କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କଣ ପାଇଁ ଚିଠି ଲେଖିଲେ ମନ୍ତ୍ରୀ ସମୀର ରଂଜନ ଦାସ

Published: Mar 17, 2023, 10:56 am IST
EduMini

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ରାଜନୀତିରେ ବିଜେଡି ବନାମ ବିଜେପି ମଧ୍ୟରେ ଚାଲିଛି ଗରମାଗରମ ଲଢେଇ। ବିଭିନ୍ନ ପ୍ରସଂଗରେ ଉଭୟ ପରସ୍ପର ମଧ୍ୟରେ କାଦୁଅ ପିଙ୍ଗାଫିଙ୍ଗି ହେବାରେ ଲାଗିଛନ୍ତି। ଏପରି କ୍ଷେତ୍ରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକ ଚିଠି ଲେଖିଛନ୍ତି ଓଡିଶା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ତେବେ ଏହା କୌଣସି ରାଜନୈତିକ ଚିଠି ଯୁଦ୍ଧ ନୁହେଁ, ବରଂ ଶିକ୍ଷା ବିଭାଗ ନେଇ ଏହି ଚିଠି ଲେଖାଯାଇଛି।

ସମୀର ରଂଜନ ଧର୍ମେନ୍ଦ୍ରଙ୍କୁ ଅବଗତ କରାଇଛନ୍ତି ଯେ, ଯଥା ଶିଘ୍ର ସ୍କୁଲ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା ମଧ୍ୟାହ୍ନ ଭୋଜନ ଅର୍ଥର ବକେୟା ପଇଠ କର। ବହୁ ମାସ ଧରି ଏହି ପଇସା ବାକି ପଡି ରହିଛି। ଫଳରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ପ୍ରଦାନ କରିବାରେ ଅସୁବିଧା ହେଉଛି। ସମୀର ରଂଜନ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ଅନେକ ସ୍କୁଲ ଶିକ୍ଷକମାନେ ନିଜ ଦରମା ପଇସାରୁ ଖର୍ଚ୍ଚ କରି ମଧ୍ୟାହ୍ନ ଭୋଜନ ଦେଉଛନ୍ତି।

ଏହି ଚିଠିରେ ସମୀର ରଂଜନ କହିଛନ୍ତି ଯେ, ରାଜ୍ୟରେ ଯେଉଁ ମଧ୍ୟାହ୍ନ ଭୋଜନ ଯୋଜନା ଲାଗୁ ହୋଇଛି ଏହା କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ପୋଷଣ କାଯ୍ୟକ୍ରମର ଅନ୍ତର୍ଗତ। ଏଥିରେ କେନ୍ଦ୍ର ସରକାର ୬୦ ପ୍ରତିଶତ ଦେଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ ଭରଣା କରୁଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଯେଉଁ ଭାଗ ତାହା ପଇଠ କରିବାରେ ବିଳମ୍ବ ହେଉଛି। ଯାହାଦ୍ବାରା ଏହି ଯୋଜନାକୁ କାଯ୍ୟକାରୀ କରିବାରେ ସମସ୍ୟା ହେଉଛି ବୋଲି ସମୀର ଲେଖିଛନ୍ତି।

ଏ ନେଇ ଏକ ହିସାବ ମଧ୍ୟ ରାଜ୍ୟ ଶିକ୍ଷା ବିଭାଗ ତରଫରୁ ଚିଠିରେ ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଏହି ଯୋଜନାରେ ୨୦୨୨-୨୦୨୩ ଆର୍ଥିକ ବର୍ଷ ପାଇଁ ୧୦୪୯ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଯୋଜନା ହୋଇଛି। ସେହି ଅନୁସାରେ କେନ୍ଦ୍ର ସରକାରଙ୍କ ଭାଗ ୫୯୬ କୋଟି ଟଙ୍କା ଥିବା ବେଳେ ରାଜ୍ୟ ସରକାରଙ୍କ ଭାଗ ରହିଛି ୪୫୩ କୋଟି ଟଙ୍କା। ହେଲେ କେନ୍ଦ୍ର ସରକାର ପ୍ରଥମ କିସ୍ତିରେ କେବଳ ୨୮୮ କୋଟି ଟଙ୍କା ପ୍ରଦାନ କରିଛନ୍ତି।

ବର୍ତ୍ତମାନ ଦୀର୍ଘମାସ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ଶିକ୍ଷା ବଳକା ଅର୍ଥ ପ୍ରଦାନ କରୁ ନାହାଁନ୍ତି। ଫଳରେ ଏହି ଯୋଜନା କାଯ୍ୟକାରୀ କରିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି ବୋଲି ରାଜ୍ୟ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାସ ଲେଖିଛନ୍ତି। ତେବେ ଏ ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ କିମ୍ବା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଫିସରୁ କୌଣସି ସୂଚନା ଦିଆଯାଇ ନାହିଁ।

Related posts