ସଂଖ୍ୟାଲଘୁ ଧାର୍ମିକ ସ୍ଥଳ ଖାନୱାରେ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ୨ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

Published: Dec 18, 2023, 7:12 pm IST

ଭୁବନେଶ୍ବର: ଧାମନଗରରେ ଥିବା ମୁସଲମାନ ସମ୍ପ୍ରଦାୟର ପ୍ରସିଦ୍ଧ ଧାର୍ମିକ ସ୍ଥଳ ଖାନୱାରେ ଏକ ପାଣି ଟାଙ୍କୀ ସହିତ ଜଳଯୋଗାଣର ସୁବ୍ୟବସ୍ଥା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କ ଧାମନଗର ଗସ୍ତ ଅବସରରେ ଖାନୱାର ଏକ ପ୍ରତିନିଧି ଦଳ ତାଙ୍କୁ ଭେଟି ଏ ବିଷୟରେ ଅନୁରୋଧ କରିଥିଲେ। ଶ୍ରୀ ପାଣ୍ଡିଆନ ଏହି ଅନୁରୋଧ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଥିଲେ। ସେମାନଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପାଣି ଟାଙ୍କୀ ଓ ଜଳଯୋଗାଣ ସୁବିଧା ପାଇଁ ଟଙ୍କା ମଞ୍ଜୁର କରିଛନ୍ତି।

ସୂଚନାଯୋଗ୍ୟ ଯେ  ପୀରବାବା ହୁଜୁର ମୁଜାହିଦ ଏ ମିଲାତପେଙ୍କ ଅନୁଗାମୀମାନେ ପ୍ରତିଦିନ ବହୁ ସଂଖ୍ୟାରେ ଖନୱାକୁ ଆସିଥାନ୍ତି। ପୀରବାବା ହୁଜୁର ମୁଜାହିଦଙ୍କ ଉର୍ସ ଉତ୍ସବ ସମୟରେ ଏଠାରେ ବିଶେଷ ଭିଡ ପରିଲକ୍ଷିତ ହୋଇଥାଏ। ସେଠାରେ ଜଳଯୋଗଣରେ ଉନ୍ନତି ହେବା ଦ୍ୱାରା ଛାତ୍ରଛାତ୍ରୀ, ତୀର୍ଥଯାତ୍ରୀ, ଉର୍ସ ମୁଜାହିଦ ଏ ମିଲାତ କମିଟିର ସଦସ୍ୟମାନଙ୍କ ସମେତ ୨ ଲକ୍ଷ ଭକ୍ତ ଉପକୃତ ହେବେ। ସେମାନଙ୍କ ଅସୁବିଧାର ତୁରନ୍ତ ସମାଧାନ ହୋଇଥିବାରୁ ଧାମନଗର ଅଞ୍ଚଳର ମୁସଲମାନ ଭାଇ ଓ ଭଉଣୀମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନଙ୍କୁ ଧନ୍ୟବାଦ ଜଣାଇବା ସହିତ ଗଭୀର କୃତଜ୍ଞତା ବ୍ୟକ୍ତ କରିଛନ୍ତି।

Related posts