ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ: ତୃତୀୟ ମୋର୍ଚ୍ଚା ବିଷୟରେ ଦେଲେ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି

Published: May 11, 2023, 6:49 pm IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ରାଜନୀତି ନେଇ କରିଛନ୍ତି ଏକ ଘୋଷଣା। ସେ କହିଛନ୍ତି ଯେ, ଆସନ୍ତା ନିର୍ବାଚନରେ ବିଜେଡି ପୂର୍ବପରି ଏକାକୀ ଲଢିବ। କାହା ସହିତ ମେଣ୍ଟ କରିବ ନାହିଁ। ପୂର୍ବରୁ ବିଜେଡି ଯେପରି ବିଜେପି କଂଗ୍ରେସଠାରୁ ସମଦୂରତା ବଜାଇ ରହିଥିଲା ତାହା ବଜାଇ ରହିବ।

ନବୀନଙ୍କ ଏପରି ବିବୃତି ପରେ ଜାତୀୟ ରାଜନୀତିରେ ଯେଉଁ କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା ସେଥିରେ ବିରାମ ଲାଗିଛି। ଏପରିକି ନୀତିଶ କୁମାରଙ୍କ ପାଇଁ ଏହା ଏକ ବଡ ଝଟକା ବୋଲି କୁହାଯାଇଛି। ନିକଟରେ ନୀତିଶ ଭୁବନେଶ୍ବର ଆସି ନବୀନଙ୍କୁ ମହାମେଣ୍ଟ ପାଇଁ ଯେଉଁ ବୁଝାମଣା ପ୍ରୟାଶ କରିଥିଲେ ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି।

ଆପଣ ନୂଆଦିଲ୍ଲୀରେ କେତେକ ଅଣବିଜେପି ନେତାଙ୍କୁ ଭେଟିବେ କି ବୋଲି ପ୍ରଶ୍ନ ପଚାରିବାରୁ ନବୀନ ତାହାକୁ ପ୍ରତ୍ୟାଖାନ କରି ଦେଇଥିଲେ। ପୂର୍ବରୁ ଆଶଙ୍କା ପ୍ରକାଶ ପାଇଥିଲା ଯେ, ନବୀନ କେତେକ ବିରୋଧୀ ନେତାଙ୍କୁ ଭେଟିବାର ସମ୍ଭାବନା ରହିଛି। ତେବେ ତାହାକୁ ରୋକଠୋକ୍ ମନା କରିଛନ୍ତି ନବୀନ ପଟ୍ଟନାୟକ।

ଦିଲ୍ଲୀ ମିଡିଆକୁ ସାକ୍ଷାତକାର ଦେଇ ନବୀନ କହିଛନ୍ତି ଯେ, ସେ ଚାରୋଟି ପ୍ରସଂଗରେ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ତାହା ହେଲା, ପୁରୀ ଆନ୍ତର୍ଜାତୀୟ ବିମାନବନ୍ଦର, ଭାରତ ନେଟ ଫେଜ-2 ରେ ଓଡିଶାକୁ ସାମିଲ, ଓଡିଶା ଗ୍ରାମାଞ୍ଚଳରେ ବ୍ୟାଙ୍କ ଶାଖା ଖୋଲିବା, ଜାତୀୟ ରାଜପଥ ପ୍ରକଳ୍ପଗୁଡିକ ଶିଘ୍ର ଶେଷ କରିବା। ଏହାଛଡା କୌଣସି ରାଜନୈତିକ ଆଲୋଚନା ହୋଇ ନାହିଁ ବୋଲି ନବୀନ କହିଛନ୍ତି।

Related posts