
ଭୁବନେଶ୍ୱର: ରନ୍ଧନ ଗ୍ୟାସ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଯେଭଳି ଅହେତୁକ ଦର ବୃଦ୍ଧି ଘଟୁଛି ଏବଂ ଏହାକୁ ହ୍ରାସ ପାଇଁ ବାରମ୍ବାର ଦାବି କରାଗଲେ ସୁଦ୍ଧା କେନ୍ଦ୍ର ସରକାର ନିରବ ରହୁଛନ୍ତି ତାହାର ପ୍ରତିବାଦରେ ଆସନ୍ତାକାଲି ପୂର୍ବାହ୍ନ ୧୦ଘଟିକା ସମୟରେ ରାଜଭବନ ସମ୍ମୁଖରେ ବିଜୁ ଜନତା ଦଳ ପକ୍ଷରୁ ଧାରଣା ଦିଆଯିବ ବୋଲି ବିଜେଡି ମୁଖପାତ୍ର ଶ୍ରୀମତୀ ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି।
ଆଜି ଏଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀମତୀ ମିଶ୍ର କହିଛନ୍ତି ଯେ ରନ୍ଧନ ଗ୍ୟାସର ଦର ବୃଦ୍ଧି ଯୋଗୁଁ କେନ୍ଦ୍ର ସରକାରଙ୍କ ଉଜ୍ୱଳା ଯୋଜନା ଅନ୍ଧାର ଯୋଜନାରେ ପରିଣତ ହୋଇଛି। ୨୦୧୪ ମସିହାରେ ଯେଉଁ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଦର ୪୧୦ ଟଙ୍କା ଥିଲା ତାହା ଏବେ ୧୧୩୦ ଟଙ୍କାରେ ପହଞ୍ଚିଛି। ନଅ ବର୍ଷରେ ଗ୍ୟାସ ଦର ୩ ଗୁଣା ବଢି ଗଲାଣି।
ଫଳରେ ଓଡିଶାର ଅନେକ ପରିବାର ଏବେ ସେମାନଙ୍କର ଉଜ୍ୱଳା ସିଲିଣ୍ଡର ଫେରାଇବାରେ ଲାଗିଛନ୍ତି। ରାଜ୍ୟର ମା’ ଏବଂ ଭଉଣୀମାନଙ୍କ ପାଇଁ ସର୍ବଦା କାମ କରୁଥିବା ବିଜୁ ଜନତା ଦଳ ତୁରନ୍ତ ଏଲ୍ପିଜି ଗ୍ୟାସ ଦର ହ୍ରାସ ପାଇଁ ଦାବି କରି ଆସୁଛି। ହେଲେ କେନ୍ଦ୍ର ସରକାର ଏଥି ପ୍ରତି କର୍ଣ୍ଣପାତ କରୁ ନାହାନ୍ତି। ଏଭଳି ଦର ବୃଦ୍ଧି ତୁରନ୍ତ ପ୍ରତ୍ୟାହାର ଦାବିରେ ବିଜେଡି ପକ୍ଷରୁ ଆସନ୍ତାକାଲି ରାଜଭବନ ସମ୍ମୁଖରେ ଧାରଣା ଦିଆଯିବ।
ଯଦି କେନ୍ଦ୍ର ସରକାର ଗ୍ୟାସ ଦର ତୁରନ୍ତ ହ୍ରାସ ନ କରନ୍ତି ତେବେ ଆଗାମୀ ଦିନରେ ବିଜୁଜନତା ଦଳ ଏହି ପ୍ରତିବାଦ ରାଜ୍ୟର ସମସ୍ତ ଆରଡିସି, ଜିଲ୍ଲାପାଳ, ବ୍ଲକ, ପଞ୍ଚାୟତ ଓ ଗାଁ ସ୍ତରରେ କରିବ ବୋଲି ଶ୍ରୀମତୀ ମିଶ୍ର ସୂଚନା ଦେଇଛନ୍ତି।