ଭୁବନେଶ୍ବର: ଗତକାଲି ରାତିରୁ କଟକ ଭୁବନେଶ୍ବରରେ ପ୍ରବଳ ବର୍ଷା ଲାଗି ରହିଛି। ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଦ୍ବାରା ସାଧାରଣ ଯାତାୟତରେ ସମସ୍ୟା ଉପୁଜିଛି। ଏପରିକି ଆଜି କଟକ ଅବସ୍ଥା ପୁରା ବେହାଲ ହୋଇପଡିଛି। କଟକ ସହରରେ ବିଭିନ୍ନ ସ୍ଥାନରେ ପାଣି ଜମି ରହିବା ଦ୍ବାରା ବନ୍ୟା ପରି ପରିସ୍ଥିତି ସୃଷ୍ଟି ହୋଇଛି। ଜଳ ନିସ୍କାସନ ହୋଇ ନ ପାରି ରାସ୍ତା ସାରା ପାଣି ଜମି ରହିଛି।
ଏ ନେଇ ଭୁବନେଶ୍ବର ଆଞ୍ଚଲିକ ପାଣିପାଗ ବିଭାଗ ତରଫରୁ ମଧ୍ୟ ସତର୍କ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ୨ ଘଣ୍ଟା ଯାଏଁ ପ୍ରବଳ ବୃଷ୍ଟିପାତ ହେବ। ଭୁବନେଶ୍ୱର ଏବଂ କଟକରେ ୧ ରୁ ୨ ସେମି ଘଣ୍ଟା ପ୍ରତି ବର୍ଷା ହେବ। ଯେଉଁ ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ସେଠାରେ ୨ ରୁ ୩ ସେମି ପର୍ଯ୍ୟନ୍ତ ବୃଷ୍ଟିପାତ ସମ୍ଭାବନା ରହିଛି।
ଏହା ଦ୍ବାରା କଟକ ଏବଂ ଭୁବନେଶ୍ବରର ତଳିଆ ଅଞ୍ଚଳରେ ପାଣି ଜମି ରହିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ଏପରିକି ବନ୍ୟା ପରି ପରିସ୍ଥିତି ଉପୁଜିବ ବୋଲି ଅନୁମାନ କରାଯାଇଛି। ଏହାଦ୍ବାରା ଟ୍ରାଫିକ ସମସ୍ୟା ପରିଲକ୍ଷିତ ହେବ। ସେଥିପାଇଁ ଦୁଇ ସହରର ପ୍ରଶାସନକୁ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି।
କେବଳ କଟକ ଭୁବନେଶ୍ବର ନୁହେଁ ଆଜି ସାରା ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଗତକାଲି ରାତିରେ ପାରାଦୀପ ଏବଂ ପୁରୀରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଆଜି ସକାଳ ୮.୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରରେ ଯେଉଁ ବର୍ଷା ରେକର୍ଡ କରାଯାଇଛି ତାହା ହେଲା
ପାରାଦୀପ: ୧୦୫ ମିମି, ପୁରୀ: ୮୬.୬ ମିମି, ଢେଙ୍କାନାଳ: ୭୦ ମିମି, ନୟାଗଡ: ୪୩.୧ ମିମି, କେନ୍ଦ୍ରାପଡା: ୨୨.୪ ମିମି, ଭୁବନେଶ୍ୱର: ୧୪.୭ ମିମି, ଗୋପାଳପୁର: ୨.୧ ମିମି, ଚାନ୍ଦବାଲି : ୧୧.୯ ମିମି, ବାଲେଶ୍ୱର: ୧୦.୨ ମିମି ବର୍ଷା ରେକର୍ଡ କରାଯାଇଛି। ତେବେ ଏହି ବର୍ଷା ଆହୁରି ଦୁଇ ଦିନ ଧରି ଲାଗିରହିବ ବୋଲି ସୂଚନା ଦିଆଯାଇଛି।