ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ, ଜିଲ୍ଲାପାଳଙ୍କୁ ଏହି ନିର୍ଦ୍ଦେଶ ଦେଲେ ସ୍ବତନ୍ତ୍ର ରିଲିଫ କମିଶନର

Published: Mar 31, 2024, 8:08 am IST

ଭୁବନେଶ୍ବର: ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ସମସ୍ତ ବିଭାଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ, ପଡ଼ା ଓ ୱାର୍ଡରେ ଜଳସଂକଟ ଥିବା ଅଞ୍ଚଳକୁ ଚିହ୍ନଟ କରିବା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇଦେବା ସହ ବଜାରଘାଟ, ବସ୍‌ଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ଖୋଲିବା ସହ ଆଗୁଆ ଅଚଳ ନଳକୂପଗୁଡ଼ିକର ମରାମତି, ପାଇପ ଜଳଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଗୃହଗୁଡ଼ିକୁ ବାସହୀନ ଓ ଆଶ୍ରୟସ୍ଥଳ ଆବଶ୍ୟକ ଥିବା ଜନସାଧାରଣଙ୍କୁ ଦିନବେଳା ଆଶ୍ରୟ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଜଳସଂପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକରୁ କେନାଲକୁ ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମତ୍ସ୍ୟପାଳନ ଓ ପଶୁସଂପଦ ବିକାଶ ବିଭାଗ ପକ୍ଷରୁ ବୁଲା ପଶୁ/ଗୋରୁଗାଈମାନଙ୍କ ପାଇଁ ପିଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରିସରରେ ଥିବା ଅଚଳ ନଳକୂପଗୁଡ଼ିକ ସଜାଡ଼ିବା ସହ ପ୍ରଚୁର ପରିମାଣର ଓଆର୍‌ଏସ୍‌ ମହଜୁଦ ରଖିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରା ସମୟରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି ।

ବିଦ୍ୟାଳୟର ସମୟ, ଗ୍ରୀଷ୍ମ ପ୍ରବାହର ଆଗୁଆ ସୂଚନା ଅନୁସାରେ ପରିବର୍ତ୍ତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ସକାଳବେଳା ଖୋଲା ରଖିବା ସହ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ପରିମାଣର ଓଆର୍‌ଏସ୍‌ ପ୍ୟାକେଟ୍‌ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟଗୁଡ଼ିକରେ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସାର ବ୍ୟବସ୍ଥା କରିବା ସହ ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍‌ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ଓ ଜନସାଧାରଣଙ୍କ ମଧ୍ୟରେ ଅଂଶୁଘାତଜନିତ ସଚେତନତା ପାଇଁ ପ୍ରଚାର ବ୍ୟବସ୍ଥା କରିବା ଓ ଜିଲ୍ଲାସ୍ତରୀୟ ମେଡ଼ିକାଲ ଅଫିସର ଓ ଅନ୍ୟ ସମସ୍ତ ମେଡ଼ିକାଲ ଅଫିସରମାନଙ୍କୁ ରାଜ୍ୟର ୩୭୭ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହଜନିତ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ । ଏଥି ପାଇଁ ଓସ୍‌ଡମା ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯିବ। ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରା ସମୟରେ ବସ୍‌ ଚଳାଚଳ ସମୟ ପରିବର୍ତ୍ତନ ସହ ବସ୍‌ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ପ୍ରାଥମିକ ଚିିକିତ୍ସା ବାକ୍ସର ବ୍ୟବସ୍ଥା କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ନିର୍ମାଣ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ର ସ୍ଥଳରେ ପାନୀୟ ଜଳ ସହ ଆଶ୍ରୟ ବ୍ୟବସ୍ଥା କରିବା ଓ ଖରା ସମୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବା ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦୁ୍ୟତ ସଂଚାର ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଜଙ୍ଗଲ ଅଗ୍ନିକୁ ରୋକିବା ଓ ପ୍ରତିହତ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ବନାଗ୍ନି ଦାଉରୁ ବନ୍ୟପ୍ରାଣୀ, ପକ୍ଷୀମାନଙ୍କୁ ରକ୍ଷା କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ, ବନ ସୁରକ୍ଷା ସମିତି, ପଞ୍ଚାୟତିରାଜ ସଭ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏଥିରେ ଭାଗୀଦାର କରିବା ସହ ଚିଡ଼ିଆଖାନାଗୁଡ଼ିକୁ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ଯୋଗାଇଦେବା ଓ ସହରାଞ୍ଚଳରେ ବନୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଗ୍ରୀଷ୍ମପ୍ରବାହ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଷ୍ଟର, ଲିଫ୍‌ଲେଟ୍‌ ଓ କ’ଣ କରିବାକୁ ହେବ ଓ କ’ଣ ନକରିବା ଉଚିତ, ମଣିଷ ଓ ପ୍ରାଣୀସଂପଦର ସୁରକ୍ଷା ଦିଗରେ ଏଭଳି ପ୍ରଚାର ଓ ପ୍ରସାର ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି।

ଥଣ୍ଡାଛାତ କାରିଗରୀ ବିଦ୍ୟାର ପ୍ରସାର ସଂପର୍କରେ ଜନସଚେତନତା ସୃଷ୍ଟି ଓ ଛାତ ଉପରେ ଧଳା ରଙ୍ଗର ଆସ୍ତରଣ ଦେବା ଦ୍ୱାରା ଘର ଭିତର କିପରି ଥଣ୍ଡା ରହିପାରିବ ଓ ରାଜ୍ୟ, ଜିଲ୍ଲାସ୍ତରରୁ ଆରମ୍ଭ କରି ନଗର ଉତ୍ତାପ ଆକ୍ସନ୍‌ ପ୍ଲାନ୍‌କୁ କିପରି ଉନ୍ନତିକରଣ କରାଯାଇ ରାଜ୍ୟରେ ଗ୍ରୀଷ୍ମପ୍ରବାହଜନିତ ପ୍ରଭାବ ମୁକାବିଲା ପରିଚାଳନା କରାଯାଇପାରିବ ଏ କ୍ଷେତ୍ରରେ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ମପ୍ରବାହ ସମୟରେ ଅଂଶୁଘାତ ସମ୍ବନ୍ଧୀୟ ଜୀବନହାନିକୁ ଏଡ଼ାଇବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିବା ପାଇଁ ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

Related posts