ପୁରୀରେ ପହଞ୍ଚିଲା ୪୧୦୦ଟି ଇଭିଏମ, ନେତାଙ୍କ ଛାତି ଧଡଧଡ, କଣ ଆଗୁଆ ନିର୍ବାଚନ ହେବ କି?

Published: Apr 5, 2023, 6:23 pm IST
EVM Puri

ପୁରୀ: ଆଜି ହଠାତ ପୁରୀରେ ଆସି ପହଞ୍ଚିଛି ୪୧୦୦ ଟି ଇଭିଏମ। କଡା ସୁରକ୍ଷାରେ କେତେକ ଟ୍ରକରେ ଏହି ଇଭିଏମଗୁଡିକ ହାଇଦ୍ରାବାଦରୁ ଆସି ପୁରୀ ପହଞ୍ଚିଛି। ଏଥିରେ ରହିଛି ମୋଟ ୮୨୦୦ ଇଭିଏମ। ସେଥିମଧ୍ୟରୁ ୪୧୦୦ ଗୋଟି ବାଲାଟ ୟୁନିଟ ଓ ୪୧୦୦ ଗୋଟି କଣ୍ଟ୍ରୋଲ ୟୁନିଟ ସାମିଲ ଅଛି।

ଏଗୁଡିକ ପୁରୀର ପେଣ୍ଠକଟାଠାରେ ଥିବା ୱେୟାରହାଉସରେ ରଖାଯାଇଛି। ଇଭିଏମ ପହଞ୍ଚିବା ପରେ ଜିଲ୍ଲାପାଳ ସମର୍ଥ ବର୍ମା, ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ନିର୍ବାଚନ ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର ଇଭିଏମ ମେସିନ ଗୁଡିକୁ ତଦାରଖ କରିଥିଲେ।ଏଥିସହିତ ସମସ୍ତ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ରହି ମେସିନ ଗୁଡିକୁ ମଧ୍ୟ ଦେଖିଥିଲେ।

ତେବେ ନିର୍ବାଚନ ଆହୁରି ବର୍ଷେ ଉପରେ ଥିବାରୁ ହଠାତ କାହିଁକି ଇଭିଏମଗୁଡିକ ଓଡିଶା ଆସିଲା ତାହାକୁ ନେଇ ସମସ୍ତଙ୍କର ଆଶଙ୍କା ବୃଦ୍ଧି ପାଇଛି। ଏହି ଖବର ପୁରୀ ବଡଦାଣ୍ଡରୁ ଗଡିଗଡି ସାରା ଓଡିଶାର ନେତାଙ୍କ ନିକଟରେ ପହଞ୍ଚିଗଲା। ସମସ୍ତେ ପରସ୍ପର ମୁହଁ ଚାହାଁଚାହିଁ ହେବାରେ ଲାଗିଛନ୍ତି। ସମସ୍ତେ ନିଶ୍ଚିତ ହୋଇଛନ୍ତି ଯେ, ବୋଧହୁଏ ଓଡିଶାରେ ଆଗୁଆ ନିର୍ବାଚନ ହୋଇଯିବ। ସମସ୍ତଙ୍କର ଛାତି ଧଡଧଡ ଆରମ୍ଭ ହୋଇଯାଇଛି।

ନିକଟରେ ଧର୍ମେନ୍ଦ୍ର ପ୍ରଧାନ ଏକ ସାକ୍ଷାତକାରରେ କହିଥିଲେ ଯେ, ଓଡିଶାରେ ଆଗୁଆ ନିର୍ବାଚନ ହେବ। ସେ ନେଇ ତାଙ୍କ ପାଖରେ କୁଆଡେ ସୂଚନା ଅଛି। ଏହାପରେ ରାଜ୍ୟ ରାଜନୀତିରେ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। କାରଣ ସାଧାରଣ ନେତା କେହି କହିଥିଲେ ହୋଇଥାଆନ୍ତା। ଧର୍ମେନ୍ଦ୍ରଙ୍କ ପରି ନେତା କହିବା ଅର୍ଥ ସେଥିରେ କିଛି ସତ୍ୟତା ରହିଥିବ ବୋଲି ଅନେକ ଅନୁମାନ କରିଛନ୍ତି।

ଏବେ ହଠାତ ଇଭିଏମ ଓଡିଶା ଆସିବା ନେଇ ସେହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି। ତେବେ ସୂଚନା ଅନୁସାରେ ବର୍ତ୍ତମାନ ବିଭିନ୍ନ ରାଜ୍ୟକୁ ନିର୍ବାଚନ କମିଶନର ଇଭିଏମ ପଠାଉଛନ୍ତି। ଯେଉଁ ରାଜ୍ୟରେ ବିଧାନସଭା ଓ ଲୋକସଭା ଏକାଠି ହେଉଛି ସେହି ରାଜ୍ୟକୁ ଅଗ୍ରାଧୀକାର ଭିତିରେ ଇଭିଏମ ପଠାଯାଉଛି। ଏହାପରେ ପୁଣି ଆହୁରି ଇଭିଏମ ଗାଡି ଆସିବ ବୋଲି ଜଣାପଡିଛି।

Related posts