ସମୀକ୍ଷା ବ୍ୟୁରୋ
ଗତକାଲି ନରେନ୍ଦ୍ର ମୋଦୀ ଏବଂ ତାଙ୍କ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବା ପରେ ମୋଦୀ କ୍ୟାବିନେଟର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପ୍ରଥମ ଉପହାର ସହିଦ ପରିବାରଙ୍କୁ ଦେଇଛନ୍ତି। ସହିଦ ପରିବାରଙ୍କ ପାଇଁ ‘ପିଏମ ଛାତ୍ରବୃତ୍ତି’ର ସହାୟତା ରାଶି ବୃଦ୍ଧି କରାଯାଇଛି। ସହିଦଙ୍କ ପରିବାରର ପୁଅଙ୍କ ପାଇଁ ପୂର୍ବରୁ ରଖାଯାଇଥିବା ଛାତ୍ରବୃତ୍ତି ରାଶିକୁ ୨୦୦୦ଟଙ୍କାରୁ ୨୫୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏବଂ ଝିଅଙ୍କ ପାଇଁ ବୃତ୍ତି ରାଶି ପରିମାଣ ୨୨୫୦ଟଙ୍କାରୁ ୩୦୦୦ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜ ଟ୍ବିଟର ମାଧ୍ୟମରେ ମଧ୍ୟ ଏହା ସୂଚନା ଦେଇଛନ୍ତି।
ସେହିପରି କ୍ୟାବିନେଟର ଦ୍ଵିତୀୟ ବଡ ଘୋଷଣା କୃଷକ ପରିବାରଙ୍କ ପାଇଁ କରାଯାଇଛି। ପୂର୍ବରୁ କୃଷକଙ୍କ ପାଇଁ କରାଯାଇଥିବା ‘ପିଏମ କିଷାନ ସମ୍ମାନ ଯୋଜନା’ରେ ହିତାଧିକାରୀଙ୍କ ସଂଖ୍ୟାକୁ ବୃଦ୍ଧି କରାଯାଇଛି। ଏହି ଯୋଜନାରେ ଏଥର ଭୂମିହୀନ କୃଷକମାନଙ୍କୁ ମଧ୍ୟ ସାମିଲ କରାଯାଇଛି। ତେଣୁ ଏହା ଦ୍ଵାରା ପାଖାପାଖି ୧୫ କୋଟି କୃଷକ ପରିବାରଙ୍କୁ ବାର୍ଷିକ ୬୦୦୦ଟଙ୍କା ପ୍ରଦାନ କରାଯିବ। ଏହି ଆର୍ଥିକ ରାଶି ତିନୋଟି ପର୍ଯ୍ୟାୟରେ ସିଧାସଳଖ କୃଷକଙ୍କ ବ୍ୟାଙ୍କ ଖାତାରେ ଜମା ହେବ।
ସେହିପରି ପଶୁ ରୋଗ ନିୟନ୍ତ୍ରଣ ପାଇଁ ଟୀକାକରଣ ବ୍ୟବସ୍ଥା କରାଯାଇଛି। ଶତପ୍ରତିଶତ ଗାଈ, ମଇଁଷି, ଛେଳି ଇତ୍ୟାଦି ପାଳିତ ପଶୁଙ୍କ ଟୀକାକରଣ ପାଇଁ ସମୁଦାୟ ୧୩ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହାର ସଂପୂର୍ଣ୍ଣ ରାଶି କେନ୍ଦ୍ରସରକାର ବହନ କରିବ।
ସେହିପରି ‘ଶ୍ରମଯୋଗୀ ମାନଧନ ଯୋଜନା’ ମାଧ୍ୟମରେ ୧୮ ରୁ ୪୦ ବର୍ଷର କୃଷକ, ଅସଙ୍ଘଠିତ କ୍ଷେତ୍ରରେ କାମ କରୁଥିବା ଶ୍ରମିକ ଏବଂ ଛୋଟ ବ୍ୟବସାୟୀଙ୍କ ପାଇଁ ୬୦ ବର୍ଷ ବୟସ ପରେ ୩୦୦୦ଟଙ୍କା ପର୍ଯ୍ୟନ୍ତ ପେନସନ ବ୍ୟବସ୍ଥା କରାଯାଇଛି। ଏଲଆଇସି ମାଧ୍ୟମରେ ଏହି ଯୋଜନା ପରିଚାଳିତ ହେବ। ମାସିକ ୧୫୦୦୦ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଯୁବକ ଏହି ଯୋଜନାର ଲାଭ ପାଇପାରିବେ।