ନିର୍ମାଣାଧିନ ପ୍ରାଣୀ ଚିକିତ୍ସାଳୟଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବାକୁ ମନ୍ତ୍ରୀ ସ୍ୱାଇଁଙ୍କ ନିର୍ଦ୍ଦେଶ

Published: May 30, 2023, 11:30 pm IST
ଭୁବନେଶ୍ୱର: ରାଜ୍ୟରେ ନିର୍ମାଣଧିନ ସମସ୍ତ ପ୍ରାଣୀ ଚିକିତ୍ସାଳୟଗୁଡ଼ିକ ଧାର୍ଯ୍ୟ ସମୟ ମଧ୍ୟରେ ଶେଷ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସଂପୃକ୍ତ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଜ୍ୟରେ ପ୍ରାଣୀମାନଙ୍କୁ ଉନ୍ନତ ଚିକିତ୍ସାସେବା ଯୋଗାଇଦେବା ଲକ୍ଷ୍ୟରେ ରାଜ୍ୟରେ ୧୭୫ଟି ନୂତନ ବ୍ଲକ୍‌ ପ୍ରାଣୀଚିକିତ୍ସା ଡିସ୍‌ପେନ୍‌ସାରୀ, ଜିଲ୍ଲା ପ୍ରାଣୀଚିକିତ୍ସା ଡିସ୍‌ପେନ୍‌ସାରୀ ଏବଂ ପ୍ରାଣୀଚିକିତ୍ସା ହସ୍‌ପିଟାଲ୍‌ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଉଥିବାବେଳେ ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ନିର୍ମାଣର ଅଗ୍ରଗତି ସଂପର୍କରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମୀକ୍ଷା କରିଥିଲେ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ମାଣ କାର୍ଯ୍ୟକୁ ଯଥାଶୀଘ୍ର ସାରିବା ପାଇଁ ଓସିିସିଏଲ୍‌, ଓଏସ୍‌ଆଇସି, ଏନ୍‌ପିସିସି ଆଦି ପବ୍ଲିକ୍‌ ସେକଫର ଅଣ୍ଡରଟେକିଂ ସଂସ୍ଥାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥି ସହିତ ନିର୍ମାଣକାର୍ଯ୍ୟର ଅଗ୍ରଗତି ସଂପର୍କରେ ବିଭାଗୀୟ ଅଧିକାରୀମାନେ ନିୟମିତ ନିରୀକ୍ଷଣ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ। ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ତୃତୀୟ ପକ୍ଷ ଦ୍ୱାରା ସମସ୍ତ ନିର୍ମାଣ କାର୍ଯ୍ୟର ମୂଲ୍ୟାଙ୍କନ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି।
ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ ନିର୍ମାଣାଧିନ ଡିସ୍‌ପେନ୍‌ସାରୀଗୁଡ଼ିକର ସଦ୍ୟତମ ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ଓସିସିଏଲ୍‌, ଓଏସ୍‌ଆଇସି, ଏନ୍‌ପିସିସି ଆଦି ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।

Related posts