କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ହୋଇପାରେ: କୁମାରସ୍ୱାମୀ

Published: Dec 11, 2023, 9:16 am IST

ନୂଆଦିଲ୍ଲୀ: କର୍ଣ୍ଣାଟକରେ କଂଗ୍ରେସ ସରକାର ପତନ ହୋଇପାରେ ବୋଲି ଜେଡିଏସ ନେତା ଏଚ. ଡି କୁମାରସ୍ୱାମୀ ରବିବାର ଦାବି କରିଛନ୍ତି। କୁମାରସ୍ୱାମୀ କହିଛନ୍ତି ଯେ ୫୦ରୁ ୬୦ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ସରକାରରେ ଜଣେ ପ୍ରଭାବଶାଳୀ ମନ୍ତ୍ରୀ କଂଗ୍ରେସ ଦଳ ଛାଡ଼ି ବିଜେପିରେ ଯୋଗ ଦେଇପାରନ୍ତି। ଏଥିପାଇଁ ବିଜେପି ନେତାଙ୍କ ସହ ଆଲୋଚନା ଚାଲିଛି।

କର୍ଣ୍ଣାଟକରେ ହୋଇପାରେ ମହାରାଷ୍ଟ୍ର ଭଳି ସ୍ଥିତି

କର୍ଣ୍ଣାଟକରେ ଯେକୌଣସି ସମୟରେ ମହାରାଷ୍ଟ୍ର ଭଳି କିଛି ହୋଇପାରେ ବୋଲି ଜନତା ଦଳ ସେକ୍ୟୁଲାର (ଜେଡିଏସ୍) ରାଜ୍ୟ ସଭାପତି ପୂର୍ବାନୁମାନ କରିଛନ୍ତି। ବର୍ତ୍ତମାନର ରାଜନୈତିକ ବାତାବରଣକୁ ଦେଖିଲେ କିଛି ବି ହୋଇପାରେ।

କର୍ଣ୍ଣାଟକ କଂଗ୍ରେସରେ ସବୁକିଛି ଠିକ ଠାକ ନାହିଁ

ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଜେଡିଏସ ନେତା କହିଛନ୍ତି ଯେ କର୍ଣ୍ଣାଟକରେ କଂଗ୍ରେସ ସରକାରରେ ସବୁକିଛି ଠିକ ନାହିଁ। ଏହି ସରକାର କେବେ ଭାଙ୍ଗିବ ମୁଁ ଜାଣେ ନାହିଁ। ଜଣେ ପ୍ରଭାବଶାଳୀ ମନ୍ତ୍ରୀ ତାଙ୍କ ବିରୋଧରେ ମାମଲାରୁ ବର୍ତ୍ତିବା ପାଇଁ ଅଣ୍ଟା ଭିଡ଼ିଛନ୍ତି। କୁମାରସ୍ୱାମୀ କହିଛନ୍ତି ଯେ କେନ୍ଦ୍ର ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ଯେଉଁଥିରେ ଖସିଯିବାର କୌଣସି ସମ୍ଭାବନା ନାହିଁ।

ନେତାଙ୍କ ନାମ ପଚାରିବାରୁ କୁମାରସ୍ୱାମୀ କହିଛନ୍ତି ଯେ, ଛୋଟ ନେତାଙ୍କଠାରୁ ଏଭଳି ପଦକ୍ଷେପ ଆଶା କରାଯାଇପାରିବ ନାହିଁ। କେବଳ ପ୍ରଭାବଶାଳୀ ବ୍ୟକ୍ତି ହିଁ ଏଭଳି କାର୍ଯ୍ୟ କରିପାରିବେ।

Related posts