‘ବିଜେପିକୁ ଭୋଟ୍ ଦିଅ, କିନ୍ତୁ ସ୍ୱାଧିନ ପ୍ରାର୍ଥୀଙ୍କୁ କେବେ ନୁହେଁ’: ରାଜସ୍ଥାନ କଂଗ୍ରେସ ନେତାଙ୍କ ମନ୍ତବ୍ୟ ଭାଇରାଲ

Published: Nov 13, 2023, 12:48 pm IST

ନୂଆଦିଲ୍ଲୀ: ଯଦି ମତଦାତାମାନେ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୁଅନ୍ତି ତେବେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଭୋଟ୍ ଦିଅନ୍ତୁ ବୋଲି ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ବିଧାୟକ ଅମିନ ଖାନ୍ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ନିର୍ବାଚନ ହେବାକୁ ଥିବା ରାଜସ୍ଥାନବାସୀଙ୍କ ସହ କଥାବାର୍ତ୍ତାବେଳେ ୮୪ ବର୍ଷୀୟ ନେତାଙ୍କ ମନ୍ତବ୍ୟ କ୍ୟାମେରାରେ କଏଦ ହୋଇଛି। ୫ ବର୍ଷ ଧରି କଠିନ ପରିଶ୍ରମ କରିଥିବାରୁ କଂଗ୍ରେସକୁ ଭୋଟ୍ ଦିଅନ୍ତୁ। ଯଦି ଆପଣ କଂଗ୍ରେସ ଉପରେ ଅସନ୍ତୁଷ୍ଟ ହୁଅନ୍ତି, ତେବେ ବିଜେପିକୁ ଭୋଟ୍ ଦିଅନ୍ତୁ, କିନ୍ତୁ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦିଅନ୍ତୁ ନାହିଁ ବୋଲି ସେ ଭାଇରାଲ ଭିଡିଓରେ କହୁଥିବା ଶୁଣିବାକୁ ମିଳୁଛି।

ଅମିନ ଖାନ୍ ଜଣେ ବରିଷ୍ଠ କଂଗ୍ରେସ ନେତା ଏବଂ ତାଙ୍କୁ ରାଜସ୍ଥାନର ଶିଓ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି। ସେ ସେହି ଆସନରୁ ସ୍ୱାଧୀନ ପ୍ରାର୍ଥୀଭାବେ ଲଢୁଥିବା ଫତେହ ଖାନଙ୍କୁ ଟାର୍ଗେଟ କରିଛନ୍ତି। ଫତେହ ଖାନ୍‍ ମଧ୍ୟ ଜଣେ କଂଗ୍ରେସ ନେତା ଥିଲେ ଏବଂ ଦଳର ବାରମେର ଜିଲ୍ଲା ସଭାପତି ଥିଲେ।

ଉଭୟ ଫତେହ ଖାନ୍‍ ଏବଂ ଅମିନ ଖାନ୍ ଶିଓ ବିଧାନସଭା ଆସନରେ କଂଗ୍ରେସ ଟିକେଟ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତେବେ ଏହି ଆସନରୁ ଅମିନ ଖାନ୍‍ଙ୍କୁ ୧୦ମ ଥର ପାଇଁ ପ୍ରାର୍ଥୀ କରାଯିବା ପରେ ଫତେହ ଖାନ୍‍ ଦଳରୁ ଇସ୍ତଫା ଦେଇ ସ୍ୱାଧୀନଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

ଶିଓ ଆସନରୁ ଯଦି ଅନ୍ୟ କୌଣସି ମୁସଲମାନ ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରାଯାଏ ତେବେ ଦଳ ୪୦ ହଜାରରୁ ଅଧିକ ଭୋଟରେ ହାରିବ ବୋଲି ଅମିନ ଖାନ୍ କଂଗ୍ରେସକୁ ଚ୍ୟାଲେଞ୍ଜ କରିଥିଲେ।
ସୂଚନାଯୋଗ୍ୟ, ପ୍ରାର୍ଥୀ ରବୀନ୍ଦ୍ର ସିଂହ ଭାଟି ମଧ୍ୟ ଏହି ଆସନରୁ ସ୍ୱାଧୀନଭାବେ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଦଳରୁ ଟିକେଟ ନ ମିଳିବାରୁ ପୂର୍ବତନ ବିଜେପି ନେତା ଅସନ୍ତୁଷ୍ଟ ହୋଇ ସ୍ୱାଧୀନ ପ୍ରାର୍ଥୀଭାବେ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।

Related posts