ସମୀକ୍ଷା ବ୍ୟୁରୋ
ଜଣେ କ୍ୟାବିନେଟ ମନ୍ତ୍ରୀଙ୍କୁ ରାଷ୍ଟ୍ର ପାହ୍ୟା ମନ୍ତ୍ରୀର ଦାୟିତ୍ଵ ଦିଆ ଯାଇପାରିବ ନାହିଁ, ଏଇ ସାଧାରଣ କଥାଟି ସରକାରଙ୍କ ସଂସଦୀୟ ବ୍ୟାପାର ବିଭାଗ ଜାଣି ପାରିଲା ନାହିଁ କେମିତି? ଗତକାଲି ନବୀନ ପଟ୍ଟନାୟକଙ୍କ ସହିତ କୋଡିଏ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେବା ପରେ ଅପରାହ୍ନରେ ପୋର୍ଟଫୋଲିଓ ବଣ୍ଟନ କରାଯାଇଥିଲା। ସେଥିରେ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଥିବା ପ୍ରଫୁଲ୍ଲ ମଲ୍ଲିକଙ୍କୁ ଗୃହ ବିଭାଗର ରାଷ୍ଟ୍ର ମନ୍ତ୍ରୀ ଭାବେ ଦାୟିତ୍ଵ ନେବେ ବୋଲି କୁହାଯାଇଥିଲା। ସଂସଦୀୟ ବିଧି ବ୍ୟବସ୍ଥାର ଏହା ଖୋଲା ଉଲ୍ଲଂଘନ ଓ ସଂସଦୀୟ ବ୍ୟାପାର ବିଭାଗ ଏ ପ୍ରସଙ୍ଗରେ ସତର୍କ ରହିବା ନିହାତି ଜରୁରୀ ଥିଲା। ତେବେ ସନ୍ଧ୍ୟାରେ ଏହି ବିଜ୍ଞପ୍ତି ସଂଶୋଧନ କରି ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଗୃହ ବିଭାଗର ଦାୟିତ୍ଵ ଦିଆଯାଇଥିଲା। ଏମିତି ଦେଖିଲେ ଏହା ଖୁବ ଗୋଟେ ଗୁରୁତର ଅପରାଧ ନୁହେଁ। କିନ୍ତୁ ସଂସଦୀୟ ବିଧି ବ୍ୟବସ୍ଥାରେ ଏ ପ୍ରକାର ତ୍ରୁଟି ଆଦୌ ଗ୍ରହଣୀୟ ନୁହେଁ।
ଓଡିଶାରେ ଗତ ୧୯ ବର୍ଷ ଧରି ଏକ ସ୍ଥିର ସରକାର ରହିଛି, ତେଣୁ ସରକାରୀ ବିଧି ବ୍ୟବସ୍ଥା ବିଷୟରେ ସରକାରୀ ବାବୁମାନେ ଅଧିକ ସତର୍କ ଥିବେ ବୋଲି ଆଶା କରାଯାଏ। ମନ୍ତ୍ରିମଣ୍ଡଳର ସଂରଚନା ବିଷୟରେ ଏପ୍ରକାର ତ୍ରୁଟିକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଗୁରୁତ୍ଵର ସହିତ ନେବେ ବୋଲି ଆଶା କରାଯାଏ।