ଆସନ ବଣ୍ଟନକୁ ନେଇ ଏହି ତିନି ଦଳଙ୍କ ଯୋଗୁ ଚିନ୍ତାରେ କଂଗ୍ରେସ 

Published: Dec 31, 2023, 6:44 pm IST

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ଆଉ ମାତ୍ର କିଛିମାସ ବାକି ରହିଛି। ବିରୋଧୀ ଇଣ୍ଡି ମେଣ୍ଟ ମଧ୍ୟ ମୋଦି ସରକାରଙ୍କୁ ଟକ୍କର ଦେବା ପାଇଁ ପୂରା ପ୍ରୟାସ ଚଳାଇଛି। ସମସ୍ତ ବିରୋଧୀ ଦଳର ଇଣ୍ଡି ମେଣ୍ଟ ୪ ଥର ବୈଠକ କରିସାରିଲେଣି। କିନ୍ତୁ ବର୍ତ୍ତମାନ ଆସନ ବଣ୍ଟନକୁ ନେଇ କୌଣସି ଆଲୋଚନା ହେଉନାହିଁ। ଦିଲ୍ଲୀର ଅଶୋକା ହୋଟେଲରେ ବରିଷ୍ଠ ନେତାଙ୍କ ଏକ ବୈଠକ ହୋଇଥିଲା, କିନ୍ତୁ ଆସନ ବଣ୍ଟନ ପ୍ରସଙ୍ଗ ଅଟକି ରହିଛି। କଂଗ୍ରେସ ପାଇଁ ଆସନ ବଣ୍ଟନ ପ୍ରସଙ୍ଗ ଅଧିକ କଷ୍ଟସାଧ୍ୟ ମନେ ହେଉଛି। ୩ଟି ରାଜ୍ୟମଧ୍ୟରୁ କଂଗ୍ରେସ ଗୋଟିଏରେ ମେଣ୍ଟ କରିଥିବ ବେଳେ ବାକି ଦୁଇଟି ରାଜ୍ୟରେ ବିରୋଧୀ ଦଳରେ ଥିଲେ ମଧ୍ୟ ମୋଦି ସରକାରଙ୍କୁ ପରାସ୍ତ କରିବା ପାଇଁ ଗୋଟିଏ ମଞ୍ଚକୁ ଆସିଛି। ଏହି ୩ଟି ରାଜ୍ୟ ହେଉଛି ପଞ୍ଜାବ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗ। ପଞ୍ଜାବରେ ଶାସକ ଆମ୍ ଆଦମୀ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ବୋଲି ଘୋଷଣା କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏକାକୀ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମହାରାଷ୍ଟ୍ରରେ ଶିବସେନା ୨୩ଟି ଆସନ ଦାବି କରିଥିବାରୁ ଆସନ ବୁଝାମଣା ଆହୁରି ଜଟିଳ ହୋଇଛି।

ଟିଏମସିର ଏକଲା ଚଲୋ ସ୍ଲୋଗାନ

ପଶ୍ଚିମବଙ୍ଗରେ ୨୦୨୪ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଏକାକୀ ଲଢ଼ିବ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି। ସାରା ଦେଶରେ ଇଣ୍ଡି ମେଣ୍ଟରେ ସାମିଲ ହେବା କଥା ସେ ନିଶ୍ଚିତ ଭାବେ କହିଛନ୍ତି, କିନ୍ତୁ ପଶ୍ଚିମବଙ୍ଗରେ କୌଣସି ଆସନ ବଣ୍ଟାଯିବ ନାହିଁ କି କଂଗ୍ରେସ କିମ୍ବା ବାମପନ୍ଥୀଙ୍କ ସହ ମେଣ୍ଟ ହେବ ନାହିଁ। ପଶ୍ଚିମବଙ୍ଗରେ ବିଜେପିକୁ କେବଳ ତୃଣମୂଳ ହିଁ ପରାସ୍ତ କରିପାରିବ ବୋଲି ମମତା ସ୍ପଷ୍ଟ କରିଛନ୍ତି।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ଲଢ଼ି ମାତ୍ର ୨ଟି ଆସନରେ ବିଜୟୀ ହୋଇଥିବାବେଳେ ତୃଣମୂଳ ୨୨ଟି ଆସନରେ ବିଜୟୀ ହୋଇଥିଲା। ସେତେବେଳେ ମଧ୍ୟ ଅନେକ କଂଗ୍ରେସ ନେତା ସିପିଆଇ(ଏମ୍) ସହ ମିଶି ଲଢ଼ିବାକୁ ଦାବି କରିଥିଲେ, କିନ୍ତୁ ଦଳ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲା। ଏଥର ମମତାଙ୍କ ଏକାକୀ ଲଢ଼ିବାର ଘୋଷଣା ବଙ୍ଗଳା ରାଜନୀତିକୁ ଏକ ନୂଆ ଦିଗ ଦେଇପାରେ।

୨୩ଟି ଆସନ ଚାହୁଁଛନ୍ତି ଉଦ୍ଧବ ଠାକରେ

ଉଦ୍ଧବ ଠାକରେଙ୍କ ଶିବସେନା ମହାରାଷ୍ଟ୍ରରେ ୨୩ଟି ଆସନରେ ଲଢ଼ିବାକୁ ଦାବି କରିଥିଲେ ମଧ୍ୟ କଂଗ୍ରେସ ଏହାକୁ ଗ୍ରହଣ କରୁନାହିଁ। ମହାରାଷ୍ଟ୍ରରେ କଂଗ୍ରେସ, ଶରଦ ପାୱାରଙ୍କ ଏନସିପି ଗୋଷ୍ଠୀ ଏବଂ ଉଦ୍ଧବ ଗୋଷ୍ଠୀ ନେତୃତ୍ୱାଧୀନ ଶିବସେନା ମେଣ୍ଟରେ ଅଛନ୍ତି।

ଶିବସେନା ଲୋକସଭା ଆସନର ଏକ ବଡ଼ ଅଂଶ ଦାବି କରିଛି। ଦଳ ୨୩ଟି ଆସନ ଦାବି କରିଥିଲେ ମଧ୍ୟ କଂଗ୍ରେସ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଛି। ମହାରାଷ୍ଟ୍ର କଂଗ୍ରେସର ବରିଷ୍ଠ ନେତା ଅଶୋକ ଚୌହାନ ଏହି ଦାବିକୁ ଅତ୍ୟଧିକ ବୋଲି କହିବା ସହ ଦଳଗୁଡ଼ିକ ମଧ୍ୟରେ ବୁଝାମଣା ଜରୁରୀ ବୋଲି କହିଛନ୍ତି। ପ୍ରତ୍ୟେକ ଦଳ ଅଧିକ ଆସନ ଚାହୁଁଥିବାବେଳେ ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ଶିବସେନାର ୨୩ଟି ଆସନ ଦାବି ବହୁତ ଅଧିକ ରହିଛି।

ସୂଚନାଯୋଗ୍ୟ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଏନସିପି ଏକାଠି ଲଢ଼ିଥିଲେ। ୪୮ଟି ଆସନରୁ କଂଗ୍ରେସ ମାତ୍ର ଗୋଟିଏ ଆସନରେ ବିଜୟୀ ହୋଇଥିବାବେଳେ ଏନସିପି ୪ଟି ଆସନରେ ବିଜୟୀ ହୋଇଛି। ୨୦୧୯ ନିର୍ବାଚନରେ ମଧ୍ୟ ଶିବସେନା ଓ ବିଜେପି ଏକାଠି ଲଢ଼ିଥିଲେ। ବିଜେପି ୨୩ଟି ଆସନ ଜିତିଥିବାବେଳେ ଶିବସେନା ୧୮ ଟି ଆସନରେ ବିଜୟୀ ହୋଇଥିଲା।

ପଞ୍ଜାବରେ ଆପ୍‍ ଏକାକୀ ଲଢ଼ିବ

ପଞ୍ଜାବ କଂଗ୍ରେସ ନେତାମାନେ ଦଳୀୟ ହାଇକମାଣ୍ଡଙ୍କୁ ସ୍ପଷ୍ଟଭାବେ କହିଛନ୍ତି ଯେ ସେମାନେ ୨୦୨୪ ଲୋକସଭା ନିର୍ବାଚନରେ ଏକାକୀ ଲଢ଼ିବାକୁ ଚାହୁଁଛନ୍ତି। ଡିସେମ୍ବର ୨୬ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ରାଷ୍ଟ୍ରୀୟ ନେତା ଏବଂ ପଞ୍ଜାବର ବରିଷ୍ଠ ନେତାଙ୍କ ମଧ୍ୟରେ ଏହି ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ଆସନ ବଣ୍ଟନକୁ ନେଇ ବିଚାର ବିମର୍ଶ ହୋଇଥିଲା, ଯେଉଁଥିରେ ୩୦ରୁ ଅଧିକ କଂଗ୍ରେସ ନେତା ଉପସ୍ଥିତ ଥିଲେ। ବୈଠକ ପରେ ବିଧାୟକ ଦଳ ନେତା ପ୍ରତାପ ସିଂହ ବାଜୱା କହିଛନ୍ତି ଯେ ହାଇକମାଣ୍ଡ ସେମାନଙ୍କ କଥା ଶୁଣିଛନ୍ତି ଏବଂ ଦଳର ସ୍ୱାର୍ଥ ପ୍ରତି ଧ୍ୟାନ ଦିଆଯିବ।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଡିସେମ୍ବର ୧୭ରେ ପଞ୍ଜାବର ଭଟିଣ୍ଡାରେ ଏକ ରାଲି କରିଥିଲେ। ପଞ୍ଜାବର ସମସ୍ତ ୧୩ଟି ଲୋକସଭା ଆସନରେ ଶାସକ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦେବା ପାଇଁ କେଜ୍ରିଓ୍ଵାଲ ଜନସାଧାରଣଙ୍କୁ ନିବେଦନ କରିଥିଲେ, ଯାହା ସୂଚାଇଦେଇଥିଲା ଯେ ଇଣ୍ଡି ମେଣ୍ଟର ସହଯୋଗୀ କଂଗ୍ରେସ ସହ ଆସନ ବୁଝାମଣା ହେବାର ଆଶା କମ୍। ତେଣୁ ଏବେ ଦେଖିବାକୁ ବାକି ରହିଲା ପଞ୍ଜାବରେ କଂଗ୍ରେସ କ’ଣ ରଣନୀତି ପ୍ରସ୍ତୁତ କରୁଛି ଏବଂ ଆମ୍ ଆଦମୀ ପାର୍ଟି ଏକାକୀ ଲଢ଼ି କ’ଣ ପ୍ରଦର୍ଶନ କରିବ। ଦିଲ୍ଲୀ ଓ ପଞ୍ଜାବରେ ଆମ୍ ଆଦମୀ ପାର୍ଟିର କାହା ସହ ମେଣ୍ଟ ନାହିଁ। ସେ କେବଳ ଇଣ୍ଡି ମେଣ୍ଟର ଏକ ଅଂଶ।

Related posts