୍ଟଡି\’ ଭାବେ ସ୍ଥାନ ପାଇବ ଯାହାକି ୧୮୫୭ କାର୍ଯ୍ୟକ୍ରମ ସହିତ ଜଡିତ, ଯାହାଦ୍ୱାରା ଏହି ମହତ୍ୱପୂର୍ଣ୍ଣ ପାଇକ ବିଦ୍ରୋହକୁ କେବଳ ୧୮୫୭ର ଏକ ପାଦଚିହ୍ନ ଭାବରେ ଉପସ୍ଥାପନ କରାଯିବ ।

ଆମେ, ଓଡିଶାର ନିର୍ବାଚିତ ଲୋକ ପ୍ରତିନିଧୀମାନେ, ଭାରତ ଏବଂ ସମଗ୍ର ବିଶ୍ୱରୁ ଓଡିଆଙ୍କ ଠାରୁ ଶହ ଶହ ଫୋନ୍‍କଲ୍ ଗ୍ରହଣ କରୁଛୁ, ଯେଉଁମାନେ ଏହି ଉତ୍ତରକୁ ଓଡିଶାର ସମୃଦ୍ଧ ଇତିହାସ ଏବଂ ସଂସ୍କୃତି ପ୍ରତି ଅପମାନ ବୋଲି ବିଚାରୁଛନ୍ତି । ଏହା ହେଉଛି ଓଡିଆ ଅସ୍ମିତା, ଓଡିଆ ଇତିହାସ, ଓଡିଆ ସଂସ୍କୃତି, ଓଡିଆ ସଭ୍ୟତା, ଓଡିଆ ଆତିଥ୍ୟ ଏବଂ ଓଡିଆ ପରମ୍ପରା ପାଇଁ ଏହା ଏକ ବଡ଼ କ୍ଷତି । ଓଡିଶାର ୪.୫ କୋଟି ଲୋକ ତଥା ସମଗ୍ର ବିଶ୍ୱରେ ଗର୍ବିତ ଓଡିଆମାନେ ସେମାନଙ୍କର ଓଡିଆ ପରିଚୟ ଏବଂ ଇତିହାସରେ ଏହି ଆଘାତ ପାଇଁ ଦୁଃଖିତ ।

ଓଡିଶାର ୪.୫ କୋଟି ଲୋକଙ୍କ ସହ ଆମେ ଦୃଢ ଭାବରେ ଦାବି କରୁଛୁ ଯେ ଭାରତ ସରକାର ତୁରନ୍ତ ପାଇକ ବିଦ୍ରୋହକୁ ସ୍ୱାଧୀନତାର ପ୍ରଥମ ସଂଗ୍ରାମ ଭାବରେ ଘୋଷଣା କରିବା ଉଚିତ ଏବଂ ମାନବ ସମ୍ବଳ ବିକାଶର ତତ୍କାଳୀନ ମାନ୍ୟବର କେନ୍ଦ୍ର ମନ୍ତ୍ରୀଙ୍କ ମତକୁ ମଧ୍ୟ ବିଚାର କରିବା ଉଚିତ୍‍ । ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ, ଓଡିଶାର ଗର୍ବ ଏବଂ ଗୌରବ ଏବଂ ୪.୫ କୋଟି ଓଡିଆ ଆମକୁ ବିଶ୍ରାମ ନେବାକୁ ଦେବେ ନାହିଁ । ଆଜିର ଏହି ଦାବିପତ୍ର ପ୍ରଦାନ ସମୟରେ ବିଜେଡିର ଲୋକସଭା ଓ ରାଜ୍ୟସଭାର ସାଂସଦମାନେ ଉପସ୍ଥିତ ଥିଲେ ।

Categories
ଆଜିର ଖବର ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପ୍ରଧାନମନ୍ତ୍ରୀ ଫସଲ ବୀମୀ ଯୋଜନାକୁ ନେଇ କେନ୍ଦ୍ରକୁ ଟାର୍ଗେଟ କଲେ ବିଜେଡ଼ି ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାକୁ ନେଇ କେନ୍ଦ୍ର ସରକାରକୁ ବିଜେଡ଼ି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସମାଲୋଚନା କରିଛନ୍ତି। ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯେତିକି ଟଙ୍କା ପ୍ରିମିୟମ ବାବଦକୁ କମ୍ପାନୀଗୁଡିକ ନେଉଛନ୍ତି, ସେତିକି ପରିମାଣର ଟଙ୍କା ମିଳୁନାହିଁ।

ସସ୍ମିତ ପାତ୍ର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‍ଏଫ୍‍ବିୱାଇ) ଦାବି ସମାଧାନ ନ ହେବା କାରଣରୁ ଓଡିଶାର ଲକ୍ଷ ଲକ୍ଷ କୃଷକ ଯନ୍ତ୍ରଣା ଭୋଗୁଛନ୍ତି । ପିଏମ୍‍ଏଫ୍‍ବିୱାଇ ଅଧୀନରେ ବୀମା କମ୍ପାନୀଗୁଡିକ ଦ୍ୱାରା ୧୦୦୦ କୋଟିରୁ ଅଧିକ ଟଙ୍କାର କ୍ଷତିପୂରଣ ଦାବି ସମାଧାନ ହୋଇନାହିଁ ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ଡକ୍ଟର ସସ୍ମିତ ପାତ୍ର ।

ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଡକ୍ଟର ପାତ୍ର କହିଛନ୍ତି ଯେ ଓଡିଶାର ବରଗଡ, ସମ୍ବଲପୁର, ସୋନପୁର, ଦେବଗଡ, ବଲାଙ୍ଗୀର, ନୂଆପଡା ଏବଂ କଳାହାଣ୍ଡି ଜିଲ୍ଲାର ଲକ୍ଷ ଲକ୍ଷ କୃଷକ ପିଏମ୍‍ଏଫବିୱାଇ ଦ୍ୱାରା ପ୍ରଭାବିତ ହୋଇଛନ୍ତି । ସମଗ୍ର ଭାରତରେ ଗତ ପାଞ୍ଚ ବର୍ଷ ମଧ୍ୟରେ ଫସଲ ବୀମା ପ୍ରିମିୟମ ବାବଦରେ ୧.୨୬ ଲକ୍ଷ କୋଟି ଟଙ୍କା ଦିଆଯାଇଥିବାବେଳେ କ୍ଷତିପୂରଣ ବାବଦରେ ୮୭,୩୨୦ କୋଟି ଟଙ୍କା ମିଳିଛି । ବୀମା କମ୍ପାନୀଗୁଡିକ ପିଏମ୍‍ଏଫ୍‍ବିୱାଇରେ ୪୦,୦୦୦ କୋଟି ଟଙ୍କା ରୋଜଗାର କରିଥିବାବେଳେ ଚାଷୀଙ୍କ ସ୍ୱାର୍ଥ ପ୍ରଭାବିତ ହୋଇଛି ।

ଓଡିଶାରେ ରାଜ୍ୟ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ୩୨୫୦.୪୮ କୋଟି ଏବଂ ଓଡିଶାର କୃଷକମାନେ ୧୦୦୯.୪୮ କୋଟି ଟଙ୍କା ବୀମା କମ୍ପାନୀଗୁଡିକୁ ପଇଠ କରିଛନ୍ତି । କେନ୍ଦ୍ରର ଅଂଶ ଯୋଗ କଲେ ୨୦୨୧ ଖରିଫ ପର୍ଯ୍ୟନ୍ତ ମୋଟ ଦେୟ ହେଉଛି ୭୫୧୦.୮ କୋଟି ଟଙ୍କା । ଖରିଫ ୨୦୨୦ ପର୍ଯ୍ୟନ୍ତ, ବୀମା କମ୍ପାନୀମାନଙ୍କୁ ପ୍ରିମିୟମ ବାବଦରେ ମୋଟ୍‍ ୬୧୬୩.୨୮ କୋଟି ଦିଆଯାଇଥିବାବେଳେ କୃଷକଙ୍କ କ୍ଷତିପୂରଣ ଦାବି ମୁତାବକ ବୀମା କମ୍ପାନୀଗୁଡିକ ୫୦୯୮.୬୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହିପରି, ବୀମା କମ୍ପାନୀଗୁଡିକ ୧୦୬୪.୬୪ କୋଟି ଟଙ୍କା ଲାଭ କରିଛନ୍ତି ଯାହା କି ସମୁଦାୟ ପ୍ରିମିୟମ୍‌ର ୧୭.୨୭% ଅଟେ ।

ଓଡିଶାରେ ୨୦୧୮ ରୁ ୨୦୨୦ ମଧ୍ୟରେ କୃଷକମାନେ ଫସଲ ବୀମା ଦାବି ବାବଦରେ ୨୦୯୦ କୋଟି ଟଙ୍କା ଦାଖଲ କରିଥିବାବେଳେ ବୀମା କମ୍ପାନୀଗୁଡିକ ଦାବିର ମାତ୍ର ୫୦% ଅର୍ଥାତ୍‍ ୧୦୨୬ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପିଏମ୍‍ଏଫ୍‍ବିୱାଇ ଅଧୀନରେ ଓଡିଶାର କୃଷକମାନେ ସେମାନଙ୍କର ବୀମା ଦାବି ଓ କ୍ଷତିପୂରଣ ପାଇବା ନେଇ ବାରମ୍ବାର ହଇରାଣର ସମ୍ମୁଖୀନ ହେଉଛନ୍ତି ।

ଛଅଟି ରାଜ୍ୟ ଯଥା ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, ଝାଡଖଣ୍ଡ, ତେଲେଙ୍ଗାନା ଏବଂ ପଶ୍ଚିମବଙ୍ଗର ପିଏମ୍‍ଏଫ୍‍ବିୱାଇ ଗ୍ରହଣ କରିନାହାନ୍ତି ଏବଂ ବୀମାଭୁକ୍ତ ମୋଟ କ୍ଷେତ୍ର ୭୩ ଲକ୍ଷ ହେକ୍ଟରକୁ ହ୍ରାସ ପାଇଛି (୨୦୧୬-୧୭ ରେ ୫୬୭ ଲକ୍ଷ ହେକ୍ଟରରୁ ୨୦୧୯-୨୦ ରେ ୪୯୫ ଲକ୍ଷ ହେକ୍ଟର) ।

କେନ୍ଦ୍ର ସରକାର ତାଙ୍କ ତ୍ରୁଟି ସୁଧାରିବା ସହିତ ଅସୁବିଧା ସମୟରେ କୃଷକମାନଙ୍କୁ ସାହାଯ୍ୟ କରିବାର ସମୟ ଆସିଛି । ନୂତନ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ଯେପରିକି ଡ୍ରୋନ୍ ସହାୟତାରେ ଶୀଘ୍ର ଦାବିଗୁଡିକର ଆକଳନକୁ ନିଶ୍ଚିତ କରିବା ଏବଂ କେବଳ ସରକାରୀ ବୀମା କମ୍ପାନୀଗୁଡିକୁ ପିଏମ୍‍ଏଫ୍‍ବିୱାଇ ରେ ଅନୁମତି ଦେବା ଉଚିତ ଯାହା ଦ୍ୱାରା କୃଷକଙ୍କ ସ୍ୱାର୍ଥ ରକ୍ଷା ହୋଇପାରିବ । ବିଜେଡି ସାଂସଦମାନେ ସଂସଦର ଉଭୟ ସଦନରେ ବାରମ୍ବାର ଏହି ପ୍ରସଙ୍ଗକୁ ଉଠାଇଛନ୍ତି । କୃଷକମାନଙ୍କର ଦାବି ସମାଧାନ ନହେବା ପର୍ଯ୍ୟନ୍ତ ବିଜେଡି ତାହାର ସଂଗ୍ରାମ ଜାରି ରଖିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।

ସମୁଦାୟ କୃଷକଙ୍କ ଅଂଶଧନ = ୧୦୦୯.୮୪ କୋଟି ଟଙ୍କା
ମୋଟ ରାଜ୍ୟ ଅଂଶଧନ = ୩୨୫୦.୪୮ କୋଟି
ମୋଟ କେନ୍ଦ୍ର ଅଂଶଧନ = ୩୨୫୦.୪୮ କୋଟି
ମୋଟ ପ୍ରିମିୟମ୍ ପଇଠ = ୭୫୧୦.୮ କୋଟି

ମୋଟ ବୀମା ଅର୍ଥ ପ୍ରଦାନ = ୫୦୯୮.୬୪ କୋଟି ( ୨୦୨୦ଖରିଫ ପର୍ଯ୍ୟନ୍ତ)
ମୋଟ ପ୍ରିମିୟମ୍ ପଇଠ = ୬୧୬୩.୨୮ କୋଟି (୨୦୨୦ ଖରିଫ ପର୍ଯ୍ୟନ୍ତ)

ବୀମା କମ୍ପାନୀଗୁଡିକ କରିଥିବା ମୋଟ ଲାଭର ପରିମାଣ = ୧୦୬୪.୬୪ କୋଟି ଟଙ୍କା (ମୋଟ ପ୍ରିମିୟମ୍ ଅର୍ଥ ପଇଠ ୧୭.୨୭%)