ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ନବୀନ ବାଣ, ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଅନୁଦାନ ଘୋଷଣା

Published: Jul 11, 2023, 8:11 am IST

ଭୁବନେଶ୍ବର: ଓଡିଶାର ବିଧାନସଭା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରିଛନ୍ତି ଏକ ବାଣ। ଯାହା ଦ୍ବାରା ବିରୋଧୀ ଦଳଙ୍କର କାନ ଭାଁ ଭାଁ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତାହା ହେଲା ଏଣିକି ପ୍ରତି ପଞ୍ଚାୟତକୁ ମିଳିବ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ। ସେହିପରି ଗୋଟିଏ ଗାଁକୁ ପ୍ରାୟ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସହାୟତା ପ୍ରଦାନ କରାଯିବ।

ଏହି ଯୋଜନାର ନାମ ରଖାଯାଇଛି ‘ଆମ ଓଡିଶା ନବୀନ ଓଡିଶା’। ଫଳରେ ପଞ୍ଚାୟତ ସ୍ତରରେ ଲୋକମାନେ ଓଡିଶା ଅର୍ଥ, ନବୀନ ଓଡିଶା ବୋଲି ଭାବି ନେବେ। ସେଥିପାଇଁ ଏହି ଯୋଜନାର ନାମ ବେଶ୍ ଚିନ୍ତା କରାଯାଇଛି। ଯାହା ନିର୍ବାଚନରେ ପ୍ରଭାବ ପକାଇବ। ଗତ ନିର୍ବାଚନ ପୂର୍ବରୁ ସେହିପରି ନବୀନ ‘ଆମ ଗାଁ ଆମ ବିକାଶ’ କରି ବେଶ ଲୋକପ୍ରିୟତା ହାସଲ କରିପାରିଥିଲେ।

ଏଥର ଏହି ଯୋଜନାରେ ପଞ୍ଚାୟତ ସ୍ତରରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ ସହିତ ଗାଁ ଗାଁରେ ଥିବା ପୂଜାସ୍ଥଳ ଓ ଐତିହାସିକ ଗୁରୁତ୍ବ ବହନ କରୁଥିବା ସ୍ଥାନ ଗୁଡିକର ସୁରକ୍ଷା କରାଯିବ। ଓଡିଶାର ଗାଁ ଗୁଡିକରେ ଥିବା ପୂଜାସ୍ଥଳ ତଥା ଅନ୍ୟାନ୍ୟ ଐତିହାସିକ ଗୁରୁତ୍ବ ଥିବା ସ୍ଥାନର ବିକାଶ ସହିତ ଡିଜିଟାଲ ଭିତ୍ତିଭୂମିର ବିକାଶ ପାଇଁ ଏହି ଯୋଜନା କରିଛନ୍ତି ନବୀନ।

ଏହି ଯୋଜନାର ଅଂଶ ସ୍ବରୂପ ପୂଜା ଓ ଐତିହାସିକ ସ୍ଥାନର ବିକାଶ ତଥା ଭକ୍ତ ଓ ପର୍ଯ୍ୟଟକଙ୍କ ପାଇଁ ସୁବିଧାର ବିକାଶ ନିମନ୍ତେ ପ୍ରତ୍ୟେକ ଗାଁରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଖର୍ଚ୍ଚ କରାଯାଇ ପାରିବ। ପଞ୍ଚାୟତ ଗୁଡିକରେ ଆଧୁନିକ ଭିତ୍ତିଭୂମିର ବିକାଶ ପାଇଁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ ହୋଇପାରିବ। ରାଜ୍ୟ କ୍ୟାବିନେଟ ଏହି ଯୋଜନାକୁ ଅନୁମୋଦନ କରାଯାଇଛି।

ମୁଖ୍ୟତଃ ଗାଁ ଲୋକଙ୍କର ନିଜ ଗାଁର ମନ୍ଦିର ତଥା ଦେବାଦେବୀଙ୍କ ପ୍ରତି ରହିଛି ପ୍ରଗାଢ ଭକ୍ତି ଓ ବିଶ୍ବାସ। ଅନେକ ଗ୍ରାମରେ ପ୍ରାଚୀନ ଯୁଗର ମନ୍ଦିର ତଥା ସ୍ଥାପତ୍ୟ ମଧ୍ୟ ରହିଛି। ହେଲେ ସେଗୁଡିକର ଅବସ୍ଥା ଭଲ ନାହିଁ। ଏହି ନୂଆ ଯୋଜନା ମାଧ୍ୟମରେ ସେଗୁଡିକର ପୁନଃଉଦ୍ଧାର ସହିତ ସଂରକ୍ଷଣ ମଧ୍ୟ କରାଯାଇପାରିବ। ଏହା ଦ୍ବାରା ଗ୍ରାମାଞ୍ଚଳ ଲୋକଙ୍କର ନବୀନ ଓଡିଶା ଯୋଜନା, ଓଡିଶା ପାଇଁ ନବୀନ ବୋଲି ନିଶ୍ଚିତ ଭାବାବେଗ ରହିବ।

ଫଳରେ ଏହି ନୂଆ ଯୋଜନା ଆଗାମୀ ନିର୍ବାଚନରେ ନିଶ୍ଚିତ ପ୍ରଭାବ ନିଶ୍ଚିତ ପକାଇବ ଏଥିରେ ସନ୍ଦେହ ନାହିଁ। କେବଳ ଏହି ଯୋଜନା ନୁହେଁ ନିର୍ବାଚନ ଯେତିକି ପାଖେଇବ ନବୀନ ସେହିପରି ଆଉ କିଛି ନୂଆ ଯୋଜନାର ଶୁଭାରମ୍ଭ ମଧ୍ୟ କରିବେ। ଯାହାକୁ ନେଇ ବିରୋଧୀ ଆଗୁଆ ଆଭାସ ମଧ୍ୟ ପାଇସାରିଲେଣି। ଫଳରେ ନବୀନଙ୍କ ଏହି ବାଣ ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି।

Related posts